ଭୁବନେଶ୍ୱର: କରୋନା ଭାଇରସ ବା କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ସହ ଏହାର ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଏବେ ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଥିସହ ପ୍ରତ୍ୟେକ ବିଦେଶ ଫେରନ୍ତା ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ଏକାନ୍ତବାସ (ଆଇସୋଲେସନ୍) ଓ ସଙ୍ଗରୋଧ (କ୍ୱାରେଣ୍ଟିନ୍) ପରି କେତେକ ନିୟମ ଲାଗୁ କରାଯାଇଛି।
ହେଲେ, ଶତକଡ଼ା ୯୦ ପ୍ରତିଶତ ରାଜ୍ୟବାସୀ ଏହି ନିୟୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ୧୦ ପ୍ରତିଶତ ଏହି ନିୟମକୁ ପାଳନ କରୁ ନାହାନ୍ତି। ଯାହା ଫଳରେ ନିୟମ ମାନୁଥିବା ୯୦ ପ୍ରତିଶତଙ୍କ ପାଇଁ ବିପଦର ଏକ ପ୍ରମୁଖ କାରଣ ହୋଇ ଠିଆ ହୋଇଛନ୍ତି ନିୟମକୁ ମାନୁ ନ ଥିବା ଏହି ୧୦ ପ୍ରତିଶତ ଲୋକ। ଏପ୍ରକାର ସ୍ଥିତିରେ ପରିସ୍ଥିତିର ଗୁରୁତ୍ୱ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଓ କରୋନା ନିୟମକୁ ପାଳନ କରୁ ନଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ରାଜ୍ୟ ପୁଲିସ୍ ଏବେ ଭଦ୍ରୋଚିତ ଭାବେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଜି ରାଜ୍ୟବାସୀଙ୍କୁ ଚେତାଇ ଦେଇଛନ୍ତି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ।
/sambad/media/post_attachments/wp-content/uploads/2020/03/Abhay_IPS1.jpg)
କରୋନା ସଂପର୍କିତ ସୂଚନା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୟଦେବ ସଦନ ଠାରେ ଆୟୋଜିତ ହେଉଥିବା ସାମ୍ବାଦିକ ସମ୍ମଳନୀରେ ଆଜି ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟର ବିଭିନ୍ନ ଥାନାରେ ୧୫୦୦ଟି ଲକ୍ଡାଉନ୍ ଉଲ୍ଲଂଘନ ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୪୦୦ ଜଣ ନିୟମ ଉଲ୍ଲଂଘନକାରୀ ଗିରଫ ହୋଇଛନ୍ତି। ସେହିପରି ସଙ୍ଗରୋଧ (କ୍ୱାରେଣ୍ଟିନ୍) ନିୟମ ଉଲ୍ଲଂଘନ ନେଇ ସମଗ୍ର ରାଜ୍ୟରେ ଏଯାବତ୍ ୬୬ଟି ମାମଲା ଆଗତ ହୋଇଥିବା ସେ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/03/Abhay_IPS2.jpg)
ପୁଲିସ୍ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ ରାଜ୍ୟରେ ଲକ୍ଡାଉନ୍ ଓ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟରେ ୭୦୦ରୁ ଅଧିକ ସବ୍ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ସହ ୧୦୦ ପ୍ଲାଟୁନ୍ ଫୋର୍ସ ଓ ୧୦୦୦ଟି ଗାଡ଼ି ଯୋଗାଇ ଦିଆଯାଇଛି। ପ୍ରତି ଜିଲ୍ଲାରେ ଗୋଟିଏ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ସହ ଓ ପ୍ରତି ଥାନାକୁ ଦୁଇଟି କରି ଫୋନ୍ ଯୋଗାଇ ଦିଆଯାଇଛି। ଏସମସ୍ତ ଫୋନ୍ ନମ୍ବର ରାଜ୍ୟ ପୁଲିସ୍ ପୋର୍ଟାଲରେ ଉପଲବ୍ଧ ରହିଛି। ଲକ୍ଡାଉନ୍ ଓ କରୋନା ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଏହି ନମ୍ବରରେ ଫୋନ୍କରି ସୂଚନା ଦେବା ସହ ଯେ କୌଣସି ଅସୁବିଧାରେ ଯୋଗାଯୋଗ କରି ପାରିବେ ବୋଲି ସେ କହିଛନ୍ତି।
ଏଥିସହ, ଲକ୍ଡାଉନ୍ ଓ କରୋନା ନିୟମ ପାଳନ କରୁ ନଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ରାଜ୍ୟ ପୁଲିସ୍ ଆଜିଠାରୁ ଭଦ୍ରୋଚିତ ଭାବେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରାଜ୍ୟବାସୀଙ୍କୁ ଆଉଥରେ ଚେତାଇ ଦେଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Abhay_IPS.jpg)