କଟକ: ରାଜ୍ୟ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ନିର୍ବାଚନ ଫଳାଫଳ ଆଜି ଘୋଷାଣ ହୋଇଛି। ଅନିଲ କୁମାର ଷେଣ୍ଢ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଅନିଲଙ୍କ ପ୍ୟାନେଲର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମହାସଂଘର ସଭାପତି ଭାବେ ଶ୍ରୀ ଷେଣ୍ଢ ୧୨୭ ଭୋଟରେ ବିଜୟୀ ହୋଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟର ୫୦ଟି ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟରେ କାର୍ଯ୍ୟରତ ୫୦ ହଜାର ପୁଲିସ କର୍ମଚାରୀଙ୍କ ପ୍ରତିନିଧିତ୍ବ କରୁଥିବା ହାବିଲଦାର, କନେଷ୍ଟବଳ ଓ ସିପାହି ମହାସ˚ଘର ପରୋକ୍ଷ ନିର୍ବାଚନ ଗଲା ୧୬ ତାରିଖରେ ଅନୁଷ୍ଠିତ ହୋଇଥିଲା। ପ୍ରତି ଶାଖା ସଂଘର ୫ ଜଣ ସଦସ୍ୟ ମହାସଂଘର ଦୁଇଟି ପ୍ୟାନେଲ୍କୁ ଭୋଟ୍ ଦେଇଥିଲେ। ଅର୍ଥାତ ମହାସଂଘ ନିର୍ବାଚନରେ ପ୍ରତି ଶାଖା ସଂଘରୁ ୫ ଜଣ ଲେଖାଏଁ କରି ମୋଟ ୨୫୦ ଜଣ ସଦସ୍ୟ ଭୋଟ ଦେଇଥିଲେ।
ଶାଖା ସଂଘର ସଭାପତି ଓ ସମ୍ପାଦକ ବାଦ୍ ଶାଖାର ନିର୍ବାହୀ ସଦସ୍ୟଙ୍କ ଦ୍ବାରା ଚୟନ ହୋଇଥିବା ଅନ୍ୟ ତିନି ଜଣ ଏହି ଭୋଟ୍ ଦେଇଥିଲେ। ୧୯ ତାରିଖରେ କଟକ ଓଏମ୍ପି ଷଷ୍ଠ ବାଟାଲିୟନ୍ ପରିସରରେ ସକାଳ ୮ଟାରୁ ଭୋଟଗ୍ରହଣ ପରେ ଅପରାହ୍ଣରେ ଫଳାଫଳ ଘୋଷଣା ହୋଇଛି। ସଭାପତି ଭାବେ କେନ୍ଦୁଝର ଜିଲ୍ଲାର ହାବିଲଦାର ଅନିଲ ଷଣ୍ଢ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ୟାନେଲର ଥିବା ପୁରୀ ଜିଲ୍ଲାର କନେଷ୍ଟବଳ ସନ୍ତୋଷ କୁମାର ମହାନ୍ତି ଉପସଭାପତି, ଢେଙ୍କାନାଳ ଜିଲ୍ଲାର ଓଏସ୍ଏପି ପ୍ରଥମ ବାଟାଲିୟନ ହାବିଲଦାର କିଶୋର କୁମାର ମହାନ୍ତି ସାଧାରଣ ସମ୍ପାଦକ, ବଲାଙ୍ଗୀର ଜିଲ୍ଲାର କନେଷ୍ଟବଳ ସରୋଜ କୁମାର ମିଶ୍ର ସାଧାରଣ ସମ୍ପାଦକ, ବ୍ରହ୍ମପୁର ପୁଲିସ ଜିଲ୍ଲାର ସିଆଇ ହାବିଲଦାର ଗୌରୀ ଶଙ୍କର ମିଶ୍ର କୋଷାଧ୍ୟକ୍ଷ, କଟକ ଜିଆର୍ପିର କନେଷ୍ଟବଳ ମାନସ କୁମାର ବାରିକ ଯୁଗ୍ମ ସମ୍ପାଦକ-୧ ଏବଂ କୋରାପୁଟ ଜିଲ୍ଲା ଓଏସ୍ଏପି ତୃତୀୟ ବାଟାଲିୟନର ଡିଆର. ହାବିଲଦାର ମହେନ୍ଦ୍ର କୁମାର ଗୌଡ଼ ଯୁଗ୍ମ ସମ୍ପାଦକ-୨ ଭାବେ ନିର୍ବାଚିତ ହୋଇଛନ୍ତି।
ଅନ୍ୟପଟେ ସଭାପତି ପ୍ରାର୍ଥୀ ବାଉରିବନ୍ଧୁ ମହାପାତ୍ରଙ୍କ ପ୍ୟାନେଲ୍ ଏହି ନିର୍ବାଚନରେ ପରାଜିତ ହୋଇଛି। ନିର୍ବାଚନରେ ତାଙ୍କ ପ୍ୟାନେଲର ଉପ-ସଭାପତି ପ୍ରାର୍ଥୀ ଗୋରାଚାନ୍ଦ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରାର୍ଥୀ ଦୁର୍ଗାପ୍ରସାଦ ଦାଶ, ସଂଗଠନ ସମ୍ପାଦକ ପ୍ରାର୍ଥୀ ବାବୁଲି ନାୟକ, ଯୁଗ୍ମ ସମ୍ପାଦକ-୧ ପ୍ରାର୍ଥୀ ସୁବାସ ମିଶ୍ର, ଯୁଗ୍ମ ସମ୍ପାଦକ-୨ ପ୍ରାର୍ଥୀ ଦୀପକ କୁମାର ପାତ୍ର, କୋଷାଧ୍ୟକ୍ଷ ପ୍ରାର୍ଥୀ ମାନସ କୁମାର ପାଣିଗ୍ରାହୀ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନ ପ୍ରକ୍ରିୟାରେ ଆଇଜି ପର୍ସୋନେଲ୍ ପ୍ରବୀଣ କୁମାର କେନ୍ଦ୍ରୀୟ ରଟର୍ଣ୍ଣିଂ ଅଫିସର୍ ଭାବେ ନିୟୋଜିତ ହୋଇଥିଲେ। ତାଙ୍କ କାର୍ଯ୍ୟାଳୟ ତରଫରୁ ମଙ୍ଗଳବାର ନିର୍ବାଚନ ଫଳ ଘୋଷଣା କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।