ରାଜ୍ୟରେ ୧୨୮ ପ୍ୟାକ୍ସରେ ହେବ ବହୁମୁଖୀ ଗୋଦାମ ଗୃହ

ମିଳିବ ଓ୍ବାନ ଷ୍ଟପ୍‌ ସେଣ୍ଟର ଭଳି ସୁବିଧା

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯିବ। ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଅଧ୍ୟକ୍ଷ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାର ଅନୁମୋଦନ କରିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି, ଓ୍ବାନ ଷ୍ଟପ୍‌ ସେଣ୍ଟର ଭଳି ଏହି ଗୋଦାମ କାର୍ଯ୍ୟ କରିବ। ଯହାଦ୍ବାରା ଚାଷୀ ଗୋଟିଏ ସ୍ଥାନରେ ସବୁ ସୁବିଧା ପାଇପାରିବେ। ଏହି ଗୋଦାମ ନିର୍ମାଣ ଦ୍ବାରା ଚାଷୀମାନଙ୍କ ଠାରୁ ଧାନ, ଡାଲି, ତୈଳବୀଜ ସଂଗ୍ରହ ସୁବିଧାରେ ହୋଇ ପାରିବ। ସାର ଏବଂ ବିହନ ଗଚ୍ଛିତ ରଖି ବିକ୍ରି କରିବାରେ ମଧ୍ୟ ସୁବିଧା ହେବ। ପ୍ୟାକ୍ସ, ଲ୍ୟାମ୍ପ୍ସ ପରିସରରେ କାର୍ଯ୍ୟାଳୟ ସୁବିଧା ନିମନ୍ତେ ଅଫିସ ଗୃହ ନିର୍ମାଣ କରାଯିବ। ଏହା ଦ୍ବାରା ଚାଷୀମାନଙ୍କ ବିଭିନ୍ନ ଆବଶ୍ୟକତା ପୂରଣ ହୋଇପାରିବ।

ପ୍ରଥମ ପର୍ଯ୍ୟାୟରେ ନିୟନ୍ତ୍ରିତ ବଜାର କମିଟି ଦ୍ବାରା ପ୍ରଦତ୍ତ ଅର୍ଥରେ ଏହା ହେବ। ଏଥିରେ ୫୦ ଟନ ଲେଖାଏ କ୍ଷମତା ବିଶିଷ୍ଟ ଦୁଇଟି ଗୋଦାମ ନିର୍ମାଣ କରାଯିବ। ଏଥିପାଇଁ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଗୋଟିଏ ଅଫିସ ଗୃହ ସମେତ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ରହିବ। ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ବାରା ଏହାର ଏକ ମଡେଲ ଡିଜାଇନ, ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଜିଲ୍ଲା ପ୍ରଶାସନର ପରାମର୍ଶରେ ଗୋଦାମ ଗୃହ ନିର୍ମାଣ ପାଇଁ ଚାଷୀମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇବାର ନିର୍ଦେଶ ହୋଇଛି। ଆଠମଲ୍ଲିକ, ଜଳେଶ୍ବର, ଭଦ୍ରକ, ଚାନ୍ଦବାଲି, କରଞ୍ଜିଆ, ଭଞ୍ଜନଗର, ହିଞ୍ଜିଳିକାଟୁ, ପାରଳାଖେମୁଣ୍ଡି, କଣ୍ଟାବାଞ୍ଜି, ବୀରମହାରାଜପୁର, କେନ୍ଦୁପାଟଣା, ନରସିଂହପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କାମାକ୍ଷାନଗର, ହିନ୍ଦୋଳ, ଭବାନୀପାଟନା, ଜୁନାଗଡ଼, କେସିଙ୍ଗା, କେନ୍ଦୁଝର, ଜଟଣୀ, ବାଲୁଗାଁ, ବୌଦ୍ଧ, ସମ୍ବଲପୁର, ଯାଜପୁର, ବାହାଡଝୋଲା ଏବଂ ଦେବଗଡ଼ରେ ଏହି ଗୋଦାମ ଗୃହ ନିର୍ମାଣ ହେବ।

ସମ୍ବନ୍ଧିତ ଖବର