୨୦୨୩ ସୁଦ୍ଧା ରାଜ୍ୟ ପର୍ଯ୍ୟଟନ ନୂଆ ରୂପ ପାଇବ

ହାରୋ କର୍ମକର୍ତ୍ତାଙ୍କ ସହ ସରକାରୀ ଅଧିକାରୀଙ୍କ ଆଲୋଚନା
ଖୁବ୍ ଶୀଘ୍ର ନୂଆ ପର୍ଯ୍ୟଟନ ନୀତି

ଭୁବନେଶ୍ବର : ଶ୍ରୀକ୍ଷେତ୍ର, ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ମନ୍ଦିର ଚତୁଃପାର୍ଶ୍ବରେ ବହୁ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ୨୮ଟି ନୂଆ ହୋଟେଲ୍‌, ରିସୋର୍ଟ ପାଇଁ ଅନୁମତି ଦିଆସରିଛି। ଜଳକ୍ରୀଡ଼ା, କ୍ରୁଜ୍‌, ହାଉସ୍‌ବୋଟ୍‌ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କେବଳ ପ୍ରମୁଖ ସ୍ଥାନରେ ନୁହେଁ, ଆଭ୍ୟନ୍ତରୀଣ ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ୪୬ଟି ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ କରାଯାଇଛି। ଏ ସମସ୍ତ କାର୍ଯ୍ୟକୁ ଏପରି ତ୍ବରାନ୍ବିତ କରାଯାଉଛି ଯେ ୨୦୨୩ ସୁଦ୍ଧା ରାଜ୍ୟ ପର୍ଯ୍ୟଟନ ସମ୍ପୂର୍ଣ୍ଣ ନୂଆ ରୂପ ପାଇବ। ରାଜ୍ୟ ପର୍ଯ୍ୟଟନକୁ ନେଇ ଏମିତି ଆଶା ଦେଖାଇଛନ୍ତି ସରକାରଙ୍କ ବରିଷ୍ଠ ଅଧିକାରୀମାନେ।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଉଥିବା‌ ପଦକ୍ଷେପ ସମ୍ପର୍କରେ ହୋଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ହାରୋ)ର ସଦସ୍ୟମାନଙ୍କ ସହ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା କରିଥିଲେ। ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟ ସରକାର ପର୍ଯ୍ୟଟନର ବିକାଶକୁ ଗୁରୁତ୍ବ ଦେବା ସହ ପର୍ଯ୍ୟଟକଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରତି ନଜର ରଖିଛନ୍ତି। ଏହା ଦ୍ବାରା ରାଜସ୍ବ, ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ। ୨୦୨୩ ସୁଦ୍ଧା ପୁରୀ, କୋଣାର୍କ, ଭୁବନେଶ୍ବର, କଟକ ଓ ଅନ୍ୟ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନେ ବହୁତ ଭଲ ଅନୁଭୂତି ପାଇବେ। କୋଭିଡ୍‌ ପାଇଁ ଆତିଥେୟତା କ୍ଷେତ୍ର ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ଗୁରୁତର ସହ ଚିନ୍ତା କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ କହିଥିଲେ ଯେ ୨୦୨୧-୧୧ ବଜେଟ୍‌ରେ ପର୍ଯ୍ୟଟନ ପାଇଁ ଗତ ବର୍ଷ ଅପେକ୍ଷା ଦୁଇ ଗୁଣ ଅଧିକ ଅର୍ଥ ବରାଦ ହୋଇଛି। ନୂଆ ପର୍ଯ୍ୟଟନ ନୀତି ଖୁବ୍ ଶୀଘ୍ର ପ୍ରକାଶ ପାଇବ। ପର୍ଯ୍ୟଟନ ପାଇଁ ଆସନ୍ତା ୨/୩ ବର୍ଷ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହି ସମୟ ମଧ୍ୟରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବ। ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ ରାଜ୍ୟର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ମାଷ୍ଟର୍‌ ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ଗତ ଦୁଇ ବର୍ଷରେ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ୧୫ଟି ହୋଟେଲ, ୧୩ ରିସୋର୍ଟ, ଦୁଇଟି ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ, ଗୋଟିଏ କ୍ରୁଜ୍‌, ଗୋଟିଏ ହାଉସ୍‌ ବୋଟ୍‌, ଦୁଇଟି ଜଳ କ୍ରୀଡ଼ା, ୪ଟି ମଲ୍ଟିପ୍ଲେକ୍ସ, ୪ଟି ମୋଟେଲ୍‌ ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି।

ପୂର୍ତ୍ତ ସଚିବ କ୍ରିଷନ୍ କୁମାର କହିଥିଲେ ଯେ କୋଭିଡ୍‌ ମହାମାରୀ ସତ୍ତ୍ବେ ବହୁ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି, ଯାହା କି ପର୍ଯ୍ୟଟନ କ୍ଷେତ୍ରର ଉତ୍‌ଥାନରେ ସହାୟ ହେବ। ଅବଡ଼ା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଦ୍ବାରା ୨୦୨୩ ସୁଦ୍ଧା ପୁରୀର କଳେବର ବଦଳିଯିବ। ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳର ଚିତ୍ର ବଦଳିଯିବ। ଏହା ବାଦ୍ କୋଣାର୍କ, ସମଲେଶ୍ବରୀ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି। ପୁରୀରେ ବେଳାଭୂମି ସାମ୍ନାରେ ବିଲ୍‌ଡିଂ ପ୍ଲାନ୍ ମଞ୍ଜୁରି ନେଇ ରହିଥିବା ସମସ୍ୟାର ସମାଧାନ ହୋଇଛି, ଯାହାକି ‌ଆତିଥେୟତା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରିବ।

ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି କହିଥିଲେ ଯେ କୋଭିଡ୍‌ ସମୟ‌େର ରାଜ୍ୟ ପର୍ଯ୍ୟଟନକୁ ଉଚ୍ଚ ସୋପାନକୁ ନେବା ପାଇଁ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ। ହୋଟେଲ୍‌ ଓ ଟ୍ରାଭେଲ୍‌ ବ୍ୟବସାୟ ସାମ୍ନା କରୁଥିବା ବିିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ଲକ୍‌ଡାଉନ୍ ସମୟରେ ନିଆଯାଇଥିବା ସର୍ବନିମ୍ନ ବିଜୁଳି ଦେୟକୁ ଛାଡ଼ କରାଯାଉ। ଯେତିକି ବିଜୁଳି ଖର୍ଚ୍ଚ ହୋଇଛି, ତାହାର ଦେୟ ନିଆଯାଉ। ଟ୍ରେଡ୍‌ ଲାଇସେନ୍ସ ଫି ସମେତ ପୌରପାଳିକା ନେଉଥିବା ସମସ୍ତ ଦେୟକୁ ୨୦୨୦-୨୧ ପ‌ାଇଁ ଛାଡ଼ କରାଯାଉ। ବାର୍‌ ଲାଇସେନ୍ସ ଫିକୁ ଫେରାଇ ଦିଆଯାଉ। ଶିଳ୍ପ ତାରିଫ ଅନୁଯାୟୀ ହୋଟେଲ ଶିଳ୍ପ ପାଉଥିବା ବିଭିନ୍ନ ପ୍ରୋତ୍ସାହନ ଓ ରିହାତି ପାଇଁ ଆତିଥେୟତା କ୍ଷେତ୍ରକୁ ଶିଳ୍ପର ମାନ୍ୟତା ଦିଅାଯାଉ। ହାରୋର ଉପଦେଷ୍ଟା ଦୀପକ ରାଠୋର ସ୍ବାଗତ ଭାଷଣ ଦେଇଥିଲେ ଓ ସାଧାରଣ ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର