ପୁରୁଣା ଭୁବନେଶ୍ବର: ନିଖିଳ ଓଡ଼ିଶା ଆଇନଜୀବୀ ସଂଘ(ଆଓଲା) ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାନ୍ଥନିବାସରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ କହିଲେ, ଜନସେବାରେ ଓକିଲଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଆଇନଜୀବୀଙ୍କ ପାଇଁ ଅତ୍ୟାଧୁନିକ ଲୟର୍ସ ଏକାଡେମୀ, ସ୍ବାସ୍ଥ୍ୟବୀମା ସମ୍ପର୍କରେ ରାଜ୍ୟ ସରକାର ଖୁବ୍ଶୀଘ୍ର ଘୋଷଣା କରିବେ। ୱେଲ୍ଫାୟାର୍ ସମ୍ପର୍କରେ ଆଇନ ସଚିବଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ରହିଛି। ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ଉଭୟ ଗୋଷ୍ଠୀଙ୍କୁ ୨୦୨୫ ମସିହାରେ ଗୋଟିଏ ମଞ୍ଚରେ ଏକାଠି ହେବାକୁ ମନ୍ତ୍ରୀ ଆହ୍ବାନ ଦେବା ସହିତ ଭୁବନେଶ୍ବରରେ ସଂଘକୁ ଆଇନଜୀବୀ ଭବନ ପାଇଁ ସରକାର ଜମି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଲେ, ରାଜସ୍ବ ଆଇନଗୁଡ଼ିକରେ ସଂଶୋଧନର ଆବଶ୍ୟକତା ରହିଛି। ଆଇନଜୀବୀମାନେ ସରକାରଙ୍କୁ ସୁଚିନ୍ତିତ ମତାମତ ଜଣାଇଲେ, ପୁରୁଣା ରାଜସ୍ବ ଆଇନ ରଦ୍ଦ କରି ନୂଆ ଆଇନ ପ୍ରଣୟନ ସହଜ ହେବ।
ଅନୁଷ୍ଠାନର ସଭାପତି ବିଭୁପ୍ରସାଦ ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସମ୍ବଲପୁର ଓକିଲମାନଙ୍କ ବିରୋଧରେ ଯେଉଁସବୁ ମାମଲା ରହିଛି ତାହା ପ୍ରତ୍ୟାହାର ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଓ ଆଓଲାର ଅଧ୍ୟକ୍ଷ ଜ୍ଞାନରଞ୍ଜନ ମହାନ୍ତି ବକ୍ତବ୍ୟ ରଖିଥିଲେ। ଓଡ଼ିଶା ଆଇନ କମିସନ ସଭ୍ୟ ସୌରଚନ୍ଦ୍ର ମହାପାତ୍ର, ଆଓଲାର ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି, ହାଇକୋର୍ଟ ଓକିଲ ସଂଘର ସମ୍ପାଦକ ଅଭିଜିତ ପଟ୍ଟନାୟକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ସଞ୍ଜୀବ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଞ୍ଜୀବ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୦ରୁ ବିଭିନ୍ନ ଓକିଲ ସଂଘର କର୍ମକର୍ତ୍ତା, ଭୁବନେଶ୍ବର ଓକିଲ ସଂଘର ସଭାପତି ଅଶୋକ କୁମାର ପାତ୍ର, ସମ୍ପାଦକ ସତ୍ୟ ରଞ୍ଜନ ସେନାପତି, କଟକ କ୍ରିମିନାଲ୍ ଓକିଲ ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ପୁନିଲ ସ୍ବାଇଁ, ଏସ୍ଏସ୍କେ ସୁବୁଦ୍ଧିଙ୍କ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp