ବ୍ରହ୍ମପୁର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ କ୍ଷମତାରେ ଥିବା ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସଂଗଠନକୁ ଦୃଢ଼ କରିବା ପାଇଁ ରଣନୀତି ଆରମ୍ଭ କରି ଦେଇଛି। ଗତକାଲି ବାଚସ୍ପତି ପଦରୁ ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖଙ୍କ ଇସ୍ତଫା ଓ ଦୁଇ ମନ୍ତ୍ରୀଙ୍କ ମଧ୍ୟରୁ ଶ୍ରମ ରାଷ୍ଟ୍ରମନ୍ତ୍ରୀ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫାରୁ ସ୍ପଷ୍ଟ ବାରି ହେଉଛି, ଗଞ୍ଜାମ ବିଜେଡିର ସାଂଗଠନିକ ସ୍ଥିତି ସଜାଡ଼ିବା ଏହା ପଛର ଲୁକ୍କାୟିତ ଏଜେଣ୍ଡା ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।
ବିଜେଡିର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ସେ ମନ୍ତ୍ରିମଣ୍ଡଳକୁ ପୁଣିଥରେ ଫେରିବେ ବୋଲି ଆଲୋଚନା ଜୋର୍ ଧରିଛି। ଏହା ସହ ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କ କାନ୍ଧରେ ଗଞ୍ଜାମ ବିଜେଡିର ଭାର ରହିବ ବୋଲି ଆକଳନ ହେଉଛି। ବରିଷ୍ଠତା ଓ ସାଂଗଠନିକ ଦକ୍ଷତା ବିଚାରକୁ ନେଲେ ଆରୁଖଙ୍କ ବ୍ୟତୀତ ସମ୍ପ୍ରତି ଗଞ୍ଜାମରେ ଆଉ କେହି ଦକ୍ଷ ଚେହେରା ନାହାନ୍ତି। ପୂର୍ବରୁ ଗଞ୍ଜାମ ରାଜନୀତିରେ ନିଷ୍ପତ୍ତି ନେଉଥିବା ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ଏବେ ସକ୍ରିୟ ନାହାନ୍ତି। ତାଙ୍କ ପରେ ଅନ୍ୟତମ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟତର ଥିଲେ। ସାରା ଜିଲ୍ଲାର ନେତୃତ୍ବ ନେବାରେ ଏହି ଦୁଇ ନେତାଙ୍କ ଦକ୍ଷତା ରହିଛି। ଦଳର ସାଂଗଠନିକ ନିଷ୍ପତ୍ତି ବେଳେ ଏହି ଦୁଇ ନେତାଙ୍କ ପରାମର୍ଶକୁ ହିଁ ଅଗ୍ରାଧିକାର ଦିଆ ଯାଉଥିଲା। ବର୍ତ୍ତମାନ ଏହି ଦୁଇ ଅଭିଜ୍ଞ ନେତା ସ୍ବାସ୍ଥ୍ୟଗତ କାରଣରୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରରେ। ଜିଲ୍ଲାରେ ଦବ୍ଦବା ରଖିଥିବା ଏହି ଦୁଇ ଅଭିଜ୍ଞ ନେତାଙ୍କ ଅନୁପସ୍ଥିତିରେ ଶ୍ରୀ ଆରୁଖଙ୍କ କାନ୍ଧରେ ହିଁ ସାଂଗଠିନକ ନେତୃତ୍ବ ଭାର ଦିଆଯିବା ନେଇ ଚର୍ଚ୍ଚା ହେଉଛି।
ଗଞ୍ଜାମ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ସାନଖେମୁଣ୍ଡି କଂଗ୍ରେସ କବ୍ଜାରେ। ହିଂଜିଳିରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ସେହି ଆସନକୁ କିଏ ସମ୍ଭାଳିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଜିଲ୍ଲାର ଅନ୍ୟତମ ବରିଷ୍ଠ ନେତ୍ରୀ ତଥା ଚିକିଟି ବିଧାୟିକା ମନ୍ତ୍ରୀ ଉଷା ଦେବୀ ଧୀରେ ଧୀରେ ନିଜ ନିର୍ବାଚନମଣ୍ଡଳୀରେ ଭିତରେ ହିଁ ସୀମିତ ରହୁଥିବା ଦେଖିବାକୁ ମିଳୁଛି। ଗତ ପଞ୍ଚାୟତ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀର ପାତ୍ରପୁର ବ୍ଲକ୍କୁ ବିଜେପି କବ୍ଜା କରି ନେଲା। ଦିଗପହଣ୍ଡି ବିଧାୟକ ଶ୍ରୀ ପାତ୍ର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ନିର୍ବାଚନମଣ୍ଡଳୀ ଓ ଲୋକଙ୍କ ଠାରୁ ଦୂରେଇ ରହିଛନ୍ତି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାସ ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ବିଜେଡିର ନେତୃତ୍ବ ନେବା ପାଇଁ ପୋଖତ ଚେହେରା ନୁହଁନ୍ତି। ଏଣୁ ଏମାନଙ୍କ ଉପରେ ଦଳ ସାଂଗଠନିକ ଦାୟିତ୍ବ ଦେବାର ରିସ୍କ୍ ନେବ ନାହିଁ। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଆସିକା ବିଧାୟିକା ମଂଜୁଳା ସ୍ବାଇଁ ନିଜ ନିର୍ବାଚନମଣ୍ଡଳୀ ଭିତରେ ସୀମିତ। ବାକି ରହିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। ଉଭୟଙ୍କ ମଧ୍ୟରୁ ପୋଲସରା ବିଧାୟକ ଶ୍ରୀ ସାହୁ ଅଭିଜ୍ଞତା ଦୃଷ୍ଟିରେ ବେଶ୍ ଆଗରେ। ଜିଲ୍ଲା ବିଜେଡିର ଜଣେ ଯୁବ ସଂଗଠକ ଭାବେ ମଧ୍ୟ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।
କିନ୍ତୁ ତାଙ୍କ ଉପରେ ଆଉ ଜଣେ ବରିଷ୍ଠ ନେତା ରହିଛନ୍ତି ଶ୍ରୀ ଆରୁଖ। ଲୋକପ୍ରିୟତା ଓ ଅଭିଜ୍ଞତା ଦୃଷ୍ଟିରୁ ଦଳର ସୁପ୍ରିମୋ ଶ୍ରୀ ଆରୁଖଙ୍କ କାନ୍ଧରେ ଗଞ୍ଜାମ ବିଜେଡିର ଦାୟିତ୍ବ ପୂର୍ବରୁ ବି ଅନେକ ବାର ଦେଇ ଅସିଛନ୍ତି। ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ଲଗାତାର ୬ଥର ବିଧାୟକ ହୋଇଥିବା ବେଳେ ୨୦୦୯ରୁ କ୍ରମାଗତ ଭାବେ ଆରୁଖ କ୍ୟାବିନେଟ୍ ମନ୍ତ୍ରୀ ରହି ଆସିଛନ୍ତି। କିନ୍ତୁ ଗତବର୍ଷ ଜୁନ୍ ମାସରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ବେଳେ ତାଙ୍କୁ ବାଚସ୍ପତି କରା ଯାଇଥିଲା। ଏବେ ସେ ବ୍ୟକ୍ତିଗତ କାରଣରୁ ବାଚସ୍ପତି ପଦବିରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତାଙ୍କର ଅଭିଜ୍ଞତା ଗଞ୍ଜାମ ବିଜେଡିକୁ ସାଧାରଣ ନିର୍ବାଚନ ବୈତରଣୀ ପାର କରାଇବାରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।