ସ୍କୁଲ୍‌ରେ ପାଠପଢ଼ା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରୀକରଣ

୫୦ଟି ଅନୁଷ୍ଠାନର କାମ ଶେଷ, ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ନୂଆ ଓଡ଼ିଶା ପାଇଁ ମୂଳଦୁଆ ପକାଇବ: ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ/ଶେରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରୁ ଆଜି ରାଜ୍ୟ ସରକାରଙ୍କ ମେଗା ପ୍ରକଳ୍ପ ‘ବିଦ୍ୟାଳୟ ରୂପାନ୍ତରୀକରଣ’ କାର୍ଯ୍ୟ ଆରମ୍ଭ ହୋଇଛି। ୫-ଟି ଯୋଜନାରେ ହିଞ୍ଜିଳିକାଟୁ ଓ ଶେରଗଡ଼ର ୫୦ଟି ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଉଭୟ ବ୍ଲକ୍‌ର ୧୦ଟି ସ୍ମାର୍ଟ ସ୍କୁଲ୍‌କୁ ଭିଡ଼ିଓ କନଫରେନ୍ସିଂ ଯୋଗେ ଲୋକାର୍ପିତ କରିଛନ୍ତି। ଏହାସହ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ୨୦ ଜଣ ବିଧାୟକ ଓ ମନ୍ତ୍ରୀ ଯୋଗଦେଇ ସମସ୍ତ ବିଦ୍ୟାଳୟର ଭିତ୍ତିଭୂମିକୁ ବୁଲି ଦେଖିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥି‌ଲେ, ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ସୁନ୍ଦର ଭବିଷ୍ୟତ ପାଇଁ ତା’ ଆଖିରେ ଥାଏ ଅନେକ ସ୍ବପ୍ନ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ବିଦ୍ୟାଳୟ ରୂପାନ୍ତରୀକରଣ ଆଣିଛି ଅପୂର୍ବ ସୁଯୋଗ। ଏହି ରୂପାନ୍ତରୀକରଣ ପ୍ରକ୍ରିୟା ହେଉଛି ନୂଆ ଓଡ଼ିଶାର ଭିତ୍ତି ତଥା ମୂଳଦୁଆ। ବିଦ୍ୟାଳୟରେ ପାଠ ପଢ଼ିବା ହେଉଛି ଜୀବନର ଶ୍ରେଷ୍ଠ ସମୟ। ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ଲାଗି ଏହି ରୂପାନ୍ତର କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରୀକରଣ ଅଭିଯାନ ସାରା ରାଜ୍ୟକୁ ବାଟ ଦେଖାଇଛି। ଏହି ଯୋଜନାରେ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବ। ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟ ସାରା ରାଜ୍ୟରେ ମଧ୍ୟ ସମ୍ଭବ। ଗଞ୍ଜାମରେ ଏହାର ସଫଳତାର ରହସ୍ୟ ହେଉଛି ଗୋଷ୍ଠୀର ଅଂଶଗ୍ରହଣ। ଯେକୌଣସି କାର୍ଯ୍ୟକୁ ସେମାନେ ସୁଚାରୁ ରୂପେ ସଂପାଦିତ କରିଆସୁଛନ୍ତି। ଆପଣ ଗଞ୍ଜାମରେ ଯଦି କିଛି କାମ ପାଇଁ ଏକ ଲକ୍ଷ ଟଙ୍କା ଦେବେ, ତେବେ ସେମାନେ ଆପଣଙ୍କ ଦୁଇ ଲକ୍ଷ ଟଙ୍କାର କାମ କରି ଦେଖାଇବେ। ଗୋଷ୍ଠୀ ଚେତନା ହିଁ ଗଞ୍ଜାମର ସବୁଠାରୁ ବଡ ଶକ୍ତି ଓ ସଫଳତା। ସାରା ରାଜ୍ୟରେ ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ମିଳିମିଶି କାମ କଲେ ତାହା ହିଁ ଆଣିବ ଓଡିଶାର ପ୍ରକୃତ ରୂପାନ୍ତର।

ଏହା ହେଉଛି ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍‌ ଉଦାହରଣ। ୫-ଟିର ପଞ୍ଚ ଆଧାର ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜି, ଟିମ୍‌ୱାର୍କ, ଟାଇମ୍, ଟ୍ରାନ୍ସପରେନ୍ସି ଓ ଟ୍ରାନ୍ସଫରମେସନ୍। ଯାହା ଏହି ସ୍କୁଲ ରୂପାନ୍ତରୀକରଣକୁ ସଫଳ କରିଛି। ଟେକ୍ନୋଲୋଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ପାଠାଗାର, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରି ସୁବିଧା ଦେଇଥିବା ବେଳେ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେଉଛି ଟିମ୍‌ୱାର୍କ। ସେହିପରି ୫-ଟିର ତୃତୀୟ ଆଧାର ହେଉଛି ସମୟ। ଏହିକ୍ରମରେ ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି-ଶେରଗଡ଼ର ୫୦ଟି ସ୍କୁଲର ରୂପାନ୍ତୀକରଣ କାର୍ଯ୍ୟ ଶେଷ କରିବା ପାଇଁ ପ୍ରଶାସନକୁ ଲକ୍ଷ୍ୟ ଦିଆଯାଇଥିଲା। ୬ମାସ ତଳେ କାମ ଆରମ୍ଭ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା । ଏହା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ ଗୋଟିଏ ବିଷୟ ହେଲା ପିଲାମାନଙ୍କ ପାଇଁ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ଉପଲବ୍‌ଧତା।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଧନ୍ୟବାଦ ଅର୍ପଣ କରିଥିଲେ। ଶେରଗଡ଼ ବ୍ଲକର ୫ଟି ସ୍ମାର୍ଟସ୍କୁଲ୍ ଢିଙ୍କିଶାଳ ପଞ୍ଚାୟତ ହାଇସ୍କୁଲ, ନାଥେଶ୍ଵର ଉଚ୍ଚବିଦ୍ୟାଳୟ ଧନନ୍ତର, ଡେଙ୍ଗାପଦର ଉଚ୍ଚବିଦ୍ୟାଳୟ, ଠୁରୁବୁରାଇ ଉଚ୍ଚବିଦ୍ୟାଳୟ ଓ ଗୋଠଗାଁ ଉଚ୍ଚବିଦ୍ୟାଳୟରେ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ, ମୋରଡ଼ା ବିଧାୟକ ରାଜକିଶୋର ଦାଶ, ସୋର ବିଧାୟକ ପର୍ଶୁରାମ ଧଡ଼ା, ଭାଷା, ସଂସ୍କୃତି ଓ଼ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ମାର୍ଟ କ୍ଲାସରୁମ ପରିଦର୍ଶନ କରିଥିଲେ। ସେହିପରି ହିଞ୍ଜିଳିକାଟୁ ବ୍ଲକ୍ ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବେଲଗାଁ ରଘୁନାଥ ବିଦ୍ୟାପୀଠରେ ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ର ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ପୋଚିଲିମା ଉଚ୍ଚବିଦ୍ୟାଳୟରେ ଚାନ୍ଦବାଲି ବିଧାୟକ ଡ.‌ବ୍ୟୋମକେଶ ରାୟ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଦୟାପଲ୍ଲୀ ଉଚ୍ଚବିଦ୍ୟାଳୟରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଓ କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ ଏବଂ ପୌରାଞ୍ଚଳ ସ୍ଥିତ ସରକାରୀ ଏନଏସି ଉଚ୍ଚବିଦ୍ୟାଳୟରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଭୋଗରାଇ ବିଧାୟକ ଅନନ୍ତ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର