ଭୁବନେଶ୍ବର : ରାଜ୍ୟ ସଂଗ୍ରହାଳୟରେ ଆଜିଠାରୁ ଭର୍ଚୁଆଲ୍-ୱାକ୍ ଆରମ୍ଭ ହୋଇଛି। ବିଶ୍ବର ଯେକୌଣସି ସ୍ଥାନରେ ଥିଲେ ବି ଗୋଟିଏ କ୍ଲିକ୍ରେ ଓଡ଼ିଶାର ପ୍ରାଚୀନ ପରମ୍ପରାର ମୂକସାକ୍ଷୀ ‘ରାଜ୍ୟ ସଂଗ୍ରହାଳୟ’କୁ ପର୍ଯ୍ୟଟକମାନେ ପରିଦର୍ଶନ କରିପାରିବେ। ଆଜି ‘ରାଜ୍ୟ ସଂଗ୍ରହାଳୟ’ର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଭର୍ଚୁଆଲ୍-ମ୍ୟୁଜିୟମ୍ର ଉଦ୍ଘାଟନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଭର୍ଚୁଆଲ୍ ୱାକ୍ରେ ସଂଗ୍ରହାଳୟର ପ୍ରତ୍ନତତ୍ତ୍ବ ଗ୍ୟାଲେରିର ପରିଦର୍ଶନ କରିହେବ। ଧୀରେଧୀରେ ସଂଗ୍ରହାଳୟର ଅବଶିଷ୍ଟ ସମସ୍ତ ବିଭାଗକୁ ଏଥିରେ ସାମିଲ କରାଯିବ। ସଂଗ୍ରହାଳୟ ପରିସରରେ ଦୁଇଟି ଫାଉଣ୍ଟେନ୍ର ଉଦ୍ଘାଟନ କରାଯାଇଛି। ସଂଗ୍ରହାଳୟର କୋଠା ଓ ଉଦ୍ୟାନକୁ ଆଧୁନିକ ଆଲୋକୀକରଣରେ ସୁସଜ୍ଜିତ କରାଯାଇଛି। ବର୍ଷସାରା ଆଲୋକମାଳାରେ ସଂଗ୍ରହାଳୟ ଝଲସିବ ଓ ବିଭିନ୍ନ ଉତ୍ସବ, ପର୍ବପର୍ବାଣୀ ଦିନରେ ଆଲୋକମାଳାର ରଙ୍ଗ ବଦଳାଯିବ। ଫଳରେ ଏହା ରାଜ୍ୟର ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏଥିରେ ପ୍ରଥମ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ଗଚ୍ଛିତ ଥିବା ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ସ୍ଥାନ ପାଇଛି। ବିଭିନ୍ନ ରାଜବଂଶମାନଙ୍କ ଦ୍ବାରା ମୁଦ୍ରିତ ଓ ପ୍ରଚଳିତ ମୁଦ୍ରା ଯଥା, କୁଶାଣ ମୁଦ୍ରା, ଗୁପ୍ତବଂଶ ମୁଦ୍ରା, ଶରଭପୁରୀୟ ମୁଦ୍ରା, କଳଚୁରୀମୁଦ୍ରା, ଚକ୍ରକୋଟ୍ଟାର ମାଗ ବଂଶୀୟ ମୁଦ୍ରା, ଦେବଗିରିର ଯାଦବ ବଂଶୀୟ ମୁଦ୍ରା, ଗଙ୍ଗ ଫାନମସ୍, ଗଜପତି ପାଗୋଡ଼ା ଓ ମୋଗଲ ସମୟର ମୁଦ୍ରା ଆସି ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି। ଏହି ଅବସରରେ ‘ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ଜର୍ଣ୍ଣାଲ’ ଓ ‘ଇନ୍ସ୍କ୍ରିପ୍ସନ୍ ଅଫ୍ ଗଙ୍ଗାସ୍ ଅଫ୍ ଭେତକା’ ଆଦି ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି।
ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ସମୟର ଅଶୋକଙ୍କ କୀର୍ତ୍ତିସ୍ତମ୍ଭର ଭଗ୍ନାବଶେଷ ସଂଗ୍ରହାଳୟର ସମ୍ମୁଖ ଦ୍ବାରରେ ସ୍ଥାପନ କରାଯାଇଥିବାରୁ ଏହାର ଗୁରୁତ୍ବ ଗବେଷକମାନେ ହୃଦୟଙ୍ଗମ କରିପାରିବେ। ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସଂଗ୍ରହାଳୟ ଏକ ଜାତିର ଅସ୍ମିତାର ପରିଚୟ। ଏ ଦୃଷ୍ଟିରୁ ରାଜ୍ୟ ସଂଗ୍ରହାଳୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ସଂଗ୍ରହାଳୟର ସାମଗ୍ରିକ ବିକାଶ, ଏହାର ସୌନ୍ଦର୍ଯ୍ୟୀକରଣ ଆମ ସମସ୍ତଙ୍କ ଗୁରୁ ଦାୟିତ୍ବ। ପର୍ଯ୍ୟଟକ ଓ ଗବେଷକମାନଙ୍କୁ ଆକର୍ଷିତ କରିବାକୁ ଆମେ ଯତ୍ନଶୀଳ ହେବାକୁ ସେ କହିଛନ୍ତି। ଏଥିସହ ଖୁବ୍ଶୀଘ୍ର ସଂଗ୍ରହାଳୟରେ ନୂଆ ଗ୍ୟାଲେରି ନିର୍ମିତ ହେବ ବୋଲି ସେ କହିଛନ୍ତି। ପ୍ରାରମ୍ଭରେ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ‘ଓଡ଼ିଶାରେ ବୌଦ୍ଧଧର୍ମର କ୍ରମବିକାଶ ଓ ବିଲୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଔରଙ୍ଗାବାଦ ସର୍କଲର ଏ.ଏସ୍.ଆଇ. ସୁପରିନ୍ଟେଣ୍ଡିଂ ଆର୍କୋଲୋଜିଷ୍ଟ୍ ମିଲନ୍ ଚାୱଲା ଏଥିରେ ସାରଗର୍ଭକ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/m7-1.jpg)