କଟକ : ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ଆଜି କ˚ଗ୍ରେସର ବନ୍ଦ ଡାକରା ଦେଇଥିବାବେଳେ ବ୍ୟାପକ ପ୍ରସ୍ତୁତି କରିଛି ଓଡ଼ିଶା ପୁଲିସ। ରାଜ୍ୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ମୋଟ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ରାଜ୍ୟରେ ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ନିୟୋଜିତ ହେବ। କେବଳ କଟକ-ଭୁବନେଶ୍ବର କମିସନରେଟ୍ ପୁଲିସରେ ୩୭ ପ୍ଲାଟୁନ୍ ଏବ˚ ପୁରୀରେ ୧୪ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରାଯିବ। ଏହାବାଦ୍ ଅନ୍ୟ ଜିଲ୍ଲାରେ ୨ରୁ ୫ ପ୍ଲାଟୁନ୍ ପର୍ଯ୍ୟନ୍ତ ଫୋର୍ସ ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ଏସପି ଓ କମିସନରେଟ୍ ପୁଲିସର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏମାନେ ସ୍ଥିତି ଉପରେ ନଜର ରଖିବେ। ଯଦିଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବାକୁ କ˚ଗ୍ରେସ ପକ୍ଷରୁ କୁହାଯାଇଛି, ତେବେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ବିମାନ ଚଳାଚଳ ପ୍ରଭାବିତ ହେବନି
ଭୁବନେଶ୍ବର : କଂଗ୍ରେସର ବନ୍ଦ ଡାକରା ପାଇଁ ବସ୍, ଟ୍ରେନ୍ ଚଳାଚଳ ପ୍ରଭାବିତ ହେବାକୁ ଥିଲେ ହେଁ ବିମାନ ସେବା ପ୍ରଭାବିତ ହେବନି। ସବୁ ବିମାନ ଧାର୍ଯ୍ୟ ସମୟରେ ଆସିବ ଏବଂ ଯିବ ବୋଲି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ବନ୍ଦ ପାଇଁ ଯାତ୍ରୀଙ୍କ ଯାତାୟାତରେ ସମସ୍ୟା ଉପୁଜିପାରେ। ତେଣୁ ସମସ୍ତଙ୍କୁ ଆଗୁଆ ୱେବ୍ ଚେକ୍-ଇନ୍ କରିବାକୁ ବିଭିନ୍ନ ବିମାନ ଉଡ଼ାଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଯାତ୍ରୀମାନେ ଆଗୁଆ ଚେକ୍ ଇନ୍ କରନ୍ତୁ ନଚେତ୍ ତିନି ଘଣ୍ଟା ଆଗରୁ ବିମାନବନ୍ଦରରେ ପହଞ୍ଚନ୍ତୁ। ସେହିପରି ବିମାନବନ୍ଦରରେ ଯେପରି କୌଣସି ପ୍ରକାରର ଅଘଟଣ ନଘଟେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟ ଦିନଗୁଡ଼ିକ ତୁଳନାରେ ଅଧିକ ସିଆଇଏସ୍ଏଫ୍ ଯବାନ ମୁତୟନ କରାଯିବ। ବିମାନବନ୍ଦର ବାହାରକୁ ଆସିବା ପରେ ଯାତ୍ରୀମାନେ ସେମାନଙ୍କ ସୁବିଧାରେ ଘରକୁ ଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/road-3f.jpg)