ବିକାଶ ପଥରେ ଶ୍ରୀକ୍ଷେତ୍ର ପୁରୀ। ସାମୂହିକ ଭାବେ ପୁରୀକୁ ଦିଆଯାଉଛି ନୂଆ ରୂପ। ଏଥିପାଇଁ ଏକାଧିକ ମେଗା ପ୍ରକଳ୍ପ ନିର୍ମାଣ ପୂର୍ଣ୍ଣାଙ୍ଗ ରୂପ ନେଇଛି। ଅନେକ କାମ ଚାଲିଛି। ଏ ମଧ୍ୟରେ ଏକ ପ୍ରମୁଖ ପ୍ରକଳ୍ପ ହେଉଛି ତିନିଟି ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସ। ଏ ମଧ୍ୟରେ ତିନି ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ଶେଷ ହୋଇଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବିସ୍ଥାପିତ ବ୍ୟବସାୟୀଙ୍କୁ ଏହି ମାର୍କେଟ୍ କମ୍ପ୍ଲେକ୍ସରେ ଦୋକାନ ଘର ଆବଣ୍ଟନ କରାଯିବ। ଏଥିପାଇଁ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେଉଁ ଆଧାରରେ ଦୋକାନ ଘର ବଣ୍ଟନ ହେବ, ସେଥିଲାଗି ପୂର୍ବରୁ ପ୍ରସ୍ତୁତ ଏସ୍ଓପିକୁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି। ଏଥିରେ ବ୍ୟବସାୟୀଙ୍କ ଏକ ଚିଠା ସୂଚୀ ଦୋକାନ ଉଚ୍ଛେଦ ତାରିଖ ଅନୁସାରେ ପ୍ରସ୍ତୁତ ହୋଇଛି। ଖୁବ୍ଶୀଘ୍ର ବିସ୍ଥାପିତମାନେ ନିଜ ନିଜ ଦୋକାନଘର ପାଇବା ସହ ପୁନଶ୍ଚ ତାଙ୍କ ପେଟପାଟଣାକୁ ରାହା ଦେବେ। ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ପରିଧି ମଧ୍ୟରେ ଜମି ଅଧିଗ୍ରହଣ କରିଥିଲେ ରାଜ୍ୟ ସରକାର। ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ତଥା ଭକ୍ତଙ୍କ ସୁବିଧା ପାଇଁ ଭିଟାମାଟି ଛାଡ଼ିଥିଲେ ଅନେକ ପୁରୀବାସୀ। ଏହି ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ କରାଯାଇଥିଲା। ଏଥିରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଉଚ୍ଛେଦ ହୋଇଥିଲା। ସେମାନଙ୍କୁ ଥଇଥାନ କରିବା ଲାଗି ସରକାର ପ୍ରତିଶ୍ରୁତି ଦେଇଥିଲେ।
ଏହାକୁ ଲକ୍ଷ୍ୟ ରଖି ପୁରୀର ପୁରାତନ ଦୁଇଟି ମାର୍କେଟ୍ କମ୍ପ୍ଲେକ୍ସ(ମହୋଦଧି ଓ ମ୍ୟୁନିସିପାଲିଟି)କୁ ଭଙ୍ଗାଯାଇ ନୂତନ ଭାବେ ନିର୍ମାଣ ଆରମ୍ଭ ହୋଇଥିଲା। ଇଥିମଧ୍ୟରେ ଦୁଇ ମାର୍କେଟ୍ କମ୍ପ୍ଲେକ୍ସର ନବକଳେବର ହୋଇଛି। ସବୁଠି ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ନବନିର୍ମିତ ଅତ୍ୟାଧୁନିକ ଜେଲ୍ ରୋଡ୍ ପାର୍କିଂରେ ବି ଅନେକ ଦୋକାନ ଘରର ବ୍ୟବସ୍ଥା ସହ ବିସ୍ଥାପିତ ଦୋକାନୀଙ୍କୁ ଏଠାରେ ଥଇଥାନ କରାଯାଇଛି। କାହା ନାମରେ କେତେ ପରିମିତ ଦୋକାନଘର ଆବଣ୍ଟନ ପାଇଁ ନାଁ ବାହାରିଛି, ତାହାର ତାଲିକା ୩ଟି ଯାକ ମାର୍କେଟ୍ କମ୍ପ୍ଲେକ୍ସରେ ଲଗାଯାଇଛି। ଜମି ଅଧିଗ୍ରହଣ, ଜମି ସିଧାସଳଖ କିଣାବିକା, ଜମି ଜବରଦଖଲ ଉଚ୍ଛେଦ ଭଳି ୩ଟି ପ୍ରକ୍ରିୟାରେ ଦୋକାନଗୃହ ଆବଣ୍ଟନ କରାଯାଇଛି। ତେବେ ଅତ୍ୟାଧୁନିକ ମୌଳିକ ସୁବିଧା ଥାଇ ପ୍ରସ୍ତୁତ ହୋଇ ରହିଥିବା ମାର୍କେଟ୍ କମ୍ପ୍ଲେକ୍ସଗୁଡ଼ିକ ବେଶ୍ ସୁନ୍ଦର ହୋଇଥିବା ବେଳେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଥିବାରୁ ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି। ଏ ସମ୍ପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ ବ୍ୟବସାୟୀମାନେ ବିସ୍ଥାପିତ ହୋଇଥିଲେ, ସେମାନଙ୍କୁ ଦୋକାନଘର ଆବଣ୍ଟନ କରାଯିବ। ଏଥିଲାଗି ପୂର୍ବ ପ୍ରସ୍ତୁତ ଏସ୍ଓପି ଅନୁଯାୟୀ ଦୋକାନ ଘର ଦିଆଯିବ ବୋଲି ସେ କହିଛନ୍ତି।
ମୋଚିସାହି ଛକ ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ
ମୋଚିସାହି ଛକରେ ନିର୍ମିତ ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସରେ ୧୫୧ଟି ଦୋକାନଘର ରହିଛି। ୦.୯ ଏକର ଜମିର ୧୦ ହଜାର ୫୫୬ ବର୍ଗମିଟର ଅଞ୍ଚଳରେ ଅତ୍ୟାଧୁନିକ ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି ‘ଅବଢ଼ା’ ଯୋଜନାରେ ଏହି ମାର୍କେଟ୍ କମ୍ପ୍ଲେକ୍ସର ପରିକଳ୍ପନା କରାଯାଇଥିଲା। ଏଥିପାଇଁ ୪୧କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ଅଗ୍ନି ନିରୋଧକ ବ୍ୟବସ୍ଥା, ଶୀତତାପ ନିୟନ୍ତ୍ରିତ ତିନିଟି(୪,୫ ଓ ୬) ମହଲା ସହିତ ଲିଫ୍ଟ ଆଦି ସମସ୍ତ ପ୍ରକାର ସୁବିଧା ଅଛି। ଏହା ମଧ୍ୟରେ ୧୦୦ ବର୍ଗଫୁଟ୍ ଓ ୨୦୦ ବର୍ଗଫୁଟ୍ର ମୋଟ୍ ୧୫୧ଟି ଦୋକାନଘର ରହିଛି। ବେସ୍ମେଣ୍ଟ ପାର୍କିଂରେ ପାଖାପାଖି ୧୦୦ କାର୍ ରହିପାରିବାର ବ୍ୟବସ୍ଥା ହୋଇଛି।
ଜେଲ୍ରୋଡ୍ ବହୁତଳ ପାର୍କିଂ
ଜେଲ୍ ରୋଡ୍ ବହୁତଳ ପାର୍କିଂରେ ଥିବା ମାର୍କେଟ୍ କମ୍ପ୍ଲେକ୍ସରେ ୩୫୦ ଦୋକାନଘର ବାହାରିଛି। ଏହି ଦୋକାନଘରଗୁଡ଼ିକୁ କିପରି ସ୍ୱଚ୍ଛତାର ସହ ବିସ୍ଥାପିତ ଦୋକାନୀମାନଙ୍କୁ ଆବଣ୍ଟନ କରାଯିବ, ତା’ ଉପରେ ଗୁରୁତ୍ବ ଦିଆଯାଇଛି। ପୂର୍ବରୁ କେଉଁ ତାରିଖରେ କେଉଁ ଦୋକାନଘର ଭଙ୍ଗା ଯାଇଥିଲା, ତା’ର ତାଲିକା ପ୍ରସ୍ତୁତ କରିଥିଲା ପ୍ରଶାସନ। କାହାର କେତେ ଜାଗା, କେତୋଟି ଦୋକାନ, ଏ ସବୁର ତଥ୍ୟ ରଖାଯାଇଥିବା ବେଳେ ଆବଣ୍ଟନ ନେଇ ଏକ ଏସ୍ଓପି ପ୍ରସ୍ତୁତ ହୋଇଥିଲା। ଏହି ଏସ୍ଓପିକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ସେହି ଅନୁଯାୟୀ, ଦୋକାନଘର ଆବଣ୍ଟନ କରାଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।
ମାର୍କେଟ୍ ଛକ ମ୍ୟୁନିସିପାଲିଟି ମାର୍କେଟ୍ କମ୍ପ୍ଲେକ୍ସ
ମାର୍କେଟ୍ ଛକସ୍ଥିତ ମ୍ୟୁନିସିପାଲିଟି ମାର୍କେଟ୍ କମ୍ପ୍ଲେକ୍ସରେ ୫୦୦ଟି ଦୋକାନଘର ରହିଛି। ମ୍ୟୁନିସିପାଲିଟି ମାର୍କେଟ୍ କମ୍ପ୍ଲେକ୍ସରେ ମଧ୍ୟ ଅତ୍ୟାଧୁନିକ ସୁବିଧା ରହିଛି। ପ୍ରାୟ ୪୪ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ବେସ୍ମେଣ୍ଟ ଏବଂ ଗ୍ରାଉଣ୍ଡ ଫ୍ଲୋର ବାଦ୍ ୩ ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ହୋଇଛି। ୫୦୦ଟି ଦୋକାନ ଘର ବାହାରିଥିବା ବେଳେ ୧୦୦ଟି ଚାରଚକିଆ ଗାଡ଼ି ରହିବା ଭଳି ପାର୍କିଂ ସୁବିଧା ଉପଲବ୍ଧ ଅଛି।