ପୁଲିସ ବିଭାଗରେ ବିଚିତ୍ର ଦୃଶ୍ୟ, ଏଚ୍‌ଆର୍‌ପିସି ଆଇଜିଙ୍କ ଅଫିସ ଆଗରେ ‘ଲଟ୍‌କା’

ବରିଷ୍ଠ ଆଇପିଏସ୍‌ ଭାରତୀଙ୍କୁ ଖୋଜାଚାଲିଛି, ଅଫିସ୍ ବନ୍ଦ; କେଉଁଠି ଅଛନ୍ତି ଜଣା ନାହିଁ!

କଟକ: ରାଜ୍ୟ ପୁଲିସ ବିଭାଗର ଆଇଜି ପାହ୍ୟାରେ କାର୍ଯ୍ୟରତ ଏନ୍.ବି.ଭାରତୀଙ୍କ ଅଫିସ ସାମନାରେ ଝୁଲୁଛି ଲଟ୍‌କା। ଭାରତୀ ଗୃହ ବିଭାଗର ନୋଟିସ ଗ୍ରହଣ ନ କରିବା ଏବଂ ସେହି ନୋଟିସ ତାଙ୍କୁ କୌଣସି ସ୍ଥାନରେ ବି ଦିଆଯାଇ ନପାରିବା କାରଣରୁ ତାଙ୍କ ଅଫିସ ସାମନାରେ ‘ଲଟକା’ ଝୁଲାଇ ଦିଆଯାଇଛି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଅଫିସ ଆଗରେ ଏଭଳି ଲଟ୍‌କା ଝୁଲିବା ଘଟଣା ଏବେ ସାରା ବିଭାଗରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ଶୃଙ୍ଖଳିତ ପୁଲିସ ବିଭାଗରେ ଏଭଳି ବିଶୃଙ୍ଖଳିତ ପରିସ୍ଥିତି କାହିଁକି ସୃଷ୍ଟି ହେଲା ବୋଲି ପ୍ରଶ୍ନ ଉଠୁଥିବା ବେଳେ ବିଭାଗରେ କାର୍ଯ୍ୟ ପଦ୍ଧତି, ପାହ୍ୟା ଓ କ୍ଷମତାକୁ ନେଇ ଶୀତଳ ଯୁଦ୍ଧ ଏଭଳି ଏକ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି।

ଏନ୍.ବି. ଭାରତୀ ପୁଲିସ ମାନବାଧିକାର ସୁରକ୍ଷା ସେଲ୍ (ଏଚଆରପିସି)ର ଆଇ.ଜି ଭାବେ ଅବସ୍ଥାପିତ ଅଛନ୍ତି। ବକ୍ସିବଜାର ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟ ପରିସରରେ ଥିବା ଏଚଆରପିସି କୋଠାରେ ରହିଛି ତାଙ୍କ କାର୍ଯ୍ୟାଳୟ। ଭାରତୀଙ୍କ ନାମଫଳକ ଥିବା କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ କବାଟରେ ମାରି ଦିଆଯାଇଛି ଗୃହ ବିଭାଗର ନୋଟିସ୍। ନୋଟିସରେ ଉଲ୍ଲେଖ କରାଯାଇଛି ଯେ ବିଶୃଙ୍ଖଳିତ ଆଚରଣ ପାଇଁ ଭାରତୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀଙ୍କ ବିରୋଧରେ ୨୦୧୭ରେ ବିଶୃଙ୍ଖଳିତ ଆଚରଣକୁ ନେଇ ରହିଥିବା ଅଭିଯୋଗ ସଂପର୍କରେ ତାଙ୍କୁ ଅବଗତ କରାଯିବା ସହିତ ଲିଖିତ ଜବାବ ‌ଦାଖଲ ପାଇଁ ଏକ ମାସ ସମୟ ଦିଆଯାଇଥିଲା। କିନ୍ତୁ ସେ ଜବାବ ଦାଖଲ କରି ନଥିବା ବେଳେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ତଥ୍ୟ ରଖିବାକୁ ମଧ୍ୟ ଆଉ ଏକ ସପ୍ତାହ ସମୟ ଦିଆଯାଇଥିଲା।

ସେତେବେଳେ ଭାରତୀ ଡିଆଇଜି ପାହ୍ୟାରେ କାର୍ଯ୍ୟ କରୁଥିଲେ। ଏହି ଅଭିଯୋଗର ତଦନ୍ତ ଦାୟିତ୍ବ ତତ୍କାଳୀନ ପୁଲିସ ମୁଖ୍ୟାଳୟ ଏଡିଜି ବିନୟତୋଷ ମିଶ୍ରଙ୍କୁ ଦିଆଯାଇଥିଲା। କିନ୍ତୁ ଭାରତୀଙ୍କ ପକ୍ଷରୁ କୌଣସି ଜବାବ ରଖାଯାଇ ନଥିଲା। ତେଣୁ ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଗୃହ ବିଭାଗର ନୋଟିସରେ ସୂଚାଇ ଦିଆଯାଇଛି। କିନ୍ତୁ ଗୃହ ବିଭାଗର ନୋଟିସ ଆସିବା ବେଳେ ଭାରତୀ ତାକୁ ଗ୍ରହଣ କରି ନଥିଲେ। ପରବର୍ତ୍ତୀ ସମୟରେ ସେ କାର୍ଯ୍ୟାଳୟକୁ ଆସି ନଥିବା ବେଳେ ସେହି ନୋଟିସକୁ ଅନ୍ୟ କୌଣସି ସ୍ଥାନରେ ତାଙ୍କୁ ଦିଆଯାଇ ନ ପାରିବାରୁ ଭାରତୀଙ୍କ ଅଫିସ ସାମନାରେ ଏଭଳି ଢଙ୍ଗରେ ଲଗାଇ ଦିଆଯାଇଛି। ଭାରତୀଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଦେଖାଉଥିବା ବେଳେ ସେ ନିର୍ଦ୍ଦିଷ୍ଟ ଭାବେ କୁଆଡେ ଯାଇଛନ୍ତି, ତାହା ଅଫିସରେ କାହାକୁ ଜଣା ନାହିଁ ବୋଲି ସୂଚନା ମିଳୁଛି।

ଅନ୍ୟପଟେ ଏଚଆରପିସି ଏଡିଜି ଏସ୍.ଏମ୍.ନରଭଣେ କହିଛନ୍ତି ଯେ ଭାରତୀ କୁଆଡେ ଯାଇଛନ୍ତି ସେ ସଂପର୍କରେ କିଛି କହିପାରିବେ ନାହିଁ। କିନ୍ତୁ ଅଫିସ ଆଗରେ ଯେଉଁ ନୋଟିସ ଲାଗିଛି, ତାହା ୨୦୧୭ର ପୁରୁଣା ଘଟଣାକୁ ‌ନେଇ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଛି। କିନ୍ତୁ ଭାରତୀଙ୍କ ସଂପର୍କରେ ସେ ପୁଲିସ ଡିଜିଙ୍କୁ ଲେଖି ଜଣାଇ ଦେଇଛନ୍ତି। ପୁଲିସ ଡିଜି ବି ଘଟଣା ସଂପର୍କରେ ଗୃହ ବିଭାଗକୁ ଅବଗତ କରାଇଛନ୍ତି। ତେଣୁ ବର୍ତ୍ତମାନର ଘଟଣା ସଂପର୍କରେ ସେ ଅଧିକ କିଛି ଆଉ କହି ପାରିବେ ନାହିଁ ବୋଲି ଶ୍ରୀ ନରଭଣେ ସ୍ପଷ୍ଟ କରିଛନ୍ତି। ପୁଲିସ ଏଚଆରପିସିରେ ଏଭଳି ଘଟଣା ଏବେ ବିଭାଗରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତିର ସମାଧାନ ପାଇଁ ଦୃଢ ପଦକ୍ଷେପ ନିଆ ନଯିବା ଘଟଣା ଆଗକୁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି କହୁାଯାଉଛି।

ସମ୍ବନ୍ଧିତ ଖବର