ରାଜ୍ୟରେ ଜଳସେଚନର ସ୍ଥିତି ଚିନ୍ତାଜନକ

ଖରିଫରେ ହେଉଛି ୪୫.୬% ଜଳସେଚନ, ରବିରେ ୨୧.୪%

ବର୍ଷା କମିଲେ ଅକାମୀ ହେଉଛି ପ୍ରକଳ୍ପ
ଖରିଫରେ ଶତ ପ୍ରତିଶତ ଜଳସେଚନ ପାଇଁ ଚାଷୀ ସଂଗଠନଙ୍କ ଦାବି

ଭୁବନେଶ୍ବର : ରାଜ୍ୟରେ ଖରିଫ୍‌ ଋତୁରେ ଜଳସେଚନ ସ୍ଥିତି ୪୫.୬ ପ୍ରତିଶତ, ରବି ଋତୁରେ ତା’ଠାରୁ ଆହୁରି କମ୍ ୨୧.୪ ପ୍ରତିଶତ। ତେଣୁ ଏବେ ନିଅଣ୍ଟିଆ ବର୍ଷା ସ୍ଥିତିରେ ୧ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଲାଣି। ବିପଦ ଘେରରେ ଅଛି ଆହୁରି ଲକ୍ଷାଧିକ ହେକ୍ଟର। ଅର୍ଥାତ ମୌସୁମୀ ଉପରେ ହିଁ ଜଳସେଚନ ବ୍ୟବସ୍ଥା ନିର୍ଭରଶୀଳ। ତେଣୁ ଯେଉଁ ବର୍ଷ ଆବଶ୍ୟକତାଠାରୁ ସାମାନ୍ୟ ମଧ୍ୟ କମ୍‌ ବର୍ଷା ହେଉଛି, ସେଠି ଫସଲ ନଷ୍ଟ ହୋଇଯାଉଛି। ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ସେଥିରେ ପୁଣି ବୃହତ ଜଳ ପ୍ରକଳ୍ପଠାରୁ ଆରମ୍ଭ କରି କ୍ଷୁଦ୍ର ଜଳସେଚନ, ଉଠାଜଳସେଚନ ପର୍ଯ୍ୟନ୍ତ ଜଳସେଚନର ଯେତିକି କ୍ଷମତା ରହିଥିବା ଦେଖାଯାଉଛି; ପ୍ରକୃତ ପକ୍ଷରେ ସେତିକି ମଧ୍ୟ ଜମି ଜଳସେଚିତ ହୋଇ ପାରୁନଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ନିଅଣ୍ଟିଆ ବର୍ଷା ହେଲେ ଚାଷୀ କମ୍‌ ପାଣିର ଆବଶ୍ୟକତା ଥିବା ବିହନ ଚାଷ କରିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଅନ୍ୟଦିଗରେ ଚାଷୀ ସଙ୍ଗଠନଗୁଡ଼ିକ ଖରିଫ୍‌ରେ ଶତପ୍ରତିଶତ ଜଳସେଚନ ପାଇଁ ଦାବି କରୁଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଚଳିତ ଖରିଫରେ ୬୧ ଲକ୍ଷ ୯୬ ହଜାର ୨୨୦ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସରକାରଙ୍କ ପକ୍ଷରୁ ଜାରି ଆର୍ଥିକ ସର୍ଭେର ତଥ୍ୟ ଅନୁସାରେ, ରାଜ୍ୟରେ ଖରିଫରେ ୪୩ ଲକ୍ଷ ୭ ହଜାର ୩୩୮ ହେକ୍ଟର, ରବିରେ ୧୯ ଲକ୍ଷ ୫୦ ହଜାର ୬୧୧ ହେକ୍ଟର ଜଳସେଚିତ ହୁଏ। ଖରିଫରେ ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଜରିଆରେ ୧୪ ଲକ୍ଷ ୬୫ ହଜାର, ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ୧ ଲକ୍ଷ ୨୪ ହଜାର ୭୧୨ ହେକ୍ଟର, କ୍ଷୁଦ୍ର ଉଠାଜଳସେଚନ ଜରିଆରେ ୭ ଲକ୍ଷ ୭୬ ହଜାର ହେକ୍ଟର, ମାଇନର ଫ୍ଲୋରେ ୭ ଲକ୍ଷ ୩୦ ହଜାର ହେକ୍ଟର, ଭୂତଳ ନଳକୂଅ ଜରିଆରେ ୪ ଲକ୍ଷ ୪୬ ହଜାର, ଜଳନିଧି ସମେତ ଅନ୍ୟାନ୍ୟ ଯୋଜନାରେ ୭ ଲକ୍ଷ ହେକ୍ଟର ଜମି ଜଳସେଚିତ ହେଉଛି। ସେହିପରି ରବି ଋତୁରେ ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଜରିଆରେ ୬ ଲକ୍ଷ ୭୨ ହଜାର ହେକ୍ଟର, କ୍ଷୁଦ୍ର ଉଠାଜଳସେଚନ ଜରିଆରେ ୪ ଲକ୍ଷ ୪୧ ହଜାର ହେକ୍ଟର, ମାଇନର ଫ୍ଲୋରେ ୯୨ ହଜାର ହେକ୍ଟର, ଭୂତଳ ନଳକୂଅ ଜରିଆରେ ୧ ଲକ୍ଷ ୫୧ ହଜାର ହେକ୍ଟର, ଜଳନିଧି ସମେତ ଅନ୍ୟାନ୍ୟ ଯୋଜନାରେ ୫୯ ହଜାର ହେକ୍ଟର ଜମି ଜଳସେଚିତ ହେଉଛି। ଯେଉଁ ବର୍ଷ ବର୍ଷା ହ୍ରାସ ପାଉଛି ପ୍ରକଳ୍ପଗୁଡ଼ିକ ମଧ୍ୟ ଅକାମୀ ହୋଇ ପଡ଼ୁଛି।

ଚଳିତ ବର୍ଷ ଅକାମୀ ପ୍ରକଳ୍ପ ବିଶେଷକରି ଉଠାଜଳସେଚନର ବିକଳ ଚିତ୍ର ଜଳଜଳ ଦେଖାଯାଇଛି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷଜମିକୁ ପାଣି ମାଡ଼ି ପାରୁନଥିବା ନେଇ ଚାଷୀମାନେ ଅଭିଯୋଗ କରୁଛନ୍ତି। ଖରିଫ ଏବଂ ରବିରେ ଜଳସେଚନର ବ୍ୟବଧାନ, କମ୍‌ ବର୍ଷା ଥିବା ବର୍ଷରେ ଏହା ସ୍ପଷ୍ଟ ଦେଖାଯାଏ। ଏହାର କାରଣ ନେଇ ସାମାଜିକ କର୍ମକର୍ତ୍ତା ବିମଳ ପାଣ୍ଡିଆ କହିଛନ୍ତି, ପ୍ରକୃତରେ ରାଜ୍ୟରେ ଯେତିକି ଚାଷ ଜମିରେ ପାଣି ମାଡ଼ିବାର କ୍ଷମତା ସୃଷ୍ଟି କରାଯାଇଛି ଏବଂ ଯେତେ ସ୍ଥାନରେ ପାଣି ମାଡ଼ୁଛି ତାହା ଭିତରେ ତାରତମ୍ୟ ରହିଛି। ହୀରାକୁଦ, ରେଙ୍ଗାଲି ଭଳି ବଡ଼ ଜଳଭଣ୍ଡାରରେ ଜଳ ଧାରଣା କ୍ଷମତା, ଜଳସ୍ତର ନେଇ ନିୟମିତ ଆକଳନ ହୁଏ, ସେହି ଅନୁଯାୟୀ ଜଳ ପରିଚାଳନା ନୀତି ପ୍ରସ୍ତୁତ ହୁଏ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ସେହିଭଳି ଆକଳନ ହୁଏ ନାହିଁ। ଏଥିଯୋଗୁଁ ଏହି ପ୍ରକଳ୍ପ ଜରିଆରେ ଯେତେ ଜଳସେଚିତ ହେଉଥିବା କୁହାଯାଏ ପ୍ରକୃତରେ ସେତିକି ପାଣି ମାଡ଼ିପାରେ କି ନାହିଁ ତାହା ସନ୍ଦେହଜନକ। ବର୍ଷା ନହେଲେ ପ୍ରକଳ୍ପରେ ପାଣି ନଥିଲେ ଜଳସେଚନ ବନ୍ଦ ହୋଇଯାଏ।

ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ନନ୍ଦ କୁମାର ମହାପାତ୍ରଙ୍କ କହିବା ଅନୁଯାୟୀ, ଆଜି ବି ରାଜ୍ୟରେ ବର୍ଷା ଉପରେ ଚାଷ ନିର୍ଭର କରିଥାଏ। ଜଳସେଚନ ପ୍ରକଳ୍ପ କେବଳ ଏକ ସପ୍ଲିମେଣ୍ଟ ବ୍ୟବସ୍ଥା। ଖରିଫରେ ଏହି ବ୍ୟବସ୍ଥା ଜରିଆରେ ଚାଷ ହୁଏ। ହୀରାକୁଦ ଜଳଭଣ୍ଡାରରେ ପାଣି ରିଜର୍ଭ ହୋଇ ରଖାଯାଇ ପାରୁଥିବାରୁ ଏଠାରେ ରବି ଚାଷ ହୋଇ ପାରୁଛି। କିମ୍ବା ବର୍ଷା ନ ହେଲେ ମଧ୍ୟ ଅସୁବିଧା ହେଉ ନାହିଁ। କିନ୍ତୁ ଅନ୍ୟ ଜଳଭଣ୍ଡାରରେ ପାଣି ରିଜର୍ଭ କରାଯାଇ ପାରୁ ନାହିଁ। ବର୍ଷା ନହେଲେ ବନ୍ଧ, ନଦୀ, କଣ୍ଟା ଶୁଖିଲା ପଡ଼ି ଜଳସେଚନ ବାଧାପ୍ରାପ୍ତ ହେଉଛି। କେନ୍ଦୁଝର, କୋରାପୁଟ ଯେଉଁଠି ଝରଣା ବା ପାଣି ଅଛି ସେଠି ରବି ଚାଷ ହୁଏ। ଗ୍ରୀଷ୍ମ ସମୟରେ ପାଣି ବାଷ୍ପୀଭୂତ ହୋଇ ଯାଉଥିବାରୁ ମଧ୍ୟ ଖରିଫ ସହିତ ରବିରେ ସମାନ ପରିମାଣରେ ଚାଷ ହୋଇ ପାରୁ ନାହିଁ। ଖରା ଦିନରେ ଭୂତଳ ଜଳ ବ୍ୟବସ୍ଥା ଉପଯୋଗୀ। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ବିଜୁଳି ଏବଂ ମେସିନ ମଧ୍ୟ କାର୍ଯ୍ୟକ୍ଷମ ହେବା ଆବଶ୍ୟକ। ପାଣି ପରିଚାଳନା ଠିକ ଭାବରେ କଲେ ମରୁଡ଼ି ସମସ୍ୟାର ସମାଧାନ ହେବ। ବର୍ତ୍ତମାନ ସମୟରେ ଅଳ୍ପ ପାଣିରେ ହେଉଥିବା ଫସଲ ଯଥା ମୁଗ, ବିରି, ତୈଳବୀଜ ସମେତ ପରିବା ଚାଷ କରିବା ଉଚିତ। ଅନେକ ପାଣି ବ୍ୟବହାର କରି ଚାଷ କରିବାର ମାନସିକତାରୁ ଦୂରେଇ ରହିବାକୁ ପଡ଼ିବ। ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଅଶୋକ ପ୍ରଧାନ କହିଛନ୍ତି, ରବିରେ ଯେତେ ଜଳସେଚନ ହେଉ ପଛେ ଖରିଫରେ ସରକାର ଶତ ପ୍ରତିଶତ ଜଳସେଚିତ କଲେ ଅତି କମ୍‌ରେ ଚାଷୀ ଆଶ୍ବସ୍ତ ହେବେ। ପଞ୍ଜାବ ସରକାର ସେହିଭଳି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ।

ସମ୍ବନ୍ଧିତ ଖବର