ଭୁବନେଶ୍ବର : ତାଲିମ ଓ ପ୍ରଶିକ୍ଷଣ ସରକାରୀ କର୍ମଚାରୀଙ୍କ ବୃତ୍ତିଗତ ଜୀବନର ଏକ ଗୁରୁତ୍ବପୂର୍ଣ ଅଙ୍ଗ। ବିଶେଷତଃ ୟୁନିଫର୍ମଧାରୀ ଅଧିକାରୀମାନଙ୍କ ପାଇଁ ଏହା ଅଧିକ ମହତ୍ତ୍ବ ରଖେ। ଆଜି ପୂର୍ବାହ୍ଣରେ ଭୁବନେଶ୍ବରଠାରେ ଭିଜିଲାନ୍ସ ଏକାଡେମି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହା କହିଛନ୍ତି। ବିଭିନ୍ନ ସରକାରୀ ବିଭାଗରେ ସ୍ବୀକୃତ ମୁଖ୍ୟ ଭିଜିଲାନ୍ସ ଅଫିସରମାନଙ୍କୁ ଏହି ଏକାଡେମିରେ ତାଲିମ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଭିଜିଲାନ୍ସ ନିର୍ଦେଶକଙ୍କୁ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ, ଉପଯୁକ୍ତ ତାଲିମ ଦ୍ବାରା ଦକ୍ଷତାର ବିକାଶ ହୋଇଥାଏ। ଏହା ସରକାରୀ ଅଧିକାରୀମାନଙ୍କ ମନରେ କାର୍ଯ୍ୟ କରିବାର ଆଗ୍ରହ ବଢ଼ାଇଥାଏ। ଅନ୍ୟତମ ଅତିଥି ଭାବେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ପ୍ରତିଷ୍ଠାନ ରାଜ୍ୟର ଦୁର୍ନୀତି ଅନୁସନ୍ଧାନ ଓ ଦଣ୍ଡ ବିଧାନ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ ଓ ଶାଣିତ କରିବ ବୋଲି କହିଥିଲେ।
ଭିଜିଲାନ୍ସ ନିର୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ କହିଥିଲେ, ଏକାଡେମିରେ ସାଇବର୍ ଅପରାଧ, ଆର୍ଥିକ କାରବାର ଜନିତ ଅପରାଧ, ବୈଷୟିକ କୌଶଳ ମାଧ୍ୟମରେ କରାଯାଉଥିବା ନୂଆନୂଆ ଅପରାଧ, ସୋସିଆଲ ମିଡିଆ ଅପରାଧ ଆଦିର ଅନୁସନ୍ଧାନ ବିଷୟରେ ଅତ୍ୟାଧୁନିକ ତାଲିମ ଦିଆଯିବ। ତା ଛଡ଼ା କମ୍ପାନି ଆଇନ, ବିଦେଶୀ ଅର୍ଥ କାରବାର ଆଇନ, ମନି ସର୍କୁଲେସ ଆଇନ, ବିଭିନ୍ନ ମକଦ୍ଦମାରେ ସୁପ୍ରିମକୋର୍ଟ ଓ ହାଇକୋର୍ଟମାନଙ୍କ ନିଷ୍ପତ୍ତି ଓ ନିର୍ଦେଶ ଆଦି ବିଷୟରେ ତାଲିମ ଦିଆଯିବ। ଏକାଡେମିରେ ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଇଣ୍ଟର୍ଣ୍ଣସିପ୍ର ବ୍ୟବସ୍ଥା ହୋଇଛି। ଏପରିକି ଏକାଡେମି ସାରା ଦେଶରେ ପ୍ରଥମ ବୋଲି ଭିଜିଲାନ୍ସ ନିର୍ଦେଶକ ଶ୍ରୀ ପାଣିଗ୍ରାହୀ କହିଥିଲେ।
ଏହି ଅବସରରେ ଭିଜିଲାନ୍ସ ନିର୍ଦେଶାଳୟ ଦ୍ବାରା ପ୍ରସ୍ତୁତ କଫି ଟେବୁଲ ପୁସ୍ତିକାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଉନ୍ମୋଚନ କରିଥିଲେ। ସୂର୍ଯ୍ୟନଗର ଭିଜିଲାନ୍ସ ଡିଭିଜନ୍ ପରିସରରେ ସ୍ଥାପିତ ଏହି ଏକାଡେମିରେ ଲାଇବ୍ରେରି, ଶ୍ରେଣୀ କକ୍ଷ, ପେକ୍ଷାଳୟ, ରିସେପସନ୍ ଓ ଲବି ଆଦିର ବ୍ୟବସ୍ଥା ରହିଛି। ଖୁବ ଶୀଘ୍ର ଏଥିରେ କମ୍ପ୍ୟୁଟର ପରୀକ୍ଷାଗାର ଓ ସିମୁଲେସନ ସେଲ୍ ଖୋଲାଯିବ। ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ଏସ୍ପି ସୁଧା ସିଂ ସ୍ବାଗତ ଭାଷଣ ଦେଇଥିବାବେଳେ ଡିଆଇଜି ସଞ୍ଜୟ କୌଶଲ ଧନ୍ୟବାଦ ଅର୍ପଣ କରିଥିଲେ।