ନିର୍ବାଚନ ତାରିଖ ଘୋଷଣା ପରେ ସଚିବାଳୟ ଖାଁ ଖାଁ, ମନ୍ତ୍ରୀ କରିଡର ଶୂନଶାନ୍‌

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ କ୍ଷମତା କେନ୍ଦ୍ର ସଚିବାଳୟ ଏବେ ପୂରା ଖାଁ ଖାଁ। ପ୍ରାୟତଃ ଗହଳଚହଳ ନାହିଁ। ସାଧାରଣ ଭାବେ ଭିଡ଼ଭାଡ଼ ରହୁଥିବା ସଚିବାଳୟର ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଦ୍ୱିତୀୟ ଏବଂ ପ୍ରଥମ ମହଲାରେ ଥିବା ମନ୍ତ୍ରୀଙ୍କ ଦପ୍ତର ଏବେ ଜନଶୂନ୍ୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ ଆଉ ସଚିବାଳୟ ଆସୁ ନାହାନ୍ତି। ସେ ନିଜର ବାସଭବନ ନବୀନ ନିବାସରେ ଦଳୀୟ ନେତା, କର୍ମୀ ଓ ଟିକେଟ ଆଶୟୀଙ୍କୁ ଭେଟିବା ସହ ଦଳୀୟ ପ୍ରାର୍ଥୀ ମନୋନୟନ ନେଇ ବ୍ୟସ୍ତ। ସେହିପରି ମନ୍ତ୍ରୀମାନେ ନିଜର ଓ ନିଜ ସମର୍ଥକମାନଙ୍କର ପ୍ରାର୍ଥୀତ୍ୱ ନେଇ ଚିନ୍ତାରେ ଅଛନ୍ତି।

ତେଣେ ନିର୍ବାଚନ କମିସନ ଆଦର୍ଶ ଆଚରଣ ବିଧି ଲାଗୁ କରବା ପରେ ସରକାରୀ ଅଫିସରେ ଫାଇଲ କାମ ବହୁତ କମି ଯାଇଛି। କାରଣ ବର୍ତ୍ତମାନର ସରକାର କାମଚଳା ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବ ନାହିଁ। କେବଳ ଜାରି ରହିଥିବା ସରକାରୀ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଯାହା କିଛି ନଥି କାମ ହୋଇ ପାରିବ ଏବେ। ବର୍ତ୍ତମାନ ମୁଖ୍ୟ ଶସନ ସଚିବ, ଉନ୍ନୟନ କମିସନର ତଥା ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କ ଦ୍ୱାରା ସରକାରୀ କାମ ଚାଲିବ।

ମନ୍ତ୍ରୀମାନଙ୍କର ଦପ୍ତର ବର୍ତ୍ତମାନ ସେଥିଲାଗି ବସ୍ତୁତଃ ଶୂନଶାନ୍‌। ମନ୍ତ୍ରୀ ଦପ୍ତରରେ କାମ କରୁଥିବା ଜନୈକ କର୍ମଚାରୀ ସ୍ୱସ୍ତିରେ ନିଶ୍ୱାସ ମାରି କହନ୍ତି, ‘ଆମର ଆଜ୍ଞା ବର୍ତ୍ତମାନ ଦୁଇମାସ ବିଶ୍ରାମ । ପୁଣି ଆମ କାମ ଯାଇ ଆରମ୍ଭ ହେବ ଜୁନ ପ୍ରଥମ ସପ୍ତାହରେ। ଯା’ହେଉ ଖରାଦିନ ଟା ଆରାମରେ କଟିଯିବ।’

ତେବେ ବର୍ତ୍ତମାନର ହାଲ୍‌ ନେଇ ମନ୍ତ୍ରୀଙ୍କ ଜମାଦାର ତଥା ଚତୁର୍ଥଶ୍ରେଣୀ କର୍ମଚାରୀ କିନ୍ତୁ ସେତେ ଖୁସୀ ନୁହନ୍ତି। ମନ୍ତ୍ରୀମାନଙ୍କୁ ସାକ୍ଷାତ କରିବାକୁ ଆସୁଥିବା ବାବୁମାନଙ୍କ ଠାରୁ ଯେଉଁ ବକ୍ସିସ ମିଳୁଥିଲା ତାହା ଏବେ ବନ୍ଦ। ‘ନୂଆ ସରକାରରେ କିଏ କେଉଁ ବିଭାଗ ପାଇବେ ତାହା ଅନିଶ୍ଚିତ। ମତେ କେଉଁ ମନ୍ତ୍ରୀ ଦପ୍ତରରେ ନିଯୁକ୍ତି ମିଳିବ କେଜାଣି ବୋଲି କହନ୍ତି ଜଣେ ଦୁହାଁଳିଆ ବିଭାଗର ମନ୍ତ୍ରୀଙ୍କର ଜମାଦାର।
ସଚିବାଳୟ ଅର୍ଭ୍ୟର୍ଥନା ପ୍ରକୋଷ୍ଠରେ ମଧ୍ୟ ଭିଡ ବହୁତ କମିଯାଇଛି। ମନ୍ତ୍ରୀ ପ୍ରକୋଷ୍ଠକୁ ଯିବା ପାଇଁ ପ୍ରବେଶ ପତ୍ର ନେବା ଲାଗି ଆଉ କେହି ଆସୁନାହାନ୍ତି ବୋଲି କହନ୍ତି ଅଭ୍ୟର୍ଥନା କାଉଣ୍ଟରରେ ବସୁଥିବା ଜଣେ କର୍ମଚାରୀ।

ସମ୍ବନ୍ଧିତ ଖବର