ଭୁବନେଶ୍ବର: ସମାଜ ପ୍ରତି ବରିଷ୍ଠ ନାଗରିକଙ୍କର ଅବାଦନକୁ ସ୍ୱୀକାର କରିବା ପାଇଁ ଆଜିର ଏହି ‘ବରିଷ୍ଠ ନାଗରିକ ଦିବସ’ ସମର୍ପିତ। ତେବେ ଆମକୁ ସବୁ ଦିନ ପାଇଁ ଏହି ଅବଦାନକୁ ମନେ ରଖିବାକୁ ହେବ। ଜ୍ଞାନ ଓ ଅଭିଜ୍ଞତାର ଅମୂଲ୍ୟ ଉତ୍ସ ହେଉଛନ୍ତି ବରିଷ୍ଠ ନାଗରିକ। ସୁସ୍ଥ ସମାଜ ଗଠନ ଓ ଏହାର ବିକାଶରେ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଓ ମାର୍ଗଦର୍ଶନ ବିଶେଷ ସହାୟକ ହୋଇଥାଏ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

Advertisment

ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ ବିକଶିତ ଭାରତର ଯେଉଁ ସ୍ୱପ୍ନ ଦେଖିଛେ ଏବଂ ଭାରତକୁ ବିଶ୍ୱଗୁରୁ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛେ ତାକୁ ସାକାର କରିବା ଦିଗରେ ବରିଷ୍ଠ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସରକାର ମଧ୍ୟ ବରିଷ୍ଠ ନାଗରିକଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି ଏବଂ ଏହାର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅନୁଭବ ଓ ଆଶୀର୍ବାଦକୁ ପାଥେୟ କରି ଆମେ ନିଶ୍ଚିତ ସେହି ଲକ୍ଷ୍ୟ ହାସଲ କରିପାରିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମର କମିସନର ଚଞ୍ଚଲ ରାଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ରଜନୀ ଜାନୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସଚେତନତା, ଡିଜିଟାଲ୍‌ ସାକ୍ଷରତା ଓ ସାଇବର ସୁରକ୍ଷା ବାବଦରେ ବିସ୍ତୃତ ଭାବେ ଅବଗତ ଓ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶ୍ବେତପଦ୍ମା ସଂଗୀତାଳୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପୁଣ୍ୟଶ୍ଳୋକା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା  କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ଓ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ଯୋଗ ଦେଇଥିଲେ।

ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ଆଜି ସକାଳେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କଠାରେ ଏକ ଯୋଗ ଶିବିର ଆୟୋଜିତ ହୋଇଥିଲା। ହାସ୍ୟ ଅଭିନେତା ଦେବୁ ବ୍ରହ୍ମା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକଙ୍କୁ ଯୋଗର ଉପକାରିତା ବୁଝାଇବା ସହ ସମସ୍ତଙ୍କୁ ମାନସିକ ଓ ଶାରୀରିକ ରୂପେ ସୁସ୍ଥ ରହିବା ପାଇଁ ନିୟମିତ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକଙ୍କ ପାଇଁ ନିଃଶୁଳ୍ପ ସ୍ୱାସ୍ଥ୍ୟ ପରୀକ୍ଷାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ, ଭାସ୍କର ରଇତ ଓ ସୋନିଆ ବେହେରା, ଅର୍ଥ ପରାମର୍ଶଦାତା ଜୟଶ୍ରୀ ତ୍ରିପାଠୀ, ଉପଶାସନ ସଚିବ ବସନ୍ତ କୁମାର ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।