ରାଜ୍ୟ ରାଜନୀତି: ମନ୍ତ୍ରୀପଦ ଫେରିପାଇବା ଚର୍ଚ୍ଚାରେ ସାରଦା

ରାଉରକେଲା: ବାଚସ୍ପତି ଓ ଦୁଇ ଦୁଇ ଜଣ ମନ୍ତ୍ରୀଙ୍କ ଇସ୍ତଫା ଦେଇଛନ୍ତି। ଅର୍ଥାତ୍ ରାଜ୍ୟରେ ଯେ କୌଣସି ମୁହୂର୍ତରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ। କେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସାମିଲ କରିବେ, ସେ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଜାରି ରହିଛି। ଏହି କ୍ରମରେ ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ଜୋର ଧରିଲାଣି। ଶ୍ରୀ ନାୟକଙ୍କ ସମର୍ଥକମାନେ ଆଶାବାଦୀ ଅଛନ୍ତି, ରାଜନୈତିକ ସମୀକ୍ଷକ ବି କହୁଛନ୍ତି ଯେ ରାଜନୈତିକ ଦୃଷ୍ଟିକୋଣରୁ ସୁନ୍ଦରଗଡ଼ ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିବା ଦରକାର।

୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାରୁ କେବଳ ସାରଦା ଓ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ସୁବ୍ରତ ତରାଇ ବିଜୟୀ ହୋଇଥିଲେ। ନିର୍ବାଚନମଣ୍ଡଳୀରେ ସୁବ୍ରତଙ୍କ ଅନୁପସ୍ଥିତି ନେଇ ଦଳ ବାରମ୍ବାର ଅକଳରେ ପଡ଼ୁଥିବା ବେଳେ ସାରଦାଙ୍କ ନେତୃତ୍ବରେ ଦଳକୁ ଗତ ପୌରପାଳିକା ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ସଫଳତା ବିଜେଡିକୁ ଆଶ୍ବସ୍ତ କରିଛି। ଜିଲ୍ଲାର ୩୫ଟି ଜିଲ୍ଲା ପରିଷଦ ଆସନରୁ ଦଳକୁ ୩୩ଟି ଆସନ ମିଳିଥିଲା। ଏତଦ୍‌ବ୍ୟତୀତ ଜିଲ୍ଲାର ୩ଟି ପୌରପାଳିକା ମଧ୍ୟରୁ ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ଦଳ ପୌର ପରିଷଦ ଗଠନ କରିଥିଲା। ସୁନ୍ଦରଗଡ଼ ପୌରପାଳିକାରେ ବିଜେଡି ଅଧ୍ୟକ୍ଷ ପଦ ହାତେଇବାରେ ବିଫଳ ହୋଇଥିଲା ସତ, କିନ୍ତୁ ୧୯ କାଉନସିଲରଙ୍କ ମଧ୍ୟରୁ ସର୍ବାଧିକ ୧୧ ଜଣ ବିଜେଡି କାଉନସିଲର ବିଜୟୀ ହୋଇଥିଲେ। ଏହାସହ ପଞ୍ଚାୟତ ସମିତି ନିର୍ବାଚନରେ ବିଜେଡି ଜିଲ୍ଲାର ୧୭ଟି ବ୍ଲକ ମଧ୍ୟରୁ ୧୧ଟିରେ ବିଜୟୀ ହୋଇ ନୂଆ ରେକର୍ଡ ସୃଷ୍ଟି କରିଥିଲା। ବିଜେପି-କଂଗ୍ରେସ ବିଧାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକରେ ଦଳ ବିଜୟୀ ହୋଇଥିଲା, ଯାହାକି ସାରଦାଙ୍କ କୁଶଳ ରଣକୌଶଳକୁ ପୁନର୍ବାର ପ୍ରତିପାଦିତ କରିଥିଲା।
ଉଲ୍ଲେଖଯୋଗ୍ୟ, ବିଜେପି ବିଧାୟକ କୁସୁମ ଟେଟେଙ୍କ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ହେମଗିର ଓ ଲେଫ୍ରିପଡ଼ା ବ୍ଲକରେ ବିଜେଡି ବିଜୟୀ ଅଧ୍ୟକ୍ଷ ପଦ ହାତେଇଥିବାବେଳେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ତଳସରା ନିର୍ବାଚନ ମଣ୍ଡଳୀର ସବଡେଗା ଓ ବାଲିଶଙ୍କରା ବ୍ଲକ, ବିଜେପି ବିଧାୟକ ଶଙ୍କର ଓରାମଙ୍କ ବୀରମିତ୍ରପୁର ନିର୍ବାଚନମଣ୍ଡଳୀର କୁଆରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକ ଏବଂ କଂଗ୍ରେସ ବିଧାୟକ ସିଏସ୍‌. ରାଜେନ ଏକ୍କାଙ୍କ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଠିକଟା, ରାଜଗାଙ୍ଗପୁର ଓ କୁତ୍ରା ବ୍ଲକରେ ବିଜେଡି ଅଧ୍ୟକ୍ଷ ପଦ ହାତେଇବାରେ ସଫଳ ହୋଇଥିଲା।

ଦଳକୁ ତୃଣମୂଳସ୍ତରରୁ ସଶକ୍ତ ଓ ସଂଗଠିତ କରିବାରେ ସାରଦାଙ୍କ ଭୂମିକାକୁ ତାଙ୍କ ବିରୋଧୀ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ଗତ ୯ ବର୍ଷ ହେଲା ସୁନ୍ଦରଗଡ଼ ଜିଲ୍ଲାକୁ ମନ୍ତ୍ରୀପଦ ମିଳିନଥିବାରୁ ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକ ବି ଆଶା ପ୍ରକାଶ କରିଛନ୍ତି। ପ୍ରକାଶଥାଉକି, ସୁନ୍ଦରଗଡ଼ ଜିଲ୍ଲା ଶେଷଥର ପାଇଁ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କୁ ମନ୍ତ୍ରୀଭାବେ ଦେଖିଥିଲା। ଶ୍ରୀ ତରାଇ ୨୦୧୨ ଅଗଷ୍ଟ ୨ ତାରିଖରୁ ୨୦୧୪ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରାଳୟ ଦାୟିତ୍ବ ତୁଲାଇଥିଲେ। ଆଲୋଚ୍ୟ ସମୟରେ, ଚାରି ଚାରି ଥର, ଯଥା-୨୦୧୪, ୨୦୧୭, ୨୦୧୯ ଓ ୨୦୨୨ରେ ନୂତନ ମନ୍ତ୍ରିମଣ୍ଡଳ ଗଠନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଥିଲେ ମଧ୍ୟ ଜିଲ୍ଲାକୁ ପ୍ରତିନିଧିତ୍ବ ମିଳିନାହିଁ। ଶ୍ରୀ ତରାଇଙ୍କ ପୂର୍ବରୁ ଶ୍ରୀ ନାୟକ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ଥିଲେ। ୨୦୦୯ରେ ସାରଦା ନଗର ଉନ୍ନୟନ ଓ ଯୋଗାଣ ବିଭାଗ ଭଳି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ସମ୍ଭାଳିଥିଲେ। ତେବେ ୨୦୧୨ ମିଡ୍‌ନାଇଟ୍‌ ଅପରେସନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରାଯିବାପରଠାରୁ ତାଙ୍କୁ ଆଉ ମନ୍ତ୍ରୀ ପଦ ମିଳିପାରିନାହିଁ।

ସମ୍ବନ୍ଧିତ ଖବର