ଭୁବନେଶ୍ବର: ଅକ୍ଟୋବର ୨୦ ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ପାଇଁ ଘରୋଇ ମାଲିକ ସଂଘ ଚେତାବନୀ ଦେଇଥିବା ବେଳେ ଏହାକୁ ପ୍ରତ୍ୟାହାର ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅପିଲ କରିଛନ୍ତି। ଘରୋଇ ବସ୍ ମାଲିକ ସଂଘକୁ ଅପିଲ୍ କରିବା ସହିତ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ବସ୍ ମାଲିକ ସଂଘ ଏକତରଫା ନିଷ୍ପତ୍ତି ନେଇଛି। ପୂଜା ସମୟ ଥିବାରୁ ଘରୋଇ ଯାତ୍ରୀବାହୀ ବସ୍‌ ମାଲିକମାନେ ସହଯୋଗ କରନ୍ତୁ। ଲୋକେ କିପରି ହଇରାଣ ନ ହେବେ ଏଥି ପାଇଁ ଦୃଷ୍ଟି ଦିଅନ୍ତୁ। ଆସନ୍ତା ୨୬ ତାରିଖରେ ବସ୍ ମାଲିକ ସଂଘ ସହ ଆଲୋଚନା ହେବ। ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ କାମ। ଏହି ଯୋଜନା ମାଧ୍ୟମରେ ଗମନାଗମନ ବ୍ୟବସ୍ଥା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଗଣମାଧ୍ୟମରେ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ଘରୋଇ ଯାତ୍ରୀବାହୀ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମେ ସବୁବେଳେ ସରକାରଙ୍କ ଦାବି ଶୁଣିଛୁ। ୬ ମାସ ହେଲାଣି ବୈଠକ ଚାଲିଛି। ହେଲେ ମନ୍ତ୍ରୀ କୌଣସି ବୈଠକରେ ଉପସ୍ଥିତ ନ ଥିଲେ। କେବଳ ପରିବହନ ସଚିବ ଆମ ସହ ଆଲୋଚନା କରିଛନ୍ତି। ଆମେ ତାଙ୍କ ଅନୁରୋଧ ରକ୍ଷା କରୁଛୁ। ଆଜି ଯେଉଁ ଆଲୋଚନା ହେଲା ତାହା ଲିଖିତ ଆକାରରେ ଦିଅନ୍ତୁ। ସରକାରଙ୍କ ପାଖରେ ଏବେ ମଧ୍ୟ ସମୟ ଅଛି ଆଲୋଚନା କରିବା ପାଇଁ। ଆଜି ଯେଉଁ ଆଲୋଚନା ହୋଇଛି ସେ ଚିଠି ଏବେ ହୋଇଗଲେ ମଧ୍ୟ ଆନ୍ଦୋଳନ ବନ୍ଦ ହୋଇଯିବ। ସରକାରଙ୍କ ମୌଖିକ ଉତ୍ତର ଉପରେ ଆମର ଭରଷା ନାହିଁ। ସଂଘରେ କୌଣସି ଫାଟ ନାହିଁ।

ଅନ୍ୟପଟରେ ବାଲେଶ୍ବର ଜିଲ୍ଲାରେ ବସ୍‌ ଗଡ଼ିବା ନେଇ ବାଲେଶ୍ୱର ଘରୋଇ ବସ୍‌ ମାଲିକ ସଂଘ ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ଆମେ ଧର୍ମଘଟକୁ ବିରୋଧ କରୁନୁ। ମାତ୍ର ଏହା ଉଚିତ ସମୟ ନୁହେଁ। କାଲି ଧର୍ମଘଟ ପାଇଁ ଆଜି ରାତିରେ ଘୋଷଣା କରିବା ଠିକ୍‌ ନୁହେଁ।’