ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ: ‘ପାପଡ଼ାହାଣ୍ଡି ଗୁଳିକାଣ୍ଡ ଉପରେ ଅଧିକ ଗବେଷଣା ଆବଶ୍ୟକ’

ଭୁବନେଶ୍ବର : ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ନବରଙ୍ଗପୁରର ପାପଡ଼ାହାଣ୍ଡିରେ ବ୍ରିଟିସ ପୁଲିସଙ୍କ ବର୍ବୋରୋଚିତ ଗୁଳିକାଣ୍ଡରେ ୧୯ଜଣ ସଂଗ୍ରାମୀ ପ୍ରାଣ ହରାଇଥିଲେ। କିନ୍ତୁ ବାସ୍ତବରେ ସେଦିନ ଗୁଳିକାଣ୍ଡରେ ଅଧିକ ସଂଗ୍ରାମୀ ନିହତ ହୋଇଥିଲେ। ମାତ୍ର ପରିତାପର କଥା ଏହି ସଂଗ୍ରାମୀମାନଙ୍କୁ ଐତିହାସିକମାନେ ‌ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଇନାହାନ୍ତି। ବର୍ତ୍ତମାନର ବିଦ୍ୟାର୍ଥୀ, ଐତିହାସିକ ଓ ସାମ୍ବା‌ଦିକମାନଙ୍କୁ ଏହା ଉପରେ ଅଧିକ ଗବେଷଣା କରିବା ସହିତ ଅନାଲୋଚିତ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ହେବ। କେବଳ ସେତିକି ନୁହେଁ, ପାଠ୍ୟ ପୁସ୍ତକରେ ପାପଡ଼ାହାଣ୍ଡି ଗୁଳିକାଣ୍ଡ ଘଟଣା ସ୍ଥାନ ପାଇବା ସହ ଏହାର ସ୍ମାରକୀକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ଜରୁରୀ ହୋଇପଡ଼ିଛି। ସେହିଭଳି ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ଏସମ୍ପର୍କରେ ପୁସ୍ତିକା ବଣ୍ଟନ କରାଯିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ବୀକୃତି ପାଇଥିବା ସ୍ମାରକୀକୁ ଭୁବନେଶ୍ବରରେ ଯଥାଶୀଘ୍ର ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶାବରୀ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ’ କାର୍ଯ୍ୟକ୍ରମରେ ‌‌‌‌‌ ଅତିଥିମାନେ ଏପରି ମତ ପ୍ରକାଶ କରିଛନ୍ତି।

ଅନୁସୂଚିତ ଜନ‌ଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ‌‌‌ଦେଇ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ ପାପଡ଼ାହାଣ୍ଡି ଗୁଳିକାଣ୍ଡରେ କେବଳ ୧୯ଜଣ ସ୍ବାଧୀନତା ସଂଗ୍ରାମୀ ସହିଦ ହୋଇନଥିଲେ। ନଦୀକୁ ଡେଇଁ କିଛି ସଂଗ୍ରାମୀ ପ୍ରାଣ ହରାଇଥିବା ବେଳେ ଅନେକ ସଂଗ୍ରାମୀ କାରାଦଣ୍ଡ ଭୋଗୁଥିବା ସମୟରେ ମୃତ୍ୟୁ ବରଣ କରିଥିଲେ। ମାତ୍ର ଐତିହାସିକମାନେ କେବଳ ୧୯ ଜଣଙ୍କ ସହିଦ ହେବା କଥା ଲେଖିଯାଇଛନ୍ତି। ତେଣୁ ଏ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ମୁଖ୍ୟ ବକ୍ତା ତଥା ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ କହିଥିଲେ ଯେ ପାପଡ଼ାହାଣ୍ଡି ତୁରୀ ନଦୀ ତଟରେ ଘଟିଥିବା ଏହି ଗୁଳିକାଣ୍ଡ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ହେଲେ ଐତିହାସିକମାନେ ଜାତୀୟସ୍ତରୀୟ ଆନ୍ଦୋଳନକୁ ଓ ସଂଗ୍ରାମୀଙ୍କୁ ଯେତିକି ଗୁରୁତ୍ବ ଦେଲେ, ଆଞ୍ଚଳିକସ୍ତରର ନେତାଙ୍କୁ ଓ ଘଟଣା‌କୁ ସେତିକି ଗୁରୁତ୍ବ ଦେଇନାହାନ୍ତି। ତେଣୁ ଏବେ ଗବେଷଣା କରିବା ସହିତ ଏହି ଘଟଣାରେ ସହିଦ ହୋଇଥିବା ୪୩ ରୁ ଅଧିକଙ୍କୁ ଯଥୋଚିତ ସମ୍ମାନ ଦେବାର ସମୟ ଆସିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ‌ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେଲିନ୍‌ ମହାନ୍ତି ପ୍ରମୁଖ ପାପଡ଼ାହାଣ୍ଡି ଗୁଳିକାଣ୍ଡରେ ସହିଦ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ବ୍ୟକ୍ତିତ୍ବ ଓ ସେମା‌ନଙ୍କ ବଳିଦାନର କଥା ଇତିହାସରେ ଲିପିବଦ୍ଧ ହେଉ ବୋଲି କହିଥିଲେ। ସଭାପତି ତଥା ମନ୍ତ୍ରୀ ଶ୍ରୀ ଜାରକା କହିଥିଲେ ଯେ ପାପଡ଼ାହାଣ୍ଡିର ସଂଗ୍ରାମୀଙ୍କ ଭଳି ବଳିଦାନ ଦେଇଥିବା ଦେଶପ୍ରେମୀଙ୍କ ବଳିଦାନ‌ର ଭିତ୍ତିଭୂମି ଉପରେ ଆମ ଦେଶ ଠିଆ ‌ହୋଇଛି। ସେମାନଙ୍କ ବଳିଦାନରୁ ମିଳିଥିବା ସ୍ବାଧୀନତା‌ର ଆନନ୍ଦ ଆଜି ଆମେ ଉପଭୋଗ‌ କରୁଛେ ବୋଲି ସେ କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଶାବରୀ ସାଂସ୍କୃତିକ ସଂସଦର ଉପସଭାପତି ଗୌରଚନ୍ଦ୍ର ତ୍ରିପାଠୀ ଧନ୍ୟବା‌ଦ ଦେଇଥିଲେ। ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।‌ ଶେଷରେ କାକିରିଗୁମା, କୋରାପୁଟର କଳାକାରମାନଙ୍କ ଦ୍ବାରା ଜନଜାତି ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର