ଚତୁର୍ଥ ଓ ଚତୁର୍ଦ୍ଦଶ କମିସନ ସୁପାରିସକୁ ଫୁ
ଶୀତଳ ଭଣ୍ଡାରରେ ହୋତା କମିଟି ସୁପାରିସ

Advertisment

ଭୁବନେଶ୍ୱର : ଦିନକୁ ଦିନ ବଢୁଛି ରାଜ୍ୟ ବଜେଟ୍‌ ଆକାର। ପୂର୍ବବର୍ଷ ତୁଳନାରେ ବଜେଟ୍‌ ଅଭିବୃଦ୍ଧି ସଂକ୍ରାନ୍ତରେ ସୂଚନା ଦେବା ବେଳେ ଏ ନେଇ ଗଦ୍‌ ଗଦ୍‌ ହୋଇପଡୁଛନ୍ତି ଅର୍ଥମନ୍ତ୍ରୀ। ହେଲେ ବଜେଟ୍‌ ଚେହେରା ବଢିବା ସହିତ ରାଜ୍ୟର ନିଜସ୍ୱ ଆୟ ବଢୁଛି କି? ଏଭଳି ଏକ ପ୍ରଶ୍ନ ଏବେ ଅର୍ଥନୀତିଜ୍ଞଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କଲାଣି। ବଜେଟ୍‌କୁ ବିଶ୍ଳେଷଣ କଲେ, ଏଥିରୁ ସଙ୍କେତ ମିଳୁଛି ଯେ ରାଜ୍ୟ ସରକାର ନିଜର ସମ୍ବଳ ବୃଦ୍ଧି କରିବାରେ ପଛରେ ପଡ଼ିଛନ୍ତି। ଏମିତିକି ଗତ ୫ ବର୍ଷ ହେଲା ରାଜ୍ୟର ମୋଟ ରାଜସ୍ୱରେ ରାଜ୍ୟର ନିଜସ୍ୱ ସମ୍ବଳ ଭାଗ ହାରାହାରି ୧୦% କମିଗଲାଣି।

ଆହୁରି ସାଂଘାତିକ କଥା ହେଉଛି, ସମ୍ବଳ ବୃଦ୍ଧି ଲାଗି ସରକାର ଠୋସ୍‌ ପଦକ୍ଷେପ ନେବା ଦିଗରେ ମଧ୍ୟ ଆଦୌ ଆନ୍ତରିକତା ପ୍ରଦର୍ଶନ କରିବା ଭଳି ମନେ ହେଉନାହିଁ। ଗୋଟିଏ ପଟେ ରାଜ୍ୟର ସମ୍ବଳ ବୃଦ୍ଧି ପାଇଁ ସରକାର ଅବସରପ୍ରାପ୍ତ ଆଇଏଏସ ଅଫିସର ସଞ୍ଜୀବ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା କମିଟିର ରିପୋର୍ଟକୁ ଶୀତଳଭଣ୍ଡାରରେ ପକାଇ ଦେଇଛନ୍ତି। ଅନ୍ୟପଟରେ ସ୍ଥାୟୀ ଆୟ ଦିଗରେ ଉଦ୍ୟମ ବି ନାହିଁ। ଚତୁର୍ଥ ରାଜ୍ୟ ଏବଂ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ସିଧା ସିଧା କହିଥିଲେ, ମ୍ୟୁନିସପାଲିଟି, ବିଜ୍ଞାପିତ ପରିଷଦ ଅଞ୍ଚଳ ଏବଂ ପଞ୍ଚାୟତ ଗୁଡ଼ିକର ରାଜସ୍ୱ ବୃଦ୍ଧି କରାଯିବା ଦରକାର। ଏଥିପାଇଁ ଆବଶ୍ୟକ ସୁପାରିସ କରିଥିଲେ ଯେ ଯେଉଁ ପଞ୍ଚାୟତ ଭଲ ପ୍ରଦର୍ଶନ କରିବେ, ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉ। ସରକାର ଏହାକୁ ଗ୍ରହଣ ବି କଲେ। ମାତ୍ର ଆଜି ଦିନର ଚିତ୍ର ହେଉଛି, ରାଜ୍ୟର ୯୦% ପଞ୍ଚାୟତ ବା ପୌରସଂସ୍ଥା ନିଜସ୍ୱ ସମ୍ବଳ ସୃଷ୍ଟି ହିଁ କରି ପାରୁନାହାନ୍ତି। ପୋଖରୀ, ଫଳ ବଗିଚା, ହାଟ, ରାସ୍ୱାପାର୍ଶ୍ୱ ଆଲୋକୀକରଣ କରି ସେମାନଙ୍କୁ ସମ୍ବଳ ଯୋଗାଡ଼ କରିବାର ସୁବିଧା ଦିଆଯାଇଥିଲେ ମଧ୍ୟ ସେମାନେ ଏ ନେଇ ସର୍ବନିମ୍ନ ଧ୍ୟାନ ଦେଉନାହାନ୍ତି। ପ୍ରତିମାସରେ ମୁଖ୍ୟ ସଚିବ ସଚିବସ୍ତରୀୟ ବୈଠକରେ ଆୟ ଓ ବ୍ୟୟ ସଂପର୍କରେ ତନାଘନା କରୁଛନ୍ତି, ମାତ୍ର ଏ ଦିଗରେ ସେଭଳି ଆଖିଦୃଷ୍ଟିଆ ଚାପ ସଂପୃକ୍ତ ବିଭାଗମାନଙ୍କ ଉପରେ ସୃଷ୍ଟି କରିପାରିନାହାନ୍ତି। ଓଡ଼ିଶା ଭଳି ସମାନ ସ୍ଥିତିରେ ଥିବା ରାଜ୍ୟ ଗୁଡ଼ିକ ମଧ୍ୟରୁ ଅନେକଙ୍କର ନିଜସ୍ୱ ସମ୍ବଳ ବହୁ ଅଧିକ ଥିଲା ବେଳେ ଏ କ୍ଷେତ୍ରରେ ଓ଼ଡ଼ିଶା କାହିଁକି ପଛରେ ପଡିବ?

ଉଲ୍ଲେଖଯୋଗ୍ୟ, ନିକଟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍‌ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଏଥିରେ ରାଜ୍ୟର ମୋଟ ରାଜସ୍ୱ ୧ ଲକ୍ଷ ୨ ଶହ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଟିକସ ରାଜସ୍ୱ ପରିମାଣ ୬୫ ହଜାର୧୩୫ କୋଟି ୯୩ ଲକ୍ଷ ଟଙ୍କା ଦର୍ଶାଯାଇଥିବାବେଳେ, କେନ୍ଦ୍ରଠାରୁ ରାଜ୍ୟର ଟିକସ ଅଂଶ ୩୬ ହଜାର ୫୮୫ କୋଟି ୯୩ ଲକ୍ଷ ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ସେହିଭଳି ମୋଟ ଟିକସ ରାଜସ୍ୱରେ ରାଜ୍ୟର ନିଜସ୍ୱ ଟିକସ ଅଂଶ ୨୮ ହଜାର ୫୫୦ କୋଟି ଟଙ୍କା ରହିଛି। ଅଣ ଟିକସ ରାଜସ୍ୱ ପରିମାଣ ୩୫ ହଜାର ୬୪ କୋଟି ୭ଲକ୍ଷ ଟଙ୍କା ହେବ ବୋଲି ଅର୍ଥ ବିଭାଗ ସୂଚାଇଛି, ଯେଉଁଥିରୁ କି କେନ୍ଦ୍ରୀୟ ସହାୟତା ବାବଦ ରାଶି ୨୪ ହଜାର ୭୬୪ କୋଟି ୭ଲକ୍ଷ ଟଙ୍କା। ଅର୍ଥାତ୍‌ ରାଜ୍ୟର ନିଜସ୍ୱ ଅଣ ଟିକସ ରାଜସ୍ୱ ୧୦ ହଜାର ୩୦୦ କୋଟି ଟଙ୍କାରେ ରହିଛି। ଏହିପରି ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ (୨୮ ହଜାର ୫୫୦କୋଟି) ଓ ଅଣଟିକସ ରାଜସ୍ୱ(୧୦ ହଜାର ୩୦୦ କୋଟି)କୁ ମିଶାଇଲେ ରାଜ୍ୟର ମୋଟ ନିଜସ୍ୱ ରାଜସ୍ୱ ୩୮ ହଜାର ୮୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅତଏବ ମୋଟ ବଜେଟ୍‌ରେ ରାଜ୍ୟର ନିଜସ୍ୱ ରାଜସ୍ୱ ସମ୍ବଳର ଯୋଗଦାନ ୩୮.୭୭% ରହୁଛି।

ଗତବର୍ଷମାନଙ୍କର ପରିସଂଖ୍ୟାକୁ ବିଶ୍ଳେଷଣ କଲେ, ଜଳ ଜଳ ହୋଇ ଦିଶୁଛି ଯେ ପରିମାଣ ଦୃଷ୍ଟିରୁ ବର୍ଷକୁ ବର୍ଷ ରାଜ୍ୟର ମୋଟ ରାଜସ୍ୱ ସହିତ ନିଜସ୍ୱ ଟିକସ ଏବଂ ଅଣ ଟିକସ ରାଜସ୍ୱ ବୃଦ୍ଧି ପାଉଛି। କିନ୍ତୁ ମୋଟ ରାଜସ୍ୱରେ ନିଜସ୍ୱ ଟିକସ ଓ ଅଣ ଟିକସ ରାଜସ୍ୱ ଅଂଶ ସାଂଘାତିକ ଭାବେ କମିବାରେ ଲାଗିଛି। ଅର୍ଥାତ୍‌ ନିଜର ସମ୍ବଳ ଉଦ୍‌ବେଗଜନକ ଭାବେ ହ୍ରାସ ପାଇବା ଆରମ୍ଭ କଲାଣି।

୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୫୬ ହଜାର ୯୯୭ କୋଟି ୮୮ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଥିଲେ। ଏଥିରେ ରାଜ୍ୟର ନିଜସ୍ୱ ଟିକସ ଏବଂ ଅଣ ଟିକସ ରାଜସ୍ୱ ମିଶି ୨୭ ହଜାର ୮୯୯ କୋଟି ୯ଲକ୍ଷ ଟଙ୍କା ରହିଥିଲା। ଅର୍ଥାତ୍‌ ରାଜ୍ୟର ମୋଟ ରାଜସ୍ୱରେ ନିଜସ୍ୱ ସମ୍ବଳର ଯୋଗଦାନ ୪୮.୯୪% ରହିଥିଲା। ସେହିଭଳି ୨୦୧୫-୧୬ରେ ରାଜ୍ୟର ମୋଟ ରାଜସ୍ୱରେ ନିଜସ୍ୱ ଟିକସ ଓ ଅଣ ଟିକସ ଅଂଶ ୪୫.୩୧%କୁ ଖସି ଆସିଥିବାବେଳେ ୨୦୧୬-୧୭ରେ ଏହା ୪୧.୫୮%, ୨୦୧୭-୧୮ରେ ୩୯.୬୦% ଏବଂ ୨୦୧୮-୧୯ରେ ୩୮.୭୭% ରହିଛି।

ଅର୍ଥନୀତିଜ୍ଞମାନଙ୍କର କହିବା କଥା, ରାଜ୍ୟ ସରକାର ଯଦି ଏବେଠାରୁ ଏ ନେଇ ସତର୍କ ନହେବେ ତା’ହେଲେ ଆଗାମୀ ଦିନରେ ରାଜ୍ୟର ଆର୍ଥିକ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ଯଦିଓ ଚତୁର୍ଦ୍ଦଶ ଅର୍ଥ ଆୟୋଗ ସୁପାରିସ କାର୍ଯ୍ୟକାରୀ ହେବା ପରେ ରାଜ୍ୟ ଗୁଡ଼ିକ କେନ୍ଦ୍ରଠାରୁ ଅଧିକ ସମ୍ବଳ ପାଉଛନ୍ତି କିନ୍ତୁ ନିଜସ୍ୱ ସମ୍ବଳ ବଢ଼ାଇବା ଯଥେଷ୍ଟ ଗୁରୁତ୍ୱ ରହିଛି।

ସୂଚନାଯୋଗ୍ୟ, ନିଜସ୍ୱ ସମ୍ବଳ ବୃଦ୍ଧି ନେଇ ରାଜ୍ୟ ସରକାର ଏକଦା ସଞ୍ଜୀବ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟିର ସୁପାରିସକୁ ବିଭିନ୍ନ ଆଳ ଦେଖାଇ ଶୀତଳ ଭଣ୍ଡାରକୁ ଠେଲି ଦିଆଯାଇଛି। ସେ ସମୟରେ ଆକଳନ କରାଯାଇଥିଲା, ସୁପାରିସ କାର୍ଯ୍ୟକାରୀ କରାଗଲେ, ରାଜ୍ୟର ସମ୍ବଳ ବର୍ଷକୁ ୨୦୦୦ କୋଟି ଲେଖାଏଁ ବଢ଼ିବ।

ସିଓ୍ଵାଇଏସ୍‌ଡିର ଓଡ଼ିଶା ବଜେଟ୍‌ ଏବଂ ଉତ୍ତରଦାୟିତ୍ୱ କେନ୍ଦ୍ର(ଓବିଏସି)ର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ବସନ୍ତ କୁମାର ନାୟକ କହିଛନ୍ତି, ପଞ୍ଚାୟତ ଗୁଡ଼ିକୁ ସ୍ୱାବଲମ୍ବୀ କରାନଗଲେ ସରକାର କେତେଦିନ ସେମାନଙ୍କୁ ଅର୍ଥ ଦେଇ ପୋଷିବେ? ସମ୍ଭକାର ଡ. ପ୍ରଭାସ ମିଶ୍ରଙ୍କ କହିବା କଥା ହେଉଛି, ସରକାର ନିଜସ୍ୱ ସମ୍ବଳ ବୃଦ୍ଧି ପାଇଁ ହୋତା କମିଟି ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉଚିତ। ଏଥିସହିତ ପୁଞ୍ଜି ବ୍ୟୟ ଆକାରରେ ସରକାର ଯେତିକି ନିବେଶ କରୁଛନ୍ତି ତାହାର ରିଟର୍ଣ୍ଣ ବା ରିଟର୍ଣ୍ଣ ଅନ୍‌ ଇନ୍‌ଭେଷ୍ଟମେଣ୍ଟ(ଆରଓଆଇ)କୁ ବିଶ୍ଳେଷଣ କରିବା ଆବଶ୍ୟକ।