ରାଜ୍ୟରେ ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି  ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରୁ ଆଜି ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ଏମାନେ ସମସ୍ତେ ସକ୍ରିୟ ସଂକ୍ରମିତ ବୋଲି ଜଣାଯାଇଛି। ଏଣେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୩ ଓ ୨୫ରେ ପହଞ୍ଚିଥିବା ଜଣାଯାଇଛି। ଏହା ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧୯ ହୋଇଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୬୩ ଜଣ।

 

ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ଓଡ଼ିଶାର ୧୮ଟି ଜିଲ୍ଲାରୁ ମୋଟ ୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଏତଦବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସମ୍ବନ୍ଧିତ ଖବର