ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ : ୧୩ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଲୋକାର୍ପିତ

ଭୁବନେଶ୍ବର ଓ ସମ୍ବଲପୁରରେ ରେଫରାଲ୍‌ ମୃତ୍ତିକା ପରୀକ୍ଷାଗାର ଉଦ୍‌ଘାଟିତ

ଭୁବନେଶ୍ବର : ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବିଶ୍ବ ମୃତ୍ତିକା ଦିବସ ଉପଲକ୍ଷେ ୧୩ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଲୋକାର୍ପିତ ହୋଇଛି। କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ଗାଡ଼ିଗୁଡ଼ିକୁ ଲୋକାର୍ପଣ କରିଥିଲେ। ଏହା ସହ ଆନ୍ତର୍ଜାତିକ ସଂସ୍ଥା ଇକ୍ରିସାଟ୍‌ର ସହାୟତାରେ ଭୂଚେତନା କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ବର ଓ ସମ୍ବଲପୁରରେ ସ୍ଥାପନ ହୋଇଥିବା ଦୁଇଟି ରେଫରାଲ୍‌ ମୃତ୍ତିକା ପରୀକ୍ଷାଗାରକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ବିଶ୍ବର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନିମନ୍ତେ ଖାଦ୍ୟ, ବାସଗୃହ, ପୋଷାକ ଆଦିର ଚାହିଦା ମେଣ୍ଟାଇବା ଉଦ୍ଦେଶ୍ୟରେ ଅଧିକରୁ ଅଧିକ ଫସଲ ଉତ୍ପାଦନ ପାଇଁ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର, ଜଙ୍ଗଲ କ୍ଷୟ, ଶିଳ୍ପ ଓ ବାସଗୃହର ବର୍ଜ୍ୟବସ୍ତୁ ମାଟିରେ ମିଶିବା ଆଦି କାରଣରୁ ମାଟିର ଉର୍ବରତା ନଷ୍ଟ ହୋଇ ଚାଲିଛି। ମୃତ୍ତିକାର ସ୍ବାସ୍ଥ୍ୟ ପରିଚାଳନା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଭବିଷ୍ୟତ ବଂଶଧରଙ୍କ ଖାଦ୍ୟ ସୁରକ୍ଷା ଓ ଜୀବଜଗତର ସୁରକ୍ଷା ନିମନ୍ତେ ପ୍ରଥମେ ମୃତ୍ତିକାର ସୁରକ୍ଷା କରିବାକୁ ପଡ଼ିବ। ଏଥି ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଗୁରୁତ୍ବରାରୋପ କରିଥିଲେ। କୃଷି ବିଭାଗ ପକ୍ଷରୁ ମାଟି ପରୀକ୍ଷା କରାଯାଇ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ, ଜୈବିକ କୃଷି, ନିରନ୍ତର କୃଷି, ଜୈବିକ ଖତସାର, ମାଟିର ଆବଶ୍ୟକତା ଅନୁସାରେ ଅନୁମୋଦିତ ସାର ପ୍ରୟୋଗ, ରିହାତି ଦରରେ ଜୀବାଣୁ ସାର ବଣ୍ଟନ ଓ ଠିକ୍ ଜଳ ପରିଚାଳନା ଆଦି ଦିଗରେ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ଉତ୍ପାଦନ କମିସନର୍‌ ରାଜ କୁମାର ଶର୍ମା କହିଲେ ଯେ ମାଟିର ସ୍ବାସ୍ଥ୍ୟ କୃଷି ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧିରେ ପ୍ରମୁଖ ଭୂମିକା ନେଇଥାଏ। ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ମୃତ୍ତିକାର ସ୍ବାସ୍ଥ୍ୟ ରକ୍ଷା କରିପାରିଲେ ରାଜ୍ୟର ଚାଷୀମାନେ ଲାଭବାନ ହୋଇପାରିବେ। କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ, କୃଷି ବିଭାଗର ସ୍ବତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖ ଯୋଗ ‌େଦଇ ମୃତ୍ତିକାର ସ୍ବାସ୍ଥ୍ୟ ରକ୍ଷାରେ ନାନୋ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ବ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥି‌େଲ। କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନରେ ଇକ୍ରିସାଟ୍‌ର କଣ୍ଟ୍ରି ରିପପ୍ରଜେଣ୍ଟେଟିଭ୍‌ ଅରବିନ୍ଦ ପାଢ଼ୀଙ୍କ ସମେତ କୃଷି ବୈଜ୍ଞାନିକମାନେ ଯୋଗ ଦେଇଥିଲେ। ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଏବଂ ବହୁ କୃଷି ବୈଜ୍ଞାନିକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ‘ଓଡ଼ିଶା ମୃତ୍ତିକା ପୋଷାକତତ୍ତ୍ବ ସ୍ଥିତିର ମାନଚିତ୍ର’ ଏବଂ ‘ଓଡ଼ିଶାର ୫୦ ବର୍ଷର କୃଷି ପରିସଂଖ୍ୟାନ’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର