ଭୁବନେଶ୍ୱର: ଆଜି ଲୋକସେବା ଭବନ ସଭାକକ୍ଷରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ପଦକ ପ୍ରଦାନ କରିଛନ୍ତି। ରାଜ୍ୟ ପୁଲିସ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି।

Advertisment

୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଓ ୧୦ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି। ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ ୧୫ଜଣଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୨୦୨୦ ସ୍ୱାଧୀନତା ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି। ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୨ଜଣ ଅଗ୍ନିଶମ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଥିବା ବେଳେ ୪ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ଗୃହରକ୍ଷୀ ସେବା ନିମନ୍ତେ ଜଣଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ପଦକ ଏବଂ ଜଣଙ୍କୁ ରାଷ୍ଟ୍ରପତି ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ସେହିପରି ବେସାମରିକ କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।

୨୦୨୦ ସ୍ୱାଧୀନତା ଦିବସ ପାଇଁ ଅଗ୍ନିଶମ ସେବା କ୍ଷେତ୍ରରେ ସାହସିକତା ପାଇଁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯାଇଥିବା ବେଳେ ୨ ଜଣଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୬ ଜଣଙ୍କୁ ପ୍ରଶଂସନୀୟ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି। ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବାରେ ପ୍ରଶଂସନୀୟ ସେବା ନିମନ୍ତେ ୨୦୨୦ ସ୍ୱାଧୀନତା ଦିବସ ପାଇଁ ୪ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଜଣଙ୍କୁ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ଜଣ କାରାଗାର ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ଜଣ କାରାଗାର ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ୨୦୨୦ ସ୍ୱାଧୀନତା ଦିବସ ଅବସରରେ ୨ଜଣ କାରାଗାର ଅଧିକାରୀଙ୍କୁ ରାଷ୍ଟ୍ରପତି ବିଶିଷ୍ଟ ସେବା ପଦକ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ୨ଜଣଙ୍କୁ ରାଷ୍ଟ୍ରପତି ସଂସ୍କାର ସେବା ପଦକ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି।
ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଡିଜିପି ସୁନୀଲ କୁମାର ବଂଶଲ, ଡିଜି ଅଗ୍ନିଶମ ଡ. ସୁଧାଂଶୁ ଷଡ଼ଙ୍ଗୀ, ଡିଜି କାରାଗାର ଓ ସଂସ୍କାର ସେବା ମନୋଜ କୁମାର ଛାବ୍ରାଙ୍କ ସମେତ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।