ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦର ବିକ୍ଷୋଭ

ଭୁବନେଶ୍ୱର : ଦୁଇ ଦଫା ଦାବିରେ ଆଜି ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପରିଷଦର ହଜାର ହଜାର କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯନ୍ତ ଆସିଥିଲେ। ସେଠାରେ ସେମାନେ ସହ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଅଣକର୍ମଚାରୀ ସବୁଜ ପତ୍ରିକାଧାରୀ ପରିବାରମାନଙ୍କୁ ମାସିକ ୫ଶହ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଭତ୍ତା ପ୍ରଦାନ କରିବା ଓ ସବୁଜ ପତ୍ରିକାରେ ଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ପ୍ରକୃତ ହିତାଧିକାରୀଙ୍କୁ ତୁରନ୍ତ ସବୁଜ ପତ୍ରିକା ପ୍ରଦାନ କରିବା ପାଇଁ ପରିଷଦ ପକ୍ଷରୁ ଦାବି କରିଥିଲେ। ଏହାପରେ ପରିଷଦର ଏକ ପ୍ରତିନିଧିମଣ୍ଡଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ। ସମସ୍ୟାର ଅନୁଧ୍ୟାନ କରି ଖୁବ୍‌ ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଓହରିଥିଲେ। ତେବେ ଯଦି ସମସ୍ୟାର ସମାଧାନ କରା ନଯାଏ ତେବେ ଆଗାମୀ ଅଧିବେଶନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ଆନ୍ଦୋଳନରେ ରାଜ୍ୟ ସମ୍ପାଦକ ଅରୁଣ ସ୍ୱାଇଁ, ସଭାନେତ୍ରୀ ସସ୍ମିତା ବେହେରା, ସାଧାରଣ ସମ୍ପାଦକ ଦେବରାଜ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର