କୋଲ ବ୍ଲକ ନିଲାମ ପ୍ରକିୟାକୁ ୩ ମାସ ସ୍ଥଗିତ ରଖିବା ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଖଣି ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ଇସ୍ପାତ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କେନ୍ଦ୍ର ଖଣି, ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ୪୧ଟି କୋଲ ବ୍ଲକ ମଧ୍ୟରୁ ଓଡ଼ିଶାରେ ୯ଟି ରହିଛି । ଏସବୁରେ ମୋଟ ୧୦ ହଜାର ୭୫୦ ନିୟୁତ ଟନ କୋଇଲା ମହଜୁଦ ରହିଛି । କେନ୍ଦ୍ରର ସଂଶୋଧିତ ନିର୍ଘଣ୍ଟ ଅନୁଯାୟୀ ୨୦୨୦ ସେପ୍ଟେମ୍ବର ୨୯ରେ ବିଡ ଦାଖଲର ଶେଷ ତାରିଖ ରହିଥିବା ବେଳେ ୨୦୨୦ ଅକ୍ଟୋବର ୧୯ରୁ ନଭେମ୍ବର ୯ ତାରିଖ ମଧ୍ୟରେ ଇ-ନିଲାମ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଥିଲା ।

ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଖଣିଜ କାରବାର ବେଶ ପ୍ରଭାବିତ ହୋଇଛି । ଏଥି ସହିତ ବିଗତ ବର୍ଷ ତୁଳନାରେ କୋଇଲାର ବଜାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି । ଯଦି ଏହି ପରିସ୍ଥିତିରେ ନିଲାମ କରାଯାଏ, ତେବେ ସର୍ବାଧିକ ନିଲାମ ଡାକ ଯଥେଷ୍ଟ କମ ହେବାର ଆଶଙ୍କା ରହିଛି । ଏହି ଲିଜ ଅବଧି ୩୦ ବର୍ଷ ରହିଥିବାରୁ ରାଜ୍ୟର କୋଇଲା ରାଜସ୍ୱ ଉପରେ ଏହାର ଯଥେଷ୍ଟ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରଛନ୍ତି ।

ଏଥି ସହିତ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ନିଲାମ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ଘୁଂଚାଇବା ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି । ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଆବଶ୍ୟକ ନିର୍ଦ୍ଦେଶ ତୁରନ୍ତ ଦେବାକୁ ଲେଖିଅଛନ୍ତି । କୋଭିଡ ପରିସ୍ଥିିତିରେ ଉନ୍ନତି ଆସିଲେ ଓ ଉପଯୁକ୍ତ ବଜାର ଅନୁକୁଳ ପରିସ୍ଥିତି ସୁଧୁରିଲେ ନିଲାମ ପ୍ରକିୟାକୁ ଆରମ୍ଭ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର