ଆଜି ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୧୬ ସୁରତ ଫେରନ୍ତା, ସ୍ପଷ୍ଟ କଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୧୭ଜଣଙ୍କ ସଂପର୍କରେ ଅଧିକ ତଥ୍ୟ ଦେଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ସେହି ସୂଚନା ଅନୁଯାୟୀ ଏମାନଙ୍କ ଭିତରୁ ୧୬ଜଣ ସୁରତ ଫେରନ୍ତା ଥିବା ବେଳେ ରାଉରକେଲାରେ ଯେଉଁ ଜଣେ ଚିହ୍ନଟ ହୋଇଛନ୍ତି ସେ କଣ୍ଟେନମେଣ୍ଟ ଅଞ୍ଚଳର। ଆଜି ଗଞ୍ଜାମ ଜିଲ୍ଲାରେ ୧୨ ଟି ସକାରାତ୍ମକ ମାମଲା ନଜରକୁ ଆସିଥିବା ବେଳେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଗୋଟିଏ ଏବଂ ମୟୂରଭଞ୍ଜରୁ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏମାନେ ସମସ୍ତେ ପୁରୁଷ।

ଏମାନଙ୍କର ଯୋଗାଯୋଗ ଅନୁସନ୍ଧାନ ଏବଂ ଅନୁସରଣ କାର୍ଯ୍ୟ କରାଯାଉଛି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୮ଟି ଜିଲ୍ଲାରୁ ମୋଟ ୨୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏଯାଏଁ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୧୯ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

ସମ୍ବନ୍ଧିତ ଖବର