୧୫୨ତମ ରାଜ୍ୟସ୍ତରୀୟ ଏସ୍‌ଏଲ୍‌ବିସି ବୈଠକ : ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବାକୁ ରାଜ୍ୟର ପ୍ରସ୍ତାବ

ତିତ୍‌ଲି ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ବ୍ୟାଙ୍କ ଗୁଡ଼ିକ ଆଗେଇ ଆସିବାକୁ ଅର୍ଥମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ଓଡ଼ିଶାରେ ସ୍ଥାୟୀ ବ୍ୟାଙ୍କ ଶାଖା ଅଭାବରୁ ଆର୍ଥିକ ଅନ୍ତଭୁର୍କ୍ତିକରଣ ପ୍ରଭାବିତ ହେଉଛି। ମାର୍ଚ୍ଚ ୨୦୧୭ ସୁଦ୍ଧା ୭୦%ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ। ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୨୪୧ଟି ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲାଯାଇ ଥିବାବେଳେ ୨୦୧୭-୧୮ ବର୍ଷରେ ମାତ୍ର ୨୦ଟି ଶାଖା ଖୋଲାଯାଇଛି। ଏଣୁ ରାଜ୍ୟରେ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବାକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୧୫୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ପ୍ରସ୍ତାବ ଦେଇଛନ୍ତି।

ଆଜି ଏଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଏହା ମଧ୍ୟ କହିଛନ୍ତି ଯେ, ତିତ୍‌ଲି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ସେମାନଙ୍କ ସହଯୋଗ ଓ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ଆଗେଇ ଆସିବା ଉଚିତ। କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ତଥ୍ୟ ଅନୁଯାୟୀ, କୌଣସି ପ୍ରକାର ବ୍ୟାଙ୍କିଙ୍ଗ ଆଉଟଲେଟ୍ ନଥିବା ଓଡ଼ିଶାର ୨୧୯୭ଟି ଗ୍ରାମରେ ଗ୍ରାମ ମଧ୍ୟରୁ ଚଳିତ ମାସ ୧୫ ତାରିଖ ସୁଦ୍ଧା ୧୪୭୨ଟି ଗ୍ରାମରେ ବ୍ୟାଙ୍କିଙ୍ଗ୍ କରେସପଣ୍ଡେଣ୍ଟ୍ ନିୟୋଜିତ କରାଯାଇଛି। ବାକି ୭୨୫ଟି ଗ୍ରାମରେ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ସୁବିଧା ଯୋଗାଇ ଦେବାକୁ ମନ୍ତ୍ରୀ କହିଥିଲେ।

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଋଣ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତି ବ୍ୟାଙ୍କ ଶାଖାରେ ଅନ୍ୟୂନ ୨ ଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କୁ କେବଳ ଋଣ ଯୋଗାଣ ପାଇଁ ନିୟୋଜିତ କରିବା ଲାଗି ମନ୍ତ୍ରୀ ମତ ଦେଇଥିଲେ। ଏଥିସହିତ କୋଲକାତାଠା‌େରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ମାଓବାଦୀ ପ୍ରଭାବିତ ୧୫ଟି ଜିଲ୍ଲାରେ ଅଧିକରୁ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବାକୁ ଓଡ଼ିଶା ପକ୍ଷରୁ କୁହାଯାଇଥିଲା। ସରକାରଙ୍କ ପକ୍ଷରୁ ଗ୍ରାମପଞ୍ଚାୟତ ଗୃହ କିମ୍ବା ଜାଗା, ଭିସାଟ୍ ଯୋଗାଯୋଗ ଓ ବିଦ୍ୟୁତ୍ ଆଦି ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଏଥିସହିତ ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା ୭୧,୪୨୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଜନା ମଧ୍ୟରୁ ଗତ ଏପ୍ରିଲ-ଜୁନ୍ ତ୍ରୟମାସରେ ୨୦୨୬୨.୨୪ କୋଟି ଟଙ୍କାର ଦିଆଯାଇଥିବା ସମୀକ୍ଷାରୁ ଜଣାପଡ଼ିଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଧାର୍ଯ୍ୟ ୧୭,୯୧୯ କୋଟି ଟଙ୍କା ମଧ୍ୟରୁ ଉପରୋକ୍ତ ଅବଧି ମଧ୍ୟରେ ୯୦୭୨ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

ବୈଠକରେ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଋଣ ଜମା ଅନୁପାତରେ ଆହୁରି ଉନ୍ନତି ଆଣିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଡାକ ମଣ୍ଡଳରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ପକ୍ଷରୁ ୩୩ଟି ଶାଖା ଓ ୧୬୫ଟି ଆକ୍ସେସ ପଏଣ୍ଟ ଖୋଲାଯାଇଥିବାରୁ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଅଧିକରୁ ଅଧିକ ଶାଖା ଖୋଲିବାକୁ ମନ୍ତ୍ରୀ ଡାକ ମଣ୍ଡଳ ମୁଖ୍ୟଙ୍କୁ କହିଥିଲେ।

ବୈଠକରେ ଉନ୍ନୟନ କମିସନର ଆର. ବାଲକ୍ରିଷ୍ଣନ୍ ଯୋଗଦେଇ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଗୁଡ଼ିକୁ ବ୍ୟାଙ୍କମାନେ ସୁବିଧାରେ ଋଣ ଯୋଗାଇ ଦେବା ଉଚିତ ବୋଲି ମତ ଦେଇଥିଲେ। ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ଯୋଗଦେଇ କହିଥିଲେ, ରାଜ୍ୟରେ ମତ୍ସ୍ୟ, ଖଦି, ଗ୍ରାମୋଦ୍ୟୋଗ ଓ ଶିକ୍ଷାକ୍ଷେତ୍ରରେ ଋଣ ପରିମାଣ କମ୍ ରହିଛି। ମୋଟ ଋଣ ପ୍ରଦାନ ତୁଳନାରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ଆନୁପାତିକ ଋଣ ପ୍ରଦାନ ମଧ୍ୟ ହ୍ରାସ ପାଇଛି। ଆଗାମୀ ଦିନରେ ଏସବୁ କ୍ଷେତ୍ର ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବାର୍ଷିକ ଋଣ ଯୋଜନାର ଲକ୍ଷ୍ୟ ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ। କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଋଣ ସମେତ ମୁଦ୍ରା ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ବ୍ୟାଙ୍କ ଗୁଡ଼ିକ ଅଧିକ ତତ୍ପରତା ପ୍ରକାଶ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ମିସନ ଶକ୍ତିର କମିସନର ତଥା ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟନ, ୟ‌ୁ‌େକା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚରଣ ସିଂହ, ନାବାର୍ଡର ମୁଖ୍ୟ ପରିଚାଳକ ଶ୍ରୀ ଚନ୍ଦ୍ରଶେଖର, ଷ୍ଟେଟ ବ୍ୟାଙ୍କର ସିଜିଏମ, ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର