ଭୁବନେଶ୍ବର: ୫ ଦଫା ଦାବି ପୂରଣ ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସ-କ୍ୟାଡର) ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯେଉଁମାନେ ନିୟମିତ ହୋଇଛନ୍ତି ସେମାନଙ୍କୁ ସମଗ୍ର ଶିକ୍ଷାକୁ କରାଯାଇଥିବା ଡେପୁଟେସନ୍‌କୁ ବାତିଲ କରିବା ସହ ୨୦୧୭ ମାର୍ଚ୍ଚ ୧ରୁ ଚାକିରି କରିଥିବା ସମସ୍ତଙ୍କୁ କ୍ୟାଡରଭୁକ୍ତ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏହାସହ ଦୀର୍ଘଦିନ ହେବ ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନସନ୍ ଲାଗୁ କରିବା, ମୃତ ଗଣଶିକ୍ଷକଙ୍କୁ ଏକ୍ସଗ୍ରାସିଆ ପ୍ରଦାନ, ବକେୟା ୫୦% ଭାଗ ଦରମା ପ୍ରଦାନ ଆଦି ୫ ଦଫା ଦାବି ମହାସଂଘ ପକ୍ଷରୁ କରାଯାଇଛି। ଆଜି ଶହ ଶହ ସଂଖ୍ୟାରେ ଶିକ୍ଷକ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ଆଡ଼କୁ ଯାଇଥିଲେ। ବାଟରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଧାରଣାସ୍ଥଳରେ ଶିକ୍ଷକମାନେ ଧାରଣାରେ ବସିଥିଲେ। ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଦାବିଗୁଡ଼ିକ ପୂରଣ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଧ‌ାରଣାରୁ ହଟିବେ ନାହିଁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଆଜିର ଏହି ବିକ୍ଷୋଭରେ ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ, ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ, ମହାସଚିବ ହନେସ ପାତ୍ର ବାଗ, ଜୟନ୍ତୀଲାଲ ସାହୁ, ବିଜୟ ମିଶ୍ର, ବିଶ୍ୱରଞ୍ଜନ ଦାସ, ରାଜୀବ ଲୋଚନ ପ୍ରଧାନ, ସପ୍ତମ ବେହେରା, ପ୍ରମୋଦ ବେହେରା, ଉମେଶ ସ୍ବାଇଁ, ରଞ୍ଜୁ ଅମାତ, ଆଲୋକ ରାୟ ପ୍ରମୁଖ ସାମିଲ ହୋଇଥିଲେ।