ଯୁକ୍ତ ୩ ପାଇଁ କେତେ ସିଟ୍ ରହିଛି ଓ ଆଉ କେତେ ଆବଶ୍ୟକ ପଡ଼ିବ ତାକୁ ନେଇ ତର୍ଜମା କରାଯିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ସୁନ୍ଦରଗଡ଼:ରାଜ୍ୟରେ ଯୁକ୍ତ ୩ ପାଇଁ ନାମଲେଖା ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ। ସେ କହିଛନ୍ତି, ପର୍ଯ୍ୟାପ୍ତ ସିଟ ରହିଛି, ଯୁକ୍ତ ୨ ପାସ୍ କରିବା ପରେ ଅନେକ ଛାତ୍ରଛାତ୍ରୀ ଅନ୍ୟ ଶିକ୍ଷା ପାଇଁ ଯାଉଛନ୍ତି। ଏଣୁ ଯୁକ୍ତ ୩ ପାଇଁ କେତେ ସିଟ୍ ରହିଛି ଓ ଆଉ କେତେ ଆବଶ୍ୟକ ପଡ଼ିବ ତାକୁ ନେଇ ତର୍ଜମା କରାଯିବ। ଆବଶ୍ୟକ ପଡ଼ିଲେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ।

‘ଦେଶର ସ୍ବାଧୀନତା ଆନ୍ଦୋଳନରେ ସୁନ୍ଦରଗଡ଼ର ଯେତିକି ଅବଦାନ ରହିଛି, ସ୍ଵାଧୀନ ଭାରତ ଗଠନରେ ଏ ଜିଲ୍ଲାର ସରଳ ମଣିଷମାନଙ୍କ ଭୂମିକା ସେତିକି ରହିଛି। କ୍ରୀଡ଼ାକ୍ଷେତ୍ରରେ ଜିଲ୍ଲା ସାରା ଦେଶକୁ ଚମତ୍କୃତ କରିଛି। ହକିର ଗଡ଼ ସୁନ୍ଦରଗଡ଼ର  ଖେଳାଳି ଦେଶକୁ ଗୌରଵାନ୍ଵିତ କରିଛନ୍ତି’।  ଆଜି ସୁନ୍ଦରଗଡ଼ ପୁଲିସ ଵାରାକ ପଡ଼ିଆରେ  ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୫ତମ ସ୍ଵାଧୀନତା ଦିବସରେ ମୁଖ୍ୟ ଅତିଥି ଭାଵେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ତଥା ଶିକ୍ଷାମନ୍ତ୍ରୀ ଡ. ଅରୁଣ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ଅବସରରେ ଉଦଵୋଧନ ଦେଇ ଏହା କହିଛନ୍ତି। ଏହିକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ଡ. ସାହୁ ମିଳିତ ପ୍ୟାରେଡରେ ଅଭିଵାଦନ ଗ୍ରହଣ କରିଥିଲେ। ନିଜ ବକ୍ତଵ୍ୟରେ ମନ୍ତ୍ରୀ  ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ବିକାଶ, ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମେତ ଵହୁ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରି ରାଜ୍ୟ ତଥା ଦେଶକୁ ଆଗେଇ ନେବାକୁ ସମସ୍ତଙ୍କ ନିଷ୍ଠାପର ଭାଗୀଦାରି ପାଇଁ ଆହ୍ବାନ ଜଣାଇଥିଲେ।

ସମ୍ବନ୍ଧିତ ଖବର