ରାଜ୍ୟ ବିଶ୍ବବିଦ୍ୟାଳୟ କୁଳପତି ସମ୍ମିଳନୀ: ୧୯ ସୁଦ୍ଧା ସରିବ ଯୁକ୍ତ୩ ପରୀକ୍ଷା

ଅଗଷ୍ଟ ୨୩ରୁ ପିଜି ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ଶେଷ ସେମିଷ୍ଟର୍‌ ପରୀକ୍ଷା (ବ୍ୟାକ୍‌ ପେପରକୁ ଛାଡ଼ି) ଅଗଷ୍ଟ ୧୯ସୁଦ୍ଧା ଶେଷ ହେବ ଏବଂ ବ୍ୟାକ୍‌ ପେପର୍‌ ସମେତ ଶେଷ ସେମିଷ୍ଟର୍‌ ପରୀକ୍ଷାଫଳ ସେପ୍ଟେମ୍ବର ୨୭ସୁଦ୍ଧା ପ୍ରକାଶ କରାଯିବ। ସେହିପରି ସ୍ନାତକୋତ୍ତର (ପିଜି) ଶେଷ ସେମିଷ୍ଟର୍‌ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ସରିବ। ସେପ୍ଟେମ୍ବର ୨୦ସୁଦ୍ଧା ପରୀକ୍ଷା ଫଳ ବାହାରିବ ବୋଲି ଆଜି ଅନୁଷ୍ଠିତ ରାଜ୍ୟ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ୨୦୨୧-୨୨ ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ଚଳିତବର୍ଷ ମଧ୍ୟ ଏକକ ନାମଲେଖା ଅନୁଷ୍ଠିତ ହେବ। ପିଜି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୩ରୁ ସେପ୍ଟେମ୍ବର ପହିଲା ମଧ୍ୟରେ ହେବ। ଅକ୍ଟୋବର ୧୫ରୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ବୈଠକରେ ସ୍ଥିର ହୋଇଛି।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କୁଳପତିମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଲେ, ରାଜ୍ୟରେ ଉତ୍ତମ ଶୈକ୍ଷିକ ବାତାବରଣ ଜରିଆରେ ଉଚ୍ଚଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଏହାର ସଫଳ ରୂପାୟନ ପାଇଁ ବିଶ୍ବବିଦ୍ୟାଳୟ କୁଳପତିଙ୍କର ଦୃଢ଼ ନେତୃତ୍ବ ଆବଶ୍ୟକ। କୁଳପତିମାନେ କାର୍ଯ୍ୟ ‌କ୍ଷେତ୍ରରେ ଉଦାହରଣ ସୃଷ୍ଟି କରି ବିଶ୍ବବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଆବଶ୍ୟକ। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା, ପିଏଚ୍‌ଡି ପଞ୍ଜୀକରଣ, ପରୀକ୍ଷାଫଳ ପ୍ରକାଶ ଓ ମୌଖିକ ପରୀକ୍ଷା କ୍ଷେତ୍ରରେ ସର୍ବାଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଉପରେ ମନ୍ତ୍ରୀ ଶ୍ରୀ ସାହୁ ଗୁରୁତ୍ବାରୋପ କରିଥିଲେ। ବିଶ୍ବବିଦ୍ୟାଳୟ ପରିଚାଳନାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଇ-ସ୍ପେସ୍‌/ଇ-ଡେସ୍‌ପାଚ୍‌/ଇ-ଅଫିସ୍‌ ଆଦି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ୍‌, ପଞ୍ଜୀକରଣ ଓ ମୂଳ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବହୁଳ ପ୍ରୟୋଗ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ବୈଠକରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର୍‌ ଅଶୋକ ଦାସଙ୍କ ସମେତ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର