ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ : ଗ୍ରାମୀଣ ସ୍ତରରେ ସଂଗ୍ରହାଳୟ ପ୍ରତିଷ୍ଠା ହେବ

ଭୁବନେଶ୍ବର : ଅତୀତଠୁ ଅନେକ ଦୂରରେ ଥିଲେ ହେଁ ଅତୀତ ସହ ଆମେ କେତେ ନିକଟତର ରାଜ୍ୟ ସଂଗ୍ରହାଳୟ ତାହାର ସ୍ବାକ୍ଷର ବହନ କରୁଛି। ଆମେ ଯେ ଅତୀତରୁ ଅନୁପ୍ରାଣିତ ହେଉଛେ, ତାହା ସଂଗ୍ରହାଳୟ ସୂଚାଇ ଦେଉଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ରାଜ୍ୟ ସଂଗ୍ରହାଳୟର ୬୨ତମ ପ୍ରତିଷ୍ଠା ଦିବସକୁ ଉଦ୍‌ଘାଟନ କରି ସେ କହିଲେ, ଶ୍ରୀକ୍ଷେତ୍ର ଓ କୋଣାର୍କକୁ ସରକାର ଏପରି ପ୍ରସ୍ତୁତ କରୁଛନ୍ତି ଯାହା ଦେଖି ସମଗ୍ର ବିଶ୍ବ ନତମସ୍ତକ ହେବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କହିଲେ, ଜିଲ୍ଲା ଓ ଗ୍ରାମୀଣ ସ୍ତରରେ ମଧ୍ୟ ସଂଗ୍ରହାଳୟକୁ ଚଳଚଞ୍ଚଳ କରିବାକୁ ପଦକ୍ଷେପ ନିଆଯାଇଛି। ଯେଉଁଠି ବି ଗ୍ରାମୀଣ ସ୍ତରରେ ଉତ୍‌ଖନନରୁ କିଛି ପ୍ରାଚୀନ ସ୍ମାରକୀ ମିଳୁଛି ସେଠାରେ ଯଦି କେହି ଜାଗା ଯୋଗାଇ ଦେଇ ସଂଗ୍ରହାଳୟ ସ୍ଥାପନ ପାଇଁ ସରକାରଙ୍କ ସହଯୋଗ ଲୋଡ଼ିବେ ତାଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ କହିଲେ, ସରକାର ମାତ୍ର ୨ଶହରୁ ୩ଶହ ସ୍ମାରକୀ ଓ ଐତିହ୍ୟ ସଂରକ୍ଷଣ କରିଥିଲେ ହେଁ ରାଜ୍ୟର କୋଣ ଅନୁକୋଣରେ ଅନେକ ସ୍ମାରକୀ ଏବେ ବି ଅବହେଳିତ ହୋଇ ରହିଛି। ତେଣୁ ଏସବୁର ଯତ୍ନ ନେଇ କିଭଳି ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ କରାଯିବ ସେ ‌ଦିଗରେ ପ୍ରଚେଷ୍ଟା କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳ‌ୀରେ ରାଜ୍ୟ ସଂଗ୍ରହାଳୟ ସମ୍ବନ୍ଧୀୟ ବ୍ରୋଚର ବଣ୍ଟାଯିବ। ଫଳରେ ତାହା ଦେଖି ଅନେକ ପର୍ଯ୍ୟଟକ ସଂଗ୍ରହାଳୟକୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ସେ କହିଛନ୍ତି।

ସଂଗ୍ରହାଳୟ ପରିସରରେ ଏକ ହର୍ବାଲ କର୍ଣ୍ଣର ସମେତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକ ଅବସରରେ ‘ପୋଷ୍ଟାଲ ହେରିଟେଜ୍‌ ଗ୍ୟାଲେରି’, ବାଣପୁରର ଅଚୁତରାଜପୁରରୁ ମିଳିଥିବା ବୌଦ୍ଧ ବ୍ରୋଞ୍ଜ ମୂର୍ତିକୁ ନେଇ ପ୍ରତିଷ୍ଠିତ ବ୍ରୋଞ୍ଜ ଗ୍ୟାଲେରିକୁ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ଣ୍ଣାଲ୍‌ର ନୂତନ ସଂଖ୍ୟା, ଐତିହାସିକ ଡ. ସତ୍ୟନାରାୟଣ ରାଜଗୁରୁଙ୍କ କୃତିତ୍ବ ଆଧାରିତ ପୁସ୍ତକ, ଡାକ ବିଭାଗ, ଓଡ଼ିଶା ସର୍କଲ ଦ୍ବାରା ନୂତନ ଲଫାପା, ମଥୁରାନନ୍ଦ ଦାସଙ୍କ ସମ୍ପାଦିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବକ୍ତୃତାମାଳା ସଂକଳନ ଉନ୍ମୋଚିତ ହୋଇଥିଲା। ଉତ୍କଳରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ରଙ୍କ ଏକ ତୈଳଚିତ୍ର ମଧ୍ୟ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାଡାକପାଳ ସନ୍ତୋଷ କମିଲା, ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ଓ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର