କଟକ: ସାରା ଦେଶରେ ଚାରିଟି ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର (ଆରଏସ୍‌ଆଇସି) ରହିଥିବା ବେଳେ  ସେଥିରୁ ଗୋଟିଏ ରହିଛି ଏସ୍‌ସିବି ମେଡିକାଲ କଲେଜ ପରିସରରେ। ମେରୁଦଣ୍ଡ ଚିକିତ୍ସା କ୍ଷେତ୍ରରେ ସ୍ବତନ୍ତ୍ରତା ହାସଲ କରିଥିବା ଏହି ପ୍ରତିଷ୍ଠାନରେ ଡାକ୍ତର, କର୍ମଚାରୀ ଅଭାବଜନିତ ସମସ୍ୟା ଯୋଗୁ ରୋଗୀଙ୍କୁ ଆଶାନୁରୂପ ଚିକିତ୍ସା ଯୋଗାଇବା ସମ୍ଭବ ହେଉନାହିଁ। ମାସକୁ ହାରାହାରି ୧୫୦ ରୋଗୀଙ୍କର ମେରୁଦଣ୍ଡ ସମସ୍ୟା ଜନିତ ଅସ୍ତ୍ରୋପଚାର ବଦଳରେ ଏବେ ମାତ୍ର ୧୨ଜଣଙ୍କ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁଛି। 

Advertisment

୨୦୦୧ରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଏହି କେନ୍ଦ୍ର ଖୋଲିଥିଲା। ବ୍ୟବସ୍ଥା ଅନୁଯାୟୀ ୫ ବର୍ଷ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନର ଦାୟିତ୍ବ କେନ୍ଦ୍ର ସରକାରଙ୍କ ହାତରେ ଥିବାବେଳେ ତା’ ପରଠାରୁ ଏହା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଏକ ସ୍ବୟଂଶାସିତ ଅନୁଷ୍ଠାନ ଭାବେ କାର୍ଯ୍ୟ କରୁଛି। କିନ୍ତୁ ଏହି ପ୍ରତିଷ୍ଠାନରେ ଏବେ କେହି ସ୍ଥାୟୀ ମେଡିକାଲ୍ ଅଫିସର କି ଡାକ୍ତର ନାହାନ୍ତି। ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି। ପୂର୍ବରୁ ଏହି ପ୍ରତିଷ୍ଠାନରେ ସର୍ଜରି କରିବାର ଯୋଜନା ନଥିଲା।

୨୦୦୬ରୁ ରହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ

କେବଳ କାଉନସେଲିଂ, ଫିଜିଓଥେରାପି ଓ ଅକ୍ୟୁପେସନାଲ୍ ଥେରାପି ବ୍ୟବସ୍ଥା ଚାଲିଲା। ୨୦୧୪ରୁ ଯଦିଓ ସପ୍ତାହକୁ ଗୋଟିଏ ଦିନ ଓଟି ଖୋଲୁଥିଲା, କିନ୍ତୁ ଏହା ନିୟମିତ ନଥିଲା। ୨୦୧୪ରେ ମାତ୍ର ୧୯ଟି, ୨୦୧୫ରେ ୧୨ଟି, ୨୦୧୬ରେ ୧୮ଟି, ୨୦୧୭ରେ ୧୨ଟି ଅସ୍ତ୍ରୋପଚାର ହୋଇଥିଲା। ୨୦୧୮ ଓ ୨୦୧୯ରେ ଆଦୌ ଅସ୍ତ୍ରୋପଚାର ହୋଇନଥିଲା। ଏହାପରେ ୨୦୨୦ରେ ୮ଟି, ୨୦୨୧ରେ ୧୦୨ଟି, ୨୦୨୨ରେ ୧୦୨ଟି, ୨୦୨୩ରେ ୧୦୭ଟି, ୨୦୨୪ରେ ୯୨ଟି ସର୍ଜରି ହୋଇଥିଲା। ଏସସିବି ମେଡିକାଲ୍ କଲେଜର ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୨୪ ଯାଏଁ ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ମୋଟ ୪୭୨ଜଣଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର ହୋଇଛି।

୨୦୨୦ ପରଠାରୁ ସପ୍ତାହର ବୁଧବାର ଓ ଶନିବାର ଦୁଇ ଦିନ ଓଟି ଖୋଲୁଛି। ଅସ୍ଥିଶଲ୍ୟ ବିଭାଗକୁ ଦିନକୁ ଆସୁଥିବା ୧୦୦ ରୋଗୀଙ୍କ ମଧ୍ୟରୁ ୫୦ ଜଣଙ୍କ ମେରୁଦଣ୍ଡ ସମସ୍ୟା ରହୁଛି। ଏଥିରୁ ଦିନକୁ ୫ ଜଣ ରୋଗୀଙ୍କର ସର୍ଜରି ଆବଶ୍ୟକତା ରହୁଛି। ବୁଧବାର ଦୁଇଟି ଓ ଶନିବାର ଗୋଟିଏ ସର୍ଜରି ହେଉଥିବାରୁ ମାସକୁ ମାତ୍ର ୧୨ଟି ସର୍ଜରି ସମ୍ଭବପର ହୋଇପାରୁଛି। ଜଣେ ଜଣେ ରୋଗୀଙ୍କୁ ଲମ୍ବା ସମୟ ଯାଏଁ ସର୍ଜରି ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଭବାନୀ ଶଙ୍କର ମହାପାତ୍ର ଅସ୍ତ୍ରୋପଚାର କରୁଥିବା ବେଳେ ଆନାସ୍ଥେସିଆ ଡାକ୍ତର ଅପରେସନ୍ ଦିନ ଏସ୍‌ସିବିରୁ ଆସୁଛନ୍ତି। ରୋଗୀଙ୍କ ସଂଖ୍ୟା ଓ ଆବଶ୍ୟକତା ଦୃଷ୍ଟିରୁ ଏଠାରେ ଅଧିକ ସଂଖ୍ୟାରେ ଓଟି ଖୋଲିବାକୁ ଦାବି ହେଉଛି। ଅନ୍ୟପଟେ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଞ୍ଚଳିକ ମେରୁଦଣ୍ଡ ଆଘାତ ପ୍ରତିଷ୍ଠାନରେ ଏକ ମଡ୍ୟୁଲାର ଓଟି ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍(ଓଏସ୍‌ଏମ୍‌ସିଏଲ୍) ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବା ଯୋଜନା ରହିଛି। ଦେଶର ମାତ୍ର ୪ଟି ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଏହି ସ୍ବତନ୍ତ୍ର ଅନୁଷ୍ଠାନକୁ ସ୍ବୟଂସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାରେ ନିଷ୍କ୍ରିୟତା ଏବେ ଉଦ୍‌ବେଗର କାରଣ ହୋଇଛି।