ବଲାଙ୍ଗୀର ଓ କୋରାପୁଟରେ ଖୋଲିବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆଞ୍ଚଳିକ କାର୍ଯ୍ୟାଳୟ

ଭୁବନେଶ୍ୱର : ବଲାଙ୍ଗୀର ଓ କୋରାପୁଟରେ ଖୋଲିବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟ। ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହାକୁ ମିଶାଇ ସାରା ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମୋଟ ୧୪ଟି ଆଞ୍ଚଳିକ କାର୍ଯ୍ୟାଳୟ କାର୍ଯ୍ୟ କରିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି।

ବଲାଙ୍ଗୀର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ରହିବ। ସେହିପରି କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାଗୁଡ଼ିକ କୋରାପୁଟ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧୀନରେ କାର୍ଯ୍ୟ କରିବ। ଏହି ଦୁଇଟି ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟ ସମ୍ବନ୍ଧୀୟ ବ୍ୟୟ ରାଜ୍ୟ ବଜେଟ୍‌ରୁ ଭରଣା କରାନଯାଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନିଜସ୍ବ ସମ୍ବଳରେ ତୁଲାଇବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି। ଗଜପତି ଓ କନ୍ଧମାଳ ଜିଲ୍ଲାରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦୂରତା ଦୃଷ୍ଟିରୁ ଗଜପତି ଜିଲ୍ଲା ରାୟଗଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ କର୍ତ୍ତୃତ୍ବରେ ଓ କନ୍ଧମାଳ ଜିଲ୍ଲା ବ୍ରହ୍ମପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଅଧୀନରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ପାରାଦୀପ, କଳିଙ୍ଗନଗର ଓ ଝାରସୁଗୁଡ଼ାଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ବୀକୃତି ମିଳିସାରିଛି। ଏହାଛଡ଼ା ରାଜ୍ୟର ରାଉରକେଲା, କଟକ, ସମ୍ବଲପୁର, ଅନୁଗୁଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କେନ୍ଦୁଝର ଓ ରାୟଗଡ଼ାରେ ୯ଟି ଆଞ୍ଚଳିକ ପ୍ରଦୂଷଣ ବୋର୍ଡ଼ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର