ରାଜ୍ୟ ଘରୋଇ ଆଇଟିଆଇ ସଂଘର ଦାବି : ସରକାରୀ ଭଳି ଘରୋଇ ଆଇଟିଆଇଙ୍କ ପାଇଁ ଫି’ ବ୍ୟବସ୍ଥା ଲାଗୁ ହେଉ

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଆଇଟିଆଇ ଭଳି ଘରୋଇ ଆଇଟିଆଇଙ୍କ କ୍ଷେତ୍ରରେ ଫି’ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛି ରାଜ୍ୟ ଘରୋଇ ଆଇଟିଆଇ ସଂଘ। ଗତ ୪ ବର୍ଷ ଧରି ଏ ନେଇ ଦାବି ହୋଇ ଆସୁଥିଲେ ହେଁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ରାଜ୍ୟର ଅନେକ ଘରୋଇ ଆଇଟିଆଇଗୁଡ଼ିକ ବନ୍ଦ ହେବାକୁ ବସିଲାଣି ବୋଲି ସଂଘ କହିଛି।

ଆଜି ହୋଟେଲ ଏକ୍ସଲେନ୍‌ସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ଶ୍ରୀନିବାସ ସୁବୁଦ୍ଧି କହିଲେ, ୨୦୦୬ ମସିହାରେ ରାଜ୍ୟ ସରକାର ନୂତନ ଘରୋଇ ଆଇଟିଆଇ କଲେଜଗୁଡ଼ିକ ପାଇଁ କେତେକ ପ୍ରୋତ୍ସାହନ ଘୋଷଣା କରିଥିଲେ। ଫଳରେ ରାଜ୍ୟରେ ଘରୋଇ ଆଇଟିଆଇ ସଂଖ୍ୟା ୬ ଶହକୁ ବୃଦ୍ଧି ପାଇଥିଲା। ମାତ୍ର ଘରୋଇ ଆଇଟିଆଇଙ୍କ କ୍ଷେତ୍ରରେ ଆଡମିସନ ନେଇ କୌଣସି ଫି’ ବ୍ୟବସ୍ଥା ଲାଗୁ ହୋଇନାହିଁ। ୨୦୧୪ ଡିସେମ୍ବର ୨୯ ତାରିଖରେ ତାଲିମ୍‌ ମହାନିର୍ଦେଶକ ବା ଡିଜିଟି ପକ୍ଷରୁ ସମସ୍ତ ରାଜ୍ୟକୁ ଫି’ ବ୍ୟବସ୍ଥା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଏକ ଚିଠି ଲେଖିଥିଲେ। ମାତ୍ର ରାଜ୍ୟ ସରକାର ଫି’ ବ୍ୟବସ୍ଥାକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସ୍ଥା ଲାଗୁ କରିଛନ୍ତି। ସରକାରୀ ଆଇଟିଆଇରେ ୨ ବର୍ଷିଆ ପାଠ୍ୟକ୍ରମ ପାଇଁ ବର୍ଷକୁ ୫ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ମାତ୍ର ଘରୋଇ ଆଇଟିଆଇ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଡିଜିଟିଙ୍କ ପକ୍ଷରୁ ଜାରି ଚିଠିରେ ଘରୋଇ ଆଇଟିଆଇଗୁଡ଼ିକ ଗ୍ରାମାଞ୍ଚଳରେ ବର୍ଷକୁ ୧୫ ହଜାର ଓ ସହରାଞ୍ଚଳରେ ୧୬ ହଜାର ୫ଶହ ଟଙ୍କା ନେବା ପାଇଁ ଧାର୍ଯ୍ୟ କରିଛନ୍ତି। ଏହାସହ ବର୍ଷକୁ ୭ ପ୍ରତିଶତ ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ମାତ୍ର ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି।

ସଂପାଦକ ଦେବାଶିଷ ଆଚାର୍ଯ୍ୟ କହିଲେ, ସରକାରଙ୍କ ପକ୍ଷରୁ ତରବରିଆ ଭାବେ ଅନଲାଇନ ଆଡମିସନ୍‌ ବ୍ୟବସ୍ଥା ଲାଗୁ କରାଯିବା ଫଳରେ ଛାତ୍ରଛାତ୍ରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାସହ ଅନଲାଇନରେ ଆଡ୍‌ମିସନ୍‌ ସମୟରେ ଘରୋଇ ଆଇଟିଆଇଗୁଡ଼ିକଙ୍କର କୌଣସି ଫି’ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ ରହୁନାହିଁ। ସରକାରୀ ଆଇଟିଆଇରେ ୧୪ ହଜାର ସିଟ୍‌ ରହିଥିବା ବେଳେ ୫୩୬ ଘରୋଇ ଆଇଟିଆଇରେ ୭୫ ହଜାର ସିଟ୍‌ ରହିଛି। ଏହିସବୁ ଅସୁବିଧା ଯୋଗୁଁ ୨୦୧୭ ମସିହାରେ ୪୫୨ ଆଇଟିଆଇ ଆଡମିସନ୍‌ରେ ଅଂଶଗ୍ରହଣ କରିଛନ୍ତି। ଅନ୍ୟ ୮୪ଟି ଘରୋଇ ଆଇଟିଆଇ ବନ୍ଦ ହେବାକୁ ବସିଲାଣି। ଫି’ ବ୍ୟବସ୍ଥା ଲାଗୁ କରିବାକୁ ନେଇ ରାଜ୍ୟ ସରକାରଙ୍କ ସହିତ ସଂଘର ବହୁବାର ଆଲୋଚନା ହୋଇଛି। ମାତ୍ର କୌଣସି ସୁଫଳ ମିଳି ପାରିନାହିଁ। ତେଣୁ ସରକାର ଏହା ଉପରେ ତୁରନ୍ତ ବିଚାର କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର