ଭୁବନେଶ୍ବର: କରୋନା ସଂକ୍ରମଣର ମାତ୍ରା ବଢ଼ୁଥିବା ହେତୁ ରାଜ୍ୟରେ ସଚେତନତା ବ୍ୟବସ୍ଥା ପୁରା କଡ଼ାକଡ଼ି କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୋମବାର ସୂଚନା ଦେଇ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଯେଉଁମାନେ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି।
ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଆଲର୍ଟ ଅଛନ୍ତି ଓ ଜିଲ୍ଲାପାଳଙ୍କୁ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଯେଉଁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢୁଛି ସେଠି ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସିଡିଏମଓ ଏବଂ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଯେଉଁଠି ସଂକ୍ରମଣ ସଂଖ୍ୟା ବଢୁଛି ସେଠିକାର ସ୍ବେଚ୍ଛାସେବୀ ଗ୍ରୁପକୁ ଅଧିକ ସଜାଗ ରହିବା ପାଇଁ କୁହାଯାଇଛି। ରାଜ୍ୟରେ କୋଭିସିଲଡ ଟିକା ୬ ଲକ୍ଷ ରହିଛି ଯାହା ମାତ୍ର ୨ ଦିନରେ ସରିଯିବ । ତେଣୁ କେନ୍ଦ୍ର ସରକାରଙ୍କୁ ଅଧିକ ଟିକା ଦେବା ପାଇଁ ଚିଠି ଲେଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।
କୋଭସ୍କିନ ଟିକା ରାଜ୍ୟରେ ପ୍ରଚୁର ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ କରାଯିବା ନେଇ ଟାର୍ଗେଟ ରହିଛି। ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।