ଏନ୍‌ଏମ୍‌ସି ବିଲ୍‌ର ୪ଟି ଧାରାରେ ଓଡ଼ିଶାର ଆପତ୍ତି 

Advertisment

ରାଉରକେଲା : ରାଜ୍ୟସଭା ଅନୁମୋଦନ ଅପେକ୍ଷାରେ ଥିବା ଜାତୀୟ ମେଡ଼ିକାଲ୍‌ କମିସନ୍‌ (ଏନ୍‌ଏମ୍‌ସି) ବିଲ୍‌-୨୦୧୭ ଅନ୍ତର୍ଗତ ଘରୋଇ ମେଡ଼ିକାଲ୍‌ କଲେଜଗୁଡ଼ିକର ଫି’ ଧାର୍ଯ୍ୟ, ଏମ୍‌ବିବିଏସ୍‌ ପାସ୍‌ ପ୍ରାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ ନ୍ୟାସନାଲ୍‌ ଲାଇସେନ୍ସିଏଟ୍‌ ପରୀକ୍ଷା (ଏନ୍‌ଏଲ୍‌ଇ) ଆଦି ବ୍ୟବସ୍ଥା ସମେତ ୪ଟି ଧାରା ଓ ଉପଧାରାକୁ ଓଡ଼ିଶା ସରକାର ତୀବ୍ର ବିରୋଧ କରିଛନ୍ତି। ରାଜ୍ୟସଭା ସଚିବାଳୟର ଯୁଗ୍ମ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁଇ ଦିନ ତଳେ ପ୍ରେରିତ ପତ୍ରରେ ଦର୍ଶାଯାଇଛି ଯେ ପ୍ରଚଳିତ ବ୍ୟବସ୍ଥାରେ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମେଡ଼ିକାଲ କଲେଜଗୁଡ଼ିକର ଶତ ପ୍ରତିଶତ ସିଟ୍‌ ପାଇଁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ଫି’ ଧାର୍ଯ୍ୟ କରୁଛନ୍ତି। ମାତ୍ର ଆଗତ ବିଲ୍‌ର ଧାରା-୧୦(୧)ରେ ଥିବା ବ୍ୟବସ୍ଥାରେ କୁହାଯାଇଛି ଯେ ଘରୋଇ ମେଡ଼ିକାଲ କଲେଜଗୁଡ଼ିକରେ ସର୍ବାଧିକ ୪୦% ସିଟ୍‌ ପାଇଁ କେନ୍ଦ୍ର ସରକାର ବା ପ୍ରସ୍ତାବିତ ଏନ୍‌ଏମ୍‌ସି ଫି’ ଧାର୍ଯ୍ୟ କରିବେ। ଅବଶିଷ୍ଟ ୬୦% ପାଇଁ ସମ୍ପୃକ୍ତ ଅନୁଷ୍ଠାନ ଫି’ ଧାର୍ଯ୍ୟ କରିବ। ଓଡ଼ିଶା ସରକାର ଏଥିରେ ଆପତ୍ତି ଉଠାଇ ମତ ଦେଇଛନ୍ତି ଯେ ଘରୋଇ ମେଡ଼ିକାଲ୍‌ କଲେଜ୍‌ର ୮୫% ସିଟ୍‌ ପାଇଁ ଫି’ ନିୟନ୍ତ୍ରଣ କ୍ଷମତା ରାଜ୍ୟ ସରକାରଙ୍କ ହାତରେ ରହିବା ଉଚିତ। ଅବଶିଷ୍ଟ ୧୫% ସିଟ୍‌ ପାଇଁ ୟୁଜିସି ପ୍ରାଧିକୃତ କମିଟି ଫି’ ଧାର୍ଯ୍ୟ କରୁ। ଏ କ୍ଷେତ୍ରରେ ଘରୋଇ ଅନୁଷ୍ଠାନର ଆଇନଗତ କ୍ଷମତା ନରହୁ।

ଉପରୋକ୍ତ ଯୁକ୍ତିକୁ ଦୃଢ଼ କରିବାକୁ ଯାଇ ଓଡ଼ିଶା ସରକାର ଦର୍ଶାଇଛନ୍ତି ଯେ ‘ଓଡ଼ିଶା ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ ଆଇନ-୨୦୦୭’ ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ପାଇଁ ପ୍ରତି ବର୍ଷ ଫି’ ଧାର୍ଯ୍ୟ ନିମନ୍ତେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ରହିଛି। ଏହି କମିଟି ଘରୋଇ ବୈଷୟିକ ଅନୁଷ୍ଠାନଗୁଡ଼ିକର ଫି’ ଢ଼ାଞ୍ଚା ନିୟନ୍ତ୍ରଣ କରିଥିାନ୍ତି। ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଥିବା ମୋଟ ସିଟ୍‌ର ୮୫% ରାଜ୍ୟ କୋଟା। ଅବଶିଷ୍ଟ ୧୫% ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) କୋଟା। ଏନ୍‌ଆର୍‌ଆଇ କୋଟାରେ ନାମଲେଖା ପାଇଁ ପ୍ରାର୍ଥୀଙ୍କୁ ରାଜ୍ୟ କୋଟା ପାଇଁ ନିର୍ଦ୍ଧାରିତ ଫି’ର ୪ଗୁଣ ଦେବାକୁ ପଡ଼େ। ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। ତେଣୁ ପ୍ରସ୍ତାବିତ ଜାତୀୟ ମେଡ଼ିକାଲ୍‌ କମିସନ୍‌ ଏ କ୍ଷେତ୍ରରେ ଫି’ ନିର୍ଦ୍ଧାରଣ କରିପାରିବେ ନାହିଁ।

ଜାତୀୟ ଲାଇସେନ୍ସିଏଟ୍‌ ପରୀକ୍ଷା (ଏନ୍‌ଏଲ୍‌ଇ)ରେ କୃତକାର୍ଯ୍ୟ ନ ହେବା ଯାଏ ସ୍ନାତକ ଡିଗ୍ରୀ ହାସଲ କରିଥିବା ଡାକ୍ତରମାନେ ଚିକିତ୍ସା (ପ୍ରାକ୍ଟିସ୍‌) କରିପାରିବେ ନାହିଁ କି ସ୍ନାତକୋତ୍ତର ଶିକ୍ଷା ପାଇଁ ନାମଲେଖା ସୁଯୋଗ ପାଇବେ ନାହିଁ ବୋଲି ବିଲ୍‌ର ଧାରା ୧୫ରେ ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି। ଓଡ଼ିଶା ସରକାର ଏହାକୁ ସିଧାସଳଖ ବିରୋଧ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ମତରେ କୁହାଯାଇଛି ଯେ ଜାତୀୟ ସ୍ତରରେ ପରିଚାଳିତ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ (ନିଟ୍‌)ରେ ସଫଳ ହେବା ପରେ ପ୍ରାର୍ଥୀମାନେ ଡାକ୍ତରୀ ପାଠ୍ୟକ୍ରମ (ଏମ୍‌ବିବିଏସ୍‌/ବିଡ଼ିଏସ୍‌)ରେ ନାମଲେଖା ପାଇଁ ସକ୍ଷମ ହୁଅନ୍ତି। ପୁଣି ଭାରତୀୟ ଭେଷଜ ପରିଷଦ (ଏମ୍‌ସିଆଇ) ଦ୍ୱାରା ଅନୁମତିପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ସେମାନେ ଅଧ୍ୟୟନ କରୁଛନ୍ତି। ଦୀର୍ଘ ସାଢ଼େ ୫ ବର୍ଷର ପାଠପଢ଼ା ପରେ କଡ଼ା ପରୀକ୍ଷାର ସମ୍ମୁଖୀନ ହୋଇ ସେମାନେ ଡିଗ୍ରୀ ହାସଲ କରୁଛନ୍ତି। ତେଣୁ ଏମାନଙ୍କ ପାଇଁ ପୁନର୍ବାର ପରୀକ୍ଷା ଅନାବଶ୍ୟକ, ବରଂ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ତୁରନ୍ତ ସାର୍ଟିଫିକେଟ୍‌ ପ୍ରଦାନ ସହ ସେମାନଙ୍କ ପଞ୍ଜୀକରଣ କରାଯିବା ଉଚିତ ବୋଲି ରାଜ୍ୟ ସରକାର ଯୁକ୍ତି ଦର୍ଶାଇଛନ୍ତି।

ସେହିପରି ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏନ୍‌ଏଲ୍‌ଇ କଟକଣା ନରଖି ପ୍ରଚଳିତ ‘ନିଟ୍‌ ପିଜି’ ଓ ‘ନିଟ୍‌ ଏସ୍‌ଏସ୍‌’ ବ୍ୟବସ୍ଥା ଜାରି ରହିବା ଉଚିତ ବୋଲି ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଅତିରିକ୍ତ ଆପତ୍ତି ଉଠାଇ ରାଜ୍ୟ ସରକାର ଉଲ୍ଲେଖ କରିଛନ୍ତି ଯେ ଏନ୍‌ଏଲ୍‌ଇରେ ବିଫଳ ପ୍ରାର୍ଥୀଙ୍କ ଭବିଷ୍ୟତ ସମ୍ପର୍କରେ ବିଲ୍‌ ନୀରବ। ପୁଣି ସର୍ବାଧିକ କେତେ ଥର ପର୍ଯ୍ୟନ୍ତ ପ୍ରାର୍ଥୀ ଏନ୍‌ଏଲ୍‌ଇ ଦେଇପାରିବେ-ବିଲ୍‌ରେ ନିର୍ଦ୍ଦିଷ୍ଟ ଉଲ୍ଲେଖ ନାହିଁ। ତେବେ ଧାରା-୩୩ରେ ଥିବା ବ୍ୟବସ୍ଥା ଅନୁଯାୟୀ ବିଦେଶରେ ଶିକ୍ଷା ଲାଭ କରି ଭାରତରେ ଚିକିତ୍ସା କରିବାକୁ ଆସୁଥିବା ପ୍ରାର୍ଥୀଙ୍କ ପାଇଁ ଏନ୍‌ଏଲ୍‌ଇ କଟକଣା ବଳବତ୍ତର ରହିବା ଯଥାର୍ଥ ବୋଲି ରାଜ୍ୟ ସରକାର ସମର୍ଥନ କରିଛନ୍ତି। ଅନ୍ୟ ପକ୍ଷରେ ଧାରା-୩୩(୮) ଓ ୪୯(୪)ରେ ଥିବା ଅତିରିକ୍ତ ପାଠ୍ୟକ୍ରମ (ବ୍ରିଜ୍‌ କୋର୍ସ) ବ୍ୟବସ୍ଥାକୁ ବିରୋଧ କରି ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ଅସାମଞ୍ଜସ୍ୟ ପାଠ୍ୟକ୍ରମ ଚିକିତ୍ସା କ୍ଷେତ୍ରରେ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବ।