ଦେଶର ୬ ପ୍ରମୁଖ ଟୁର୍‌ ଅପରେଟରଙ୍କ ସହ ରାଜ୍ୟ ପର୍ଯ୍ୟଟନର ଆଲୋଚନା : ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଅଭିଯାନରେ ପହଞ୍ଚିଲେ ଟୁର୍‌ ଅପ୍‌ରେଟର

ଭୁବନେଶ୍ବର : ‘ଭୟରେ ନୁହେଁ, ସତର୍କତାର ସହ ଭ୍ରମଣ’। ଏହିଭଳି ଏକ ବାର୍ତା ନେଇ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଅଭିଯାନରେ ଆସିଥିବା ଦେଶର ୬ ପ୍ରମୁଖ ଟୁର୍‌ ଅପରେଟର୍‌ଙ୍କୁ ସ୍ବାଗତ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ମେ’‌ ଫେୟାର ହୋଟେଲ୍ ଓ ରିସୋର୍ଟ ସହଯୋଗରେ ସେମାନଙ୍କୁ ଆଜି ସ୍ବାଗତ ସହ ଆଲୋଚନା କରାଯାଇଛି। କରୋନା ଯୋଗୁଁ ବିପୁଳ କ୍ଷତିଗ୍ରସ୍ତ ହୋଇଥିବା ଟୁର୍‌ ଅପରେଟର୍‌ମାନେ ୨୯ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ଅଞ୍ଚଳ ୩୪ ଦିନରେ ଭ୍ରମଣ କରିବା ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ଟୁର୍‌ ଅପରେଟରମାନେ ଆଲୋଚନା କରିଛନ୍ତି।

ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ଆର୍‌ ଯାଦବ ଟୁର୍‌ ଅପରେଟରମାନଙ୍କୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅହମ୍ମଦାବାଦର ସିନର୍ଜି ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟ‌୍ସର ଥୋମାସ କୋସି, ମୁମ୍ବାଇର ଟ୍ରାଭେଲ୍‌ ଲଙ୍ଗ୍‌ର ପୱନ ଦୁବେ, ସୁରାଟର ଟୁର୍‌ସ ଆଣ୍ଡ୍‌ ଟ୍ରାଭେଲ୍‌ସ ନେଟୱର୍କର ରାଜୀବ ଶାହ, ସାଲ୍‌ଜାର ‌ହଲିଡେଜ୍‌ର ନିତିନ ଗୁପ୍ତା , ଇଜେଡ୍‌ ହଲିଡେଜ୍‌ର ରିତେଶ ପାରେଖ୍‌, ଟ୍ରାଭେଲ୍‌ କମ୍ଫୋର୍ଟର ସଞ୍ଜୟ ପଟେଲ୍‌ ପ୍ରମୁଖ ସାମିଲ୍‌ ହୋଇଥିଲେ।

ଏହି ଅବସରରେ ପର୍ଯ୍ୟଟନ ସଚିବ ବିଶାଲ ଦେବ ଓଡ଼ିଶା ପର୍ଯ୍ୟଟନରେ ଥିବା ସୁଯୋଗ, ଓଡ଼ିଶା ବାଏ ରୋଡ୍‌ ଅଭିଯାନ ଓ ୫ଟି ସ୍ଥାନରେ ହେବାକୁ ଯାଉଥିବା ଇକୋ-ରିଟ୍ରିଟ୍‌ ସମ୍ପର୍କରେ ଟୁର୍‌ ଅପରେଟରଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଶୁଣି ଟୁର୍‌ ଅପରେଟରମାନେ ସନ୍ତୋଷବ୍ୟକ୍ତ କରିବା ସହ ଓଡ଼ିଶାରେ ପର୍ଯ୍ୟଟନ ବ୍ୟାବସାୟିକ ଦିଗ ଉଜ୍ବଳ ବୋଲି କହିଛନ୍ତି। ଏହି ଅବସରରେ ବନ୍ୟଜନ୍ତୁ (ପିସିସିଏଫ୍‌) ଏଚ୍‌ ଉପାଧ୍ୟାୟ, ଏଏଆଇ ନିର୍ଦେଶକ ଭି.ଭି ରାଓ, ଇକୋ ପର୍ଯ୍ୟଟନ ଡିସିଏଫ୍‌ ଅଂଶୁ ଦାସ, ଆଇଏଚ୍‌ଏମ୍‌ ଭୁବନେଶ୍ବରର ଅଧ୍ୟକ୍ଷ ଶାରଦା ଘୋଷ, ମେ ଫେୟାର ହୋଟେଲ୍‌ ଆଣ୍ଡ୍‌ ରିସୋର୍ଟସ ଲିମିଟେଡ୍‌ର ଇଡି ସୌଭାଗ୍ୟ ମହାପାତ୍ର, ଓଡ଼ିଶାର ହୋଟେଲ୍‌ ଓ ରେସ୍ତୋରାଁ ପ୍ରତିନିଧି, ଟୁର୍‌ ଅପରେଟର ଓ ଏୟାରଲାଇନ୍‌ସର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର