ଜାନୁଆରି ମାସରୁ ଏପର୍ଯ୍ୟନ୍ତ ମୋଟ ୨୨ଲକ୍ଷ ୩୬ହଜାର ୬୧୫ ଟିକାକରଣ ହୋଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ଗତ ଜାନୁଆରି ମାସରୁ ଏପର୍ଯ୍ୟନ୍ତ ମୋଟ ୨୨ଲକ୍ଷ ୩୬ହଜାର ୬୧୫ ଟିକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩ଲକ୍ଷ ୪୭ହଜାର ୭୮୭ ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଲୋକଙ୍କୁ ଟିକା ଦିଆଯାଇଛି ବୋଲି ବି ସେ କହିଛନ୍ତି।
ପରିବାର କଲ୍ୟାଣ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି , ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଆଉ ପ୍ରେସକ୍ରିପସନ ଦେବାକୁ ପଡ଼ୁନି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚିସାରିଛି। ଏବେ ରାଜ୍ୟରେ ୧୭ଲକ୍ଷ ଟିକା ମହଜୁଦ ଅଛି। ଏପ୍ରିଲ ୨ତାରିଖରେ ଆହୁରି ୯ଲକ୍ଷ ୮୮ ହଜାର୨୫୦ ଡୋଜ ଟିକା ଆସିବ।
ଏପ୍ରିଲ ୧ତାରିଖରୁ ଦୈନିକ ୨ ଲକ୍ଷ ଟିକାକରଣ ହେବ। ଟିକାକରଣରେ ଅନୁଗୁଳ ଜିଲ୍ଲା ସବୁଠାରୁ ପଛରେ ରହିଛି। ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର ଓ ନୂଆପଡ଼ା ବି ପଛରେ ଅଛି।
ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଆଜି ସମୀକ୍ଷା ବୈଠକ ଅଛି। ବୈଠକରେ ଅଧିକ ଟିକାକରଣ ନେଇ ଆଲୋଚନା ହେବ। ଗ୍ରାମାଞ୍ଚଳରେ ଲୋକଙ୍କୁ ବୁଝେଇକି ଟିକା ଦେବାକୁ ପଡୁଛି। ରାଜ୍ୟରେ ଏବେ ୧ହଜାର କେନ୍ଦ୍ରରେ ଟିକା ଦିଆଯାଉଛି। ଏହି କେନ୍ଦ୍ର ବଢ଼ାଇବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଟିକା ନଷ୍ଟ ହେବାରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି। ଆମ ରାଜ୍ୟରେ ମାତ୍ର ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଥିବା ବେଳେ ଅନ୍ୟ ରାଜ୍ୟରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଛି।

ସମ୍ବନ୍ଧିତ ଖବର