୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ: ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରୀ ତାପମାତ୍ରା ୧୦ ଡିଗ୍ରିରୁ କମ୍ ରେକର୍ଡ ହେବା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶୀତଳ ଲହରର ପ୍ରଭାବରେ ଜାନୁଆରୀ ୩୦ ତାରିଖ ଯାଏ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେବ ଏବଂ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ। ରାଜ୍ୟ ମଧ୍ୟକୁ ଉତ୍ତରା-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ ପ୍ରବେଶ କରୁଥିବା ହେତୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଆହୁରି ମଧ୍ୟ ସୂଚନା ମିଳିଛି ଯେ, ପାହାଡ଼ିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରି ତାପମାତ୍ରା ୧୦ ଡିଗ୍ରି ସେଲସିୟସରୁ କମ ରେକର୍ଡ ହେବା ସମ୍ଭାବନା ରହିଛି।

ଏଥିପାଇଁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଓ ବରଗଡ଼ ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ ଆଦି ଜିଲ୍ଲାରେ ଏବଂ ୩୦ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ ଆଦି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବା ସହ ରାଜ୍ୟରେ ଶୀତ କମିବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର