ୟୁଜିସି ନିର୍ଦେଶନାମାର ପ୍ରତିବାଦ କଲା ରାଜ୍ୟ

ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ପରୀକ୍ଷାକୁ ନେଇ ବିବାଦ ବଢ଼ିଲା
କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ପୁନର୍ବିଚାର ଦାବି କଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ
ପୂର୍ବରୁ ରାଜ୍ୟ ଉପରେ ଦାୟିତ୍ବ ଛାଡ଼ିଥିଲେ ୟୁଜିସି କର୍ତ୍ତୃପକ୍ଷ
ଶେଷବର୍ଷ ସେମିଷ୍ଟର ବାତିଲ୍ ନିଷ୍ପତ୍ତି ନେଇଥିଲା ରାଜ୍ୟ

ଭୁବନେଶ୍ବର : ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ପରୀକ୍ଷାକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହେଲାଣି। ଗତ ୬ ତାରିଖରେ ୟୁଜିସି ପକ୍ଷରୁ ଏସଂପର୍କରେ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଓଡ଼ିଶା ବିରୋଧ କରିଛି। କେବଳ ସେତିକି ନୁହେଁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିକଟଙ୍କୁ ପତ୍ର ଲେଖିଛନ୍ତି।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୬ ତାରିଖ ଦିନ ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ର ଶେଷବର୍ଷ ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କରିବା ଲାଗି କୁହାଯାଇଛି। ୟୁଜିସି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା (ଏପ୍ରିଲ ୨୯ ତାରିଖ) ମାର୍ଗଦର୍ଶିକାର ଏହା ବିରୋଧାଚରଣ କରୁଛି। ପୂର୍ବରୁ କୁହାଯାଇଥିଲା ଯେ ରାଜ୍ୟ ସରକାର କୋଭି଼ଡ୍ ସ୍ଥିତି ଅନୁଧ୍ୟାନ କରି ବିଶ୍ବବିଦ୍ୟାଳୟ ପରୀକ୍ଷା ସଂପର୍କରେ ନିଜେ ନିଷ୍ପତ୍ତି ନେଇପାରିବେ। ତଦନୁସାରେ ରାଜ୍ୟ ସରକାର ସମସ୍ତ କୁଳପତିମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ର ଶେଷ ବର୍ଷ ସେମିଷ୍ଟର ପରୀକ୍ଷାକୁ ବାତିଲ୍ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ପୂର୍ବ ସେମିଷ୍ଟର ପରୀକ୍ଷାରେ ପାଇଥିବା ନମ୍ବରକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ଲାଗି ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ନିର୍ଦେଶ ଦିଆଯାଇଥିଲା।

ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ପ୍ରାୟ ୨ଲକ୍ଷ ଛାତ୍ରଛାତ୍ରୀଙ୍କର କ୍ଲାସ୍ ରୁମ୍ ପରୀକ୍ଷା କିମ୍ବା ଅନ୍‌ ଲାଇନ୍ ପରୀକ୍ଷା କରିବା ବର୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ। ତେଣୁ ୟୁଜିସି ଜାରି କରିଥିବା ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନଃବିଚାର କରିବା ଏବେ ଜରୁରୀ ହୋଇପଡିଛି। ପୂର୍ବରୁ ନିର୍ଧାରଣ ହୋଇଥିବା ନିଷ୍ପତ୍ତିକୁ ଲାଗୁ କରିବା ଲାଗି ଅନୁମତି ଦେବାକୁ ଶ୍ରୀ ସାହୁ େକନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର