ଭୁବନେଶ୍ୱର: ରାଜ୍ୟର ଦ୍ରୁତ ଗତିରେ ବଢୁଥିବା ସହରଗୁଡ଼ିକରେ ବିଦ୍ୟୁତ୍ ଯାନ(ଇଭି)ର ବ୍ୟାପକ ବ୍ୟବହାର ଏବଂ ଏହାଦ୍ୱାରା ପ୍ରଦୂଷଣ ଓ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ଇସିବି)ର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଲେ, ପରିବେଶ ସୁରକ୍ଷା ଓ ନାଗରିକଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିବାକୁ ସାମୂହିକ ପଦକ୍ଷେପର ଆବଶ୍ୟକତା ରହିଛି। ଘରେ ଘରେ ସୋଲାର ବ୍ୟବସ୍ଥା ସ୍ଥାପନ ଦ୍ବାରା କେବଳ ଯେ ବିଦ୍ୟୁତ୍ ବିଲ୍ ହ୍ରାସ ଘଟିବ ତାହା ନୁହେଁ, ବରଂ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବ। ଏଥିପାଇଁ ନାଗରିକମାନେ ସମ୍ପୃକ୍ତ ଯୋଜନା ଅନୁଯାୟୀ ସରକାରୀ ସବ୍ସିଡିର ଲାଭ ମଧ୍ୟ ପାଇପାରିବେ।
ଓଡ଼ିଶାର ଦ୍ରୁତ ଶିଳ୍ପାୟନ ଓ ପରିବେଶଗତ ଦାୟିତ୍ୱକୁ ସନ୍ତୁଳିତ କରିବାରେ ଏକ ନିୟାମକ, ମାର୍ଗଦର୍ଶକ, ଅଂଶୀଦାର ଭାବେ ବୋର୍ଡ କାର୍ଯ୍ୟକୁ ପ୍ରଶଂସା କରି ରାଜ୍ୟପାଳ କହିଲେ, ବାୟୁ ଗୁଣବତ୍ତା ଉନ୍ନତି, ନଦୀ ପୁନରୁଦ୍ଧାର, ଶିଳ୍ପ ଓ ଜଳାଶୟର ବାସ୍ତବତା, ସମୟ ଉପଯୋଗୀ ମନିଟରିଂ ଭଳି ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା, ଇ-ବସ୍, ଇଭି ସବ୍ସିଡି, ସୁଧମୁକ୍ତ ଋଣ ଓ ଛାତ ଉପରେ ସୌରଶକ୍ତିର ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ପ୍ରଶଂସନୀୟ। ରାଜ୍ୟ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୧୭ରେ ଆୟୋଜିତ ହେବାକୁ ଥିବା ବ୍ୟାପକ ବୃକ୍ଷରୋପଣ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଦ୍ୱାରା ସବୁଜ ଆବରଣ ବିସ୍ତାର ସହିତ ବାୟୁ ଗୁଣବତ୍ତା ଉନ୍ନତ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ। ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ, ଇ-ଆବର୍ଜନା ପରିଚାଳନା, ଜଳ ସଂରକ୍ଷଣ, ଗଛ ଲଗାଇବା ଓ ନବୀକରଣୀୟ ଶକ୍ତିର ଉପଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ଥାୟୀ ବିକାଶ ହାସଲ କରିବାକୁ ସାମୂହିକ ଦାୟିତ୍ୱର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବକ୍ତବ୍ୟ ରଖିଥିଲେ। ପିସିସିଏଫ୍ ସୁରେଶ ପନ୍ଥ, ପିସିସିଏଫ୍(ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା ଉପସ୍ଥିତ ଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଉମା ନାନ୍ଦୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ପରିବେଶ ଇଞ୍ଜିନିୟର ନିହାର ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୩ଟି ୱେବସାଇଟ୍ ଓ ପ୍ରକାଶନ ଉନ୍ମୋଚିତ ହୋଇଥିଲା। ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କୁ ସମ୍ମାନିତ କରାଯିବା ସହ କୃତୀ ସଂସ୍ଥାଗୁଡ଼ିକୁ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ଏବଂ ପ୍ରଶଂସା ପୁରସ୍କାର ପ୍ରଦାନ କରାଯାଇଥିଲା।