ପ୍ରଶାନ୍ତ କୁମାର ମିଶ୍ର
ବଲାଙ୍ଗୀର: ଏକଦା ଓଡ଼ିଶା ମହିଳା କବାଡ଼ି ଟିମ୍କୁ ପ୍ରତିନିଧିତ୍ବ କରୁଥିଲେ। ଅଭାବ ଅନଟନ ଏବେ ତାଙ୍କୁ ଖେଳ ସାଙ୍ଗକୁ ପାଠପଢ଼ାରୁ ଦୂରେଇ ନେଇଛି। ବିଲରେ ମାଟି ବୋହିବା ସହ ଛେଳି ଚରାଉଛନ୍ତି। ପ୍ରଚୁର ସମ୍ଭାବନା ଥିବା ସତ୍ତ୍ବେ ଅର୍ଥାଭାବ ଓ ପରିସ୍ଥିତି ଚାପରେ ପଛରେ ରହିଯାଇଥିବା ପ୍ରତିଭା ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଗମ୍ଭାରୀଗୁଡ଼ା ଗ୍ରାମର ଆଦିବାସୀ ଝିଅ ନମିତା ଭୋଇ (୨୩)। କେବଳ ସେତିକି ନୁହେଁ ବିଲରେ ମାଟି ବୋହିବା ଓ ଛେଳି ଚରାଇବା ସହ ପର ଘରେ ପାଇଟି କରିବାକୁ ଭାଗ୍ୟ ନମିତାଙ୍କୁ ବାଧ୍ୟ କରିଛି।
ଗମ୍ଭାରୀଗୁଡ଼ା ଗ୍ରାମର ଚତୁର୍ଭୁଜ ଭୋଇ ଓ ବୈଦେହୀ ଭୋଇଙ୍କ ଝିଅ ନମିତା ସଇନ୍ତଲା ହାଇସ୍କୁଲରେ ପଢ଼ୁଥିଲେ। ସେତେବେଳେ ଖେଳ ପ୍ରତି ତାଙ୍କର ରୁଚି ଥିବାରୁ କବାଡ଼ି ଖେଳିବା ପାଇଁ ପ୍ରେରଣା ପାଇଥିଲେ। ୨୦୧୪ରେ ୧୪ ବର୍ଷରୁ କମ୍ ଓଡ଼ିଶା କବାଡ଼ି ଟିମ୍ର ସେ କ୍ୟାପଟେନ୍ ଦାୟିତ୍ବ ତୁଲାଇ ଛତିଶଗଡ଼ ଖେଳିବାକୁ ଯାଇ କୃତିତ୍ବ ଅର୍ଜନ କରିଥିଲେ। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପ୍ରତିଯୋଗିତା ସହ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ତାଳଚେର, ଭୁବନେଶ୍ବର, ସମ୍ବଲପୁରରେ ମଧ୍ୟ କବାଡ଼ିରେ ଉତ୍କର୍ଷତା ପ୍ରତିପାଦନ କରିଥିଲେ। ଖେଳ ସାଙ୍ଗକୁ ଚାଲିଥିଲା ପାଠପଢ଼ା। ମାତ୍ର ଅର୍ଥାଭାବ ତାଙ୍କୁ ପାଠପଢ଼ାରେ ବାଧା ଦେଇଥିଲା।
ତରଭା ନିକଟ ଚାରଭଟା କଲେଜରେ ପଢ଼ୁଥିବା ସମୟରେ ଯୁକ୍ତ ଦୁଇରୁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧାହେଲା। ତାଙ୍କ ପରିବାରରେ ତାଙ୍କୁ ମିଶାଇ ୫ ଭାଇଭଉଣୀ। ଏବେ ବାପା-ମା’ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ କାମ କରି ପାରୁନାହାନ୍ତି। ନିଜର ସ୍ବଳ୍ପ କିଛି ଜମି ଥିବା ବେଳେ ସେଥିରେ ମାଟି ସହ ମାଟି ହୋଇ କିଛି ରୋଜଗାର କଲେ ପେଟ ଭରୁଛି। ଦାରିଦ୍ର୍ୟ ତାଙ୍କ ପାଖରୁ କ୍ରୀଡ଼ା ଭଳି ଏକ କଳାକୁ ଛଡ଼ାଇ ନେଇଛି। ବିଭିନ୍ନ ସ୍ଥାନରେ କବାଡ଼ି ଖେଳି କୃତିତ୍ବ ଅର୍ଜନ କରିଥିବା ସ୍ମୃତିକୁ ଭୁଲି ପାରି ନାହାନ୍ତି ନମିତା। ପାଖରେ ଥିବା ପୁରସ୍କାର, ପ୍ରମାଣପତ୍ର ଏକ ମଇଳା ଚିରାବ୍ୟାଗରେ ଭର୍ତ୍ତି କରି ମାଟି କାନ୍ଥରେ ଝୁଲାଇ ରଖିଛନ୍ତି। ନମିତାଙ୍କ କ୍ରୀଡ଼ା କୌଶଳରେ ଶତମୁଖ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀଙ୍କ ଉତ୍ସାହରେ ଅନେକ ସ୍ବପ୍ନ ଆଙ୍କିଥିବା ନମିତାଙ୍କ ମା’-ବାପା ଭାବିଥିଲେ ଝିଅ କବାଡ଼ି ଖେଳରେ ଦେଶରେ ନାଁ ରଖିବ। କିନ୍ତୁ ଅଭାବ ଅନଟନ ଆଗରେ ଏହି ସ୍ବପ୍ନ ସବୁ ଅଧୁରା ରହିଗଲା। ପେଟ ପୂରାଇବାକୁ କବାଡ଼ିର ଅବିରତ ସ୍ବରକୁ ଭୁଲି ବିଲରେ କାମ କରିବାକୁ ହେବ ବୋଲି ନମିତା ବୁଝିଥିଲେ ମଧ୍ୟ କ୍ରୀଡ଼ାକୁ ନେଇ କିଛି କରିବାର ଆଶା ଏବେବି ମଉଳି ନାହିଁ।