ଖୋର୍ଦ୍ଧାରେ ହେବ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର, ଟ୍ଵିଟ୍‌ କରି ଜଣାଇଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଭୁବନେଶ୍ୱର : ଖୋର୍ଦ୍ଧା ନିକଟସ୍ଥ ଟାଙ୍ଗିଆପଡ଼ାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାନାନ୍ତର ହେବ। ଖୋର୍ଦ୍ଧା ଟାଉନ୍‌ରୁ ୩କିମି ଦୂରରେ ଖୋର୍ଦ୍ଧା-ହଳଦିଆ ରାସ୍ତା ନିକଟରେ ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରୁ ପ୍ରାୟ ୧କିମି ଦୂରରେ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେବ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ବର୍ତ୍ତମାନ ଥିବା ବିମାନ ବନ୍ଦରରୁ ଘରୋଇ ବିମାନ ଉଡ଼ାଣ କରିବାକୁ ଥିବାବେଳେ ନୂଆ କରି ନିର୍ମାଣ ହେବାକୁ ଥିବା ବିମାନବନ୍ଦରରୁ ଅନ୍ତର୍ଜାତୀୟ ଉଡ଼ାଣ ହେବ। ଏହାକୁ ପିପିପି ମୋଡରେ ନିର୍ମାଣ କରିବାକୁ ଯୋଜନା ହେଉଛି। ଏନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ହେବ। ଗତବର୍ଷ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଗୁରୁ ପ୍ରସାଦ ମହାପାତ୍ର ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରର ସମୀକ୍ଷା କରିବା ସମୟରେ ନୂଆ ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏପରିକି ବର୍ତ୍ତମାନର ବିମାନବନ୍ଦର ସମ୍ପ୍ରସାରଣରେ ଜମି ଅଧିଗ୍ରହଣ ସମସ୍ୟା ଥିବାରୁ ଏବଂ ସହର ମଝିରେ ବିମାନବନ୍ଦର ରହିଯାଉଥିବାରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ। ଏହାପରେ ଖୋର୍ଦ୍ଧା ନିକଟରେ ଜମି ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ମଳିପଡ଼ା, ଟାଙ୍ଗିଆପଡ଼ା, ଜଙ୍କିଆ ଏବଂ ବରସାହି ପ୍ରସ୍ତାବ ଦେଇଥିଲେ। ଏହାପରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ଟିମ୍‌ ଚାରିଟି ଜାଗାର ଫିଜିବିଲିଟି ଷ୍ଟଡି କରି ରିପୋର୍ଟର୍ ଦାଖଲ କରିଥିଲେ। ଟାଙ୍ଗିଆପଡ଼ାରେ ଥିବା ଜମିର ଆକୃତି, ପାରିପାର୍ଶ୍ୱିକ ସ୍ଥିତି, ପବନର ଦିଗ ରନେଓ୍ଵ ପାଇଁ ଉପଯୋଗୀ ଥିବାରୁ ଏଠାରେ ବିମାନବନ୍ଦର କରିବାକୁ କମିଟି ସୁପାରିସ କରିଥିବା ଜଣାପଡ଼ିଛି। ଯାହାକୁ ଭିତ୍ତି କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଜି ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାନ ନେଇ ସୂଚନା ଦେଇଛି। ଟଙ୍ଗିଆପଡ଼ାରେ ପ୍ରାୟ ୧୮୦୦ଏକର ଜମି ଥିବାବେଳେ ପ୍ରାୟ ସମସ୍ତ ଜମି ସରକାରୀ। କିଛି ଜମି ଜଙ୍ଗଲ କିସମର ହୋଇଥିବାରୁ ଏହାକୁ ପରିବର୍ତ୍ତନ କରିବାକୁ ଆବେଦନ କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗିଆପଡ଼ା ଖୋର୍ଦ୍ଧା ସହର ଠାରୁ କମ୍‌ ଦୂରରେ, ଅଧିକ ସରକାରୀ ଜମି, ଗମନାଗମନର ସୁବିଧା ଦୃଷ୍ଟିରୁ ଆଗରେ ଥିଲା। ଏହାସହ ପ୍ରାୟ ୧୨ହଜାର ଫୁଟର ରନେଓ୍ଵ, ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ସମସ୍ତ ସୁବିଧା ସୁଯୋଗ ଥିବାରୁ ଟାଙ୍ଗିଆପଡ଼ାକୁ ସବୁଜ ସଙ୍କେତ ଦିଆଯାଇଛି।

ସମ୍ବନ୍ଧିତ ଖବର