ଭଦ୍ରକ ମହିଳା ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଲେଖିକା ସମ୍ମିଳନୀ: ଝିଅଟିଏ ହସିଲେ ଗପ ତ କାନ୍ଦିଲେ କବିତା

ଭଦ୍ରକ : ଝିଅଟିଏ ହସିଲେ ଗପ ତ କାନ୍ଦିଲେ କବିତା। ଲେଖିକାଟିଏ ନାରୀବାଦୀ ନୁହେଁ, ସର୍ବଦା ମାନବବାଦୀ। ସେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କଲମ ଧରିଥାଏ। ଭଦ୍ରକ ମହିଳା ମହାବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ ଲେଖିକା ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି।

ଓଡ଼ିଶା ସାହିତ୍ୟ ଏକା‌ଡେମୀ ଆନୁକୂଲ୍ୟରେ ଆଜି ଏହି ଲେଖିକା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତିତ୍ବ କରି ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଲିକ ଜିଲ୍ଲାର ସାରସ୍ୱତ ସାଧିକାଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ସମ୍ମିଳନୀ‌ରେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଗିରିବାଳା ମହାନ୍ତି ମୁଖ୍ୟଅତିଥି ଓ ସ୍ବନାମଧନ୍ୟ କଥାକାର ସରୋଜିନୀ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଥିଲେ, ଝିଅଟିଏ ହସିଲେ ଗପ ତ କାନ୍ଦିଲେ କବିତା। ଲେଖିକାଟିଏ ନାରୀବାଦୀ ନୁହେଁ, ସର୍ବଦା ମାନବବାଦୀ। ସେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କଲମ ଧରିଥାଏ। ତେବେ, ନାରୀ ସଶକ୍ତୀକରଣ ସ୍ଲୋଗାନ୍‌ର ପ୍ରାବଲ୍ୟ ସତ୍ତ୍ୱେ ଲେଖିକାଟିଏ କେବେ ବି ସ୍ୱାଧୀନ ନୁହେଁ ବୋଲି କହିଥିଲେ। ଏଥିସହିତ, ଲେଖିକାଟିଏ ତା’ର ନିର୍ଭୀକ ସ୍ୱରରେ ନିଦ୍ରିତ ଈଶ୍ୱରଙ୍କ ନିଦ ଭାଙ୍ଗି ସାମାଜିକ ପରିବର୍ତ୍ତନର ସ୍ୱର ଶୁଣାଇଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ସୁସାହିତ୍ୟିକା ଗୋଲାପ ମଞ୍ଜରୀ କର ଓ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଏକାଡେମୀର ସଦସ୍ୟ ପବିତ୍ର ପାଣିଗ୍ରାହୀ ଅତିଥିଙ୍କ ପରିଚୟ ଓ ପୂର୍ଣ୍ଣଚନ୍ଦ୍ର ବହଳି ସ୍ୱାଗତ ଭାଷଣ ଦେଇଥିଲେ। ମହାବିଦ୍ୟାଳୟ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ବିଜୟ ବହଳୀ ବେଦପାଠ କରିଥିଲେ। ଉଦ୍‌ଘାଟନୀ ସଭାର ଶେଷରେ ଧନ୍ୟବାଦ ଦେଇଥିଲେ ଡ. ଅଭୟ ଦାସ।

ଏହାପ‌ରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ‘ଲେଖିକାଙ୍କ ଲେଖନୀରେ ସାମାଜିକ ପରିବର୍ତ୍ତନର ସ୍ୱର’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଏକାଡେମୀର କାର୍ଯ୍ୟକାରୀ କମିଟି ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କା, ବିଦ୍ୟୁତ୍‌ଲତା ଦାସ, ଡ. ରାଧାରାଣୀ ମହାପାତ୍ର, ଡ. ପ୍ରଭାତ ନଳିନୀ ମହାପାତ୍ର ସମ୍ମାନନୀୟ ଅତିଥି ଏବଂ ବୀଣାପାଣି ପଣ୍ଡା, ପ୍ରୀତିଲତା ପଣ୍ଡା, ଭାନୁମତୀ ମାଟିଆ ଓ ସାବିତ୍ରୀ କବି ଆଲୋଚିକା ଭାବେ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସଭାମୁଖ୍ୟ ଥିଲେ ଝରଣା ପଟ୍ଟନାୟକ ଏବଂ ବସନ୍ତ ମିଶ୍ର, ଗୀତାରାଣୀ ଆଇଚ, ସିନ୍ଧୁ ସେନ୍ ଓ ଶାନ୍ତିଲତା ନାଗ ଅତିଥି ରୂପେ ମଞ୍ଚାସୀନ ଥିଲେ । ଡ. ମମତା ସାହୁ ଓ ସଂଯୁକ୍ତା ଭାରତୀ କବିତା ପାଠର ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପିକା ଅନିତା ଦଳାଇ, ଆଭାମୟୀ ମହାପାତ୍ର, ମନୋଜ ସାହୁ, ଭବେଶ ସ୍ୱାଇଁ, ରାଜେଶ ପାହାଡି, ଜ୍ୟୋତ୍ସ୍ନାରାଣୀ ଲେଙ୍କା, ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର