ଭୁବନେଶ୍ୱର: ରାଜ୍ୟ ସଂଗ୍ରହାଳୟ ହେଉଛି ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଇତିହାସର ମୂକସାକ୍ଷୀ। ଏହା ଆମ ଅସ୍ମିତାର ଅନ୍ୟ ଏକ ବଡ଼ ପରିଚୟ। ଓଡ଼ିଶା ଇତିହାସ ଓ ଭୂଗୋଳର ବଳିଷ୍ଠ ସଂରକ୍ଷିତ ସମ୍ପତ୍ତି। ଏହାର ସାମଗ୍ରିକ ବିକାଶ ଓ ଉନ୍ନୟନ ପାଇଁ ସରକାର ବଦ୍ଧପରିକର। ଏହା ଗବେଷକମାନଙ୍କ ପାଇଁ ଉପଯୋଗୀ ହେବ। ସଂଗ୍ରହାଳୟକୁ ବିଶ୍ବସ୍ତରୀୟ କରିବାକୁ ପ୍ରୟାସ କରାଯିବ। ପ୍ରବାସୀ ଭାରତୀୟ ଦିବସ ପାଳନର ଠିକ୍ ଦିନକ ପୂର୍ବରୁ ଆଜି ରାଜ୍ୟ ସଂଗ୍ରହାଳୟରେ ୯ଟି ନୂତନ ଗ୍ୟାଲେରିକୁ ଉଦ୍ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାଜ୍ୟ ସଂଗ୍ରହାଳୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କଳାକାରମାନେ ନାଚି, ଗାଇ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯ଟି ନୂଆ ଗ୍ୟାଲେରି ଯଥା ପ୍ରାଗ-ଐତିହାସିକ, ରାଜକୀୟ ଓ ହାତୀଦାନ୍ତ, ପ୍ରାଣୀ ବିଜ୍ଞାନ, ଖଣି ଓ ଭୂ-ତତ୍ତ୍ୱ, କଣ୍ଢେଇ, ମୁଖା, ଜନଜାତି, ହସ୍ତତନ୍ତ ଗ୍ୟାଲେରି ଏବଂ ପରିଚୟ କକ୍ଷକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ନୂଆ ଗ୍ୟାଲେରି ସହ ସଂଗ୍ରହାଳୟର ଅନ୍ୟ ଗ୍ୟାଲେରି ଓ ସାଜସଜ୍ଜାକୁ ବୁଲି ଦେଖିଥିଲେ। ସଂଗ୍ରହାଳୟରେ ନବ-ନିର୍ମିତ ତାଳଚିତ୍ରରେ ରାମାୟଣ ପ୍ରଦାର୍ଶନୀ କକ୍ଷ, ଡିଜିଟାଲ ମାଧ୍ୟମରେ ‘ବିକ୍ରମ ବେତାଳ’ କହୁଥିବା ବିଭିନ୍ନ ଐତିହାସିକ ତଥ୍ୟ ଏବଂ ଭୂତଳ କଳା ସାମଗ୍ରୀ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଥିଲେ।
ରାଜ୍ୟ ସଂଗ୍ରହାଳୟରେ ୯ଟି ନୂଆ ଗ୍ୟାଲେରି ଉଦ୍ଘାଟିତ
କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର, ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ୪ଟି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏଥିସହ ବିଶ୍ବ ଓଡ଼ିଆ ପରିବାର ସଦସ୍ୟମାନେ ପ୍ରବାସୀମାନଙ୍କ ପାଇଁ ମଗଜ ଲଡ଼ୁ, କେନ୍ଦ୍ରାପଡ଼ା ରସାବଳୀ, ପୁରୀର ଖଜା, ପାହାଳର ରସଗୋଲା, ନିମାପଡ଼ାର ଛେନା ଝିଲ୍ଲୀ, ଛେନା ପୋଡ଼ ପ୍ରମୁଖ ବିନା ମୂଲ୍ୟରେ ପରଷି ଦେଇଥିଲେ।
ସଂଗ୍ରହାଳୟରେ ଉଦ୍ଘାଟିତ ହୋଇଥିବା ଗ୍ୟାଲେରିରେ ଓଡ଼ିଶାର ଇତିହାସ, ଭୂଗୋଳ, ଖଣିଜ ସମ୍ପଦ, କଳା, ସଂସ୍କୃତି, ସ୍ଥାପତ୍ୟ, ଐତିହ୍ୟ ଓ ବିବିଧତା ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରିରେ ଓଡ଼ିଶାର ଖଣିଜ ସମ୍ପଦ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ପ୍ରାଣୀ ବିଜ୍ଞାନ ଗ୍ୟାଲେରିରେ ଓଡ଼ିଶାର ବନ ସମ୍ପଦ, ହ୍ରଦ, ପଶୁ, ପକ୍ଷୀ ଆଦିକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ସଂଗ୍ରହାଳୟକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ପ୍ରାଣୀ ବିଜ୍ଞାନ ଗ୍ୟାଲେରିରେ ସ୍ଥାନିତ ହୋଇଥିବା କ୍ୟୁ-ଆର କୋଡ଼କୁ ମଧ୍ୟ ସ୍କାନ କରି ବିଭିନ୍ନ ତଥ୍ୟ ଜାଣିପାରିବେ। ସେହିପରି ଭାବେ କଣ୍ଢେଇ ଗ୍ୟାଲେରିରେ କାଠି କଣ୍ଢେଇ, ସଖୀ କଣ୍ଢେଇ, ସୂତା କଣ୍ଢେଇ, ଛାୟା କଣ୍ଢେଇ ଆଦିକୁ ପ୍ରଦର୍ଶିତ କରାଯାଇଥିବା ବେଳେ ଜନଜାତି ଗ୍ୟାଲେରିରେ ଜନଜାତି ସମ୍ପ୍ରଦାୟର ଜୀବନ ଶୈଳୀ, ପର୍ବପର୍ବାଣୀ ଓ ସମୃଦ୍ଧ ଇତିହାସ ସମ୍ବନ୍ଧରେ ବିବରଣୀ ପ୍ରଦାନ କରାଯାଇଛି। ହସ୍ତତନ୍ତ ଗ୍ୟାଲେରିରେ ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପକୁ ଅତି ନିଖୁଣ ଓ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ତାଳଚିତ୍ରରେ ରାମାୟଣ ପ୍ରଦର୍ଶନୀ କକ୍ଷରେ ଆମ ସଂସ୍କୃତି ଜୀବନ୍ତ ହୋଇ ଉଠିଥିବା ବେଳେ ଭୂତଳ କଳା ସାମଗ୍ରୀ ପ୍ରଦର୍ଶନୀରେ ବିଭିନ୍ନ କଳାକୃତିକୁ ପ୍ରଦର୍ଶିତ କରାଯାଇଛି।