କଟକ : ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଗୁରୁବାର ଦିନ କଟକ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ପ୍ରତିଷ୍ଠାନରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପେଟ୍ ସିଟି ସ୍କାନ୍ ମେସିନ୍ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ ହସ୍ପିଟାଲ ବ୍ୟବସ୍ଥାରେ ଏହା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। କର୍କଟ କେନ୍ଦ୍ରରେ ଆଇସିୟୁ, ଆଇପିଡି ବ୍ୟବସ୍ଥାକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିବା ଅବସରରେ ରୋଗୀର ମନର କଷ୍ଟ ଓ ଭାବନାକୁ ବୁଝିବା ସହ ସହାନୁଭୂତି ଦେଖାଇବା ଏବଂ ତାଙ୍କ ଭିତରେ କିଭଳି ଆତ୍ମବିଶ୍ବାସ ସୃଷ୍ଟି ହେବ ସେଭଳି ଢଙ୍ଗରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ପେଟ୍ ସିଟି ସ୍କାନ୍ ମେସିନ୍ କର୍କଟ ରୋଗ ଚିକିତ୍ସାର ଏକ ପ୍ରମୁଖ ଅଙ୍ଗ। ପ୍ରଥମ ରାଜ୍ୟସ୍ତରୀୟ ହସ୍ପିଟାଲଭାବେ ଆଚାର୍ଯ୍ୟ ହରିହରରେ ପେଟ୍ ସିଟି ସ୍କାନ୍ ବ୍ୟବସ୍ଥା ଲୋକାର୍ପିତ ହୋଇଥିବାବେଳେ ତା’ସହିତ ଲିନାକ୍ ମେସିନ୍ ଓ କର୍କଟ ରୋଗ ଚକିତ୍ସାର ଅନେକ ଅତ୍ୟାଧୁନିକ ନିଦାନ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ପୂର୍ବରୁ କର୍କଟ କେନ୍ଦ୍ରରେ ୨୮୧ଟି ବେଡ୍ ଥିବାବେଳେ ଏବେ ଏହା ୫୦୭କୁ ବୃଦ୍ଧି ପାଇଛି। ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ହେଉଛି ଶିକ୍ଷା, ଗବେଷଣା ଓ ଚିକିତ୍ସାର ଏକ ଉତ୍କର୍ଷ କେନ୍ଦ୍ର। ଏହାକୁ ଦେଶରେ ଏକ ପ୍ରମୁଖ ଓ ଉଚ୍ଚମାନର କର୍କଟ କେନ୍ଦ୍ରର ମାନ୍ୟତା ଦେବାକୁ ରାଜ୍ୟସରକାର ପ୍ରତିଶ୍ରୁତିବଦ୍ଧ। ଏସ୍ସିବି ସଂପ୍ରସାରଣ ଯୋଜନାରେ କର୍କଟ କେନ୍ଦ୍ରର ପରବର୍ତ୍ତୀ ସଂପ୍ରସାରଣ କରାଯିବା ସହ ନୂ୍ଆ ଓଟି କଂପ୍ଲେକ୍ସ, ପାଥୋଲୋଜି ଓପିଡି, ଏକାଡେମିକ୍ ଏରିଆ ସହ ହଷ୍ଟେଲ ସବୁର ବିକାଶ କରାଯିବାର ଯୋଜନା ରହିଛି। ଏଥିସହିତ କର୍କଟ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ୧୦ଟି ଜିଲ୍ଲାରେ କ୍ୟାନ୍ସର୍ କେୟାର ୟୁନିଟ୍ ପାଇଁ ଅନୁମୋଦନ କରିଛନ୍ତି। ଏଥିସହ ବରଗଡ଼ ଓ ଝାରସୁଗୁଡାରେ ସ୍ପୋଶାଲାଇଜ୍ଡ କ୍ୟାନ୍ସର ହସ୍ପିଟାଲ ଖୋଲାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଜିଲ୍ଲାସ୍ତରରେ ପାଲିଟିଭ୍ କେୟାର ସେଣ୍ଟର ଖୋଲା ଯାଇଛି। କର୍କଟ ରୋଗର ଚିକିତ୍ସା ପାଇଁ ଏଭଳି ପଦକ୍ଷେପ ପାଇଁ ଭାରତର ପୂର୍ବାଞ୍ଚଳରେ ଓଡ଼ିଶା କ୍ୟାନ୍ସର କେୟାରର ଏକ ହବ୍ ଭାବେ ପରିଚିତ ହେବ।
ବରଗଡ଼ ଓ ଝାରସୁଗୁଡ଼ାରେ ହେବ ସ୍ପେଶାଲାଇଜ୍ଡ କ୍ୟାନସର୍ ହସ୍ପିଟାଲ
ରାଜ୍ୟ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପ୍ରଥମ
ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ବ୍ୟବସ୍ଥାର ଉଦ୍ଘାଟନ କରିଥିବାବେଳେ ଆଚାର୍ଯ୍ୟ ହରିହରରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉପସ୍ଥିତ ଥିଲେ। ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ନୂଆ ଟେକ୍ନୋଲୋଜିର ବ୍ୟବହାର କରାଯାଇ ଉନ୍ନତମାନର ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ପୂରଣ ହେବାରେ ଲାଗିଛି। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ ମୁଖ୍ୟମନ୍ତ୍ରୀଙ୍କ ସମର୍ପିତ ସେବା ମନୋଭାବର ପ୍ରଂଶସା କରିଥିଲେ। ୫ଟି ସଚିବ ଭି.କେ.ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଏଥିରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତଭାଷଣ ଓ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ନିଖିଲ ପବନ୍ କଲ୍ୟାଣ, ଏସ୍ସିବି ପ୍ରିନ୍ସିପାଲ୍ ତଥା ଡିନ୍ ପ୍ରଫେସର ଡାକ୍ତର ପ୍ରସେନ୍ଜିତ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଡେପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ପେଟ୍ ସିଟି ସ୍କାନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଆଉ ଘରୋଇ ହସ୍ପିଟାଲରେ ଏଥିପାଇଁ ୨୦ରୁ ୨୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ସରକାରୀ ସ୍ତରରେ ଏହି ବ୍ୟବସ୍ଥା ପାଇଁ ହାଇକୋର୍ଟରେ ଏକ ମାମଲା ବିଚାରାଧୀନ ରହିଛି।