ଗଞ୍ଜାମର ୨୮, କଟକ ଓ ବାଲେଶ୍ୱରର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଉ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ଗତକାଲି ସୁସ୍ଥ ହୋଇଥିବା ଏହି  ୩୦ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଗଞ୍ଜାମ ଜିଲ୍ଲାର ୨୮, କଟକ ଜିଲ୍ଲାର ଓ ବାଲେଶ୍ୱର ଜିଲ୍ଲାର ଜଣେ ଲେଖାଏଁ ସୁସ୍ଥ ହୋଇଥିବା ଜଣାଯାଇଛି । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି । ତେଣେ ଏବେ ଗଞ୍ଜାମରେ ମୋଟ୍ ୩୦, କଟକରେ ୨ଜଣ ଓ ବାଲେଶ୍ୱରରେ ୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି ।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୩୮ ଥିବା ବେଳେ ଏଯାବତ୍ ୩ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗତକାଲି ଏହି ସୂଚନା ଦେଇଥିଲେ। ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟରେ ଆଗାମୀ ଦିନରେ ଆହୁରି ଅନେକ କରୋନା ରୋଗୀ ସୁସ୍ଥ ହେବେ ।

ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୨୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୬ ଜଣ, ଭଦ୍ରକ ଜିଲ୍ଲାରୁ ୪୬ ଜଣ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୬-୨୬ ଜଣ, ପୁରୀ ଜିଲ୍ଲାରୁ ୧୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ମୟୂରଭଂଜ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୧୦ ଜଣ, ନୟାଗଡ଼ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାରୁ ୪-୪ ଜଣ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର