ନବୀନ ବାବୁଙ୍କର ଦୋମୁହାଁ ନୀତି: ପିସିସି ସଭାପତି
ବିଜେପି କହିଲା ଚାଷୀଙ୍କୁ ଫମ୍ପା ପ୍ରତିଶ୍ରୁତି
ବିରୋଧୀଙ୍କ ଅଭିଯୋଗକୁ ବିଜେଡିର ଖଣ୍ଡନ
ଭୁବନେଶ୍ୱର : ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ସୁନିଶ୍ଚିତ କରିବା ନେଇ ଗତକାଲି ରାଜ୍ୟ କ୍ୟାବିନେଟ୍ ନେଇଥିବା ସଂକଳ୍ପକୁ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି। ଅଭିଯୋଗ କରି କହିଛନ୍ତି, ଧାର୍ଯ୍ୟ ଏମ୍ଏସ୍ପି ସରକାର ଚାଷୀଙ୍କୁ ପ୍ରଦାନ କରିପାରୁନାହାନ୍ତି। ଅନ୍ୟପଟେ ଚାଷୀ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପୁଣି ଥରେ ଏଭଳି ଫମ୍ପା ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପଟେ ବିରୋଧୀଙ୍କ ସବୁ ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, ବିଜେଡି ସରକାର ରାଜ୍ୟର କୃଷକମାନଙ୍କ ସ୍ବାର୍ଥ ବିରୋଧୀ ଏକଥା କାହାକୁ ଅଛପା ନାହିଁ। ଏମ୍ଏସ୍ପି ଦୁଇଗୁଣ କରିବା ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା କେବଳ ମିଛ କାନ୍ଦଣା। ୨୦୧୭-୧୮ ମସିହାରେ ବିଧାନସଭାରେ ସର୍ବସମ୍ମିତିକ୍ରମେ ଧାନର ଏମ୍ଏସ୍ପି ଦର କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ସଂକଳ୍ପ ପାରିତ ହୋଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠିଟିଏ ଲେଖି ବସିଗଲେ। କିନ୍ତୁ ଗୋଟିଏ ଥର ବି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇପାରିଲା ନାହିଁ। ଏ ସମ୍ପର୍କରେ ବିଧାନସଭା ଗୃହ କମିଟିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବାକୁ ସୁଯୋଗ ଦେଲେନାହିଁ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ସାକ୍ଷାତ ଓ ଆଲୋଚନା ହେଉଛି। କିନ୍ତୁ ଗୃହ କମିଟି ଭେଟିବା ନେଇ ଦାବି କରିପାରୁନାହାନ୍ତି। ଅନ୍ୟପକ୍ଷରେ କେନ୍ଦ୍ରର ସମସ୍ତ ଜନବିରୋଧୀ ବିଲ୍କୁ ସଂସଦରେ ପାରିତ କରାଇବାରେ ବିଜେଡି ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଚାଷୀମାନଙ୍କ ସମସ୍ୟା ନେଇ ସଂସଦରେ ଥରୁଟିଏ ଏକଥା ଉଠାଇବାରେ ବିଜେଡି ଅସମର୍ଥ କାହିଁକି? ସଂସଦରେ କୃଷି ବିଲ୍ ପାରିତ ହେଲାବେଳେ ବିଜେଡିର ସାଂସଦମାନେ ଭଲ କରି ଅନୁଧ୍ୟାନ କରିଥିଲେ କି? ଯେଉଁ ସ୍ବାମୀନାଥନ କମିଟିର ଦ୍ବାହି ସବୁବେଳେ ରାଜ୍ୟ ସରକାର ଦେଉଛନ୍ତି ସେହି ଅନୁଯାୟୀ ନିଜେ କେତେ କାର୍ଯ୍ୟକାରୀ କରିଛନ୍ତି। ଚାଷୀଙ୍କୁ ତାର ଉତ୍ପାଦନ ଖର୍ଚ୍ଚ ବାଦ ଶତକଡ଼ା ୫୦% ଅଧିକ ମୂଲ୍ୟ ଦେବା ପାଇଁ କିଏ ରାଜ୍ୟ ସରକାରଙ୍କୁ ଅଟାକାଇଛି? ନବୀନ ବାବୁ ଚାଷୀଙ୍କୁ ବୋନସ୍ ଦେବା ପାଇଁ ଯେଉଁ ଘୋଷଣା କରିଥିଲେ କୁଆଡ଼େ ଗଲା? ଗତ ଡିସେମ୍ବର ୮ ତାରିଖରେ ଭାରତ ବର୍ଷର ଚାଷୀ ସଂଗଠନମାନଙ୍କର ଆହ୍ବାନ କ୍ରମେ ବନ୍ଦ ଡାକରା ଦିଆଗଲା। ବିଜେପିକୁ ଛାଡ଼ି ସମସ୍ତ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଲେ କିନ୍ତୁ ବିଜେଡି ସମର୍ଥନ ଜଣାଇଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଏପରି ଦୋମୁହାଁ ନୀତି ରାଜ୍ୟବାସୀ ଜାଣିସାରିଲେଣି। ଖୁବଶୀଘ୍ର ରାଜ୍ୟର ୭୦% ଚାଷୀ ପରିବାର ଏସବୁର ଜବାବ ଦେବେ ବୋଲି ପିସିସି ସଭାପତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି, ଏବେ ଧାନ ସଂଗ୍ରହ ଋତୁରେ ମଣ୍ଡିରେ ଚାଷୀଙ୍କଠାରୁ ବରାବର କ୍ବିଣ୍ଟାଲ ଧାନରୁ ୫ରୁ ୬ କିଲୋ କଟନି ଛଟନି କରି କାଟି ଦିଆଯାଉଛି। ମିଲରମାନଙ୍କର ଅବାଧ କାରବାର ଜାରି ରହିଛି। ଏ ନେଇ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଯେତେ ଅଭିଯୋଗ କଲେ ବି କିଛି ଫଳ ମିଳୁନି। କଟନି ଛଟନି ନେଇ କିଛି ମିଲର ନିଜ ନାମ ଗୋପନ ରଖି କହିଛନ୍ତି ପ୍ରତି କ୍ବିଣ୍ଟାଲ ପିଛା କଟନି ଛଟନିରୁ ୨ କିଲୋର ମୂଲ୍ୟ ଦଳୀୟ ଚାନ୍ଦା ବାବଦରେ ଯାଉଛି। ଏବେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ଏମ୍ଏସ୍ପି ୧୮୬୮ ଟଙ୍କା ଚାଷୀଙ୍କୁ ମିଳୁନି। ମଣ୍ଡିର ଅବ୍ୟବସ୍ଥା କହିଲେ ନ ସରେ। ଛତିଶଗଡ଼ ସରକାର ଏମ୍ଏସ୍ପି ୧୮୬୮ ଟଙ୍କା ସହିତ କ୍ବିଣ୍ଟାଲ ପିଛା ୬୩୨ ଟଙ୍କା ବୋନସ୍ ଆକାରରେ ଦେଉଛନ୍ତି। ସେଥିପାଇଁ ସେ ରାଜ୍ୟରେ ୨୫୦୦ ଟଙ୍କାରେ ଚାଷୀ ଧାନ ବିକୁଛି। ଅଥଚ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୫ ବର୍ଷ ତଳେ ଘୋଷଣା କରିଥିବା ବୋନସ୍ ଆଜି ପର୍ଯ୍ୟନ୍ତ ଚାଷୀ ପାଇଲେ ନାହିଁ। କାଳିଆ ଯୋଜନା କଲେ କିନ୍ତୁ ଫେଲ୍ ମାରିଲେ। ରାଜ୍ୟ ସରକାରଙ୍କ ଏଭଳି ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଚାଷୀମାନଙ୍କ ପ୍ରବଳ ଅସନ୍ତୋଷ ରହିଛି।
ଏସବୁ ଅଭିଯୋଗର ଜବାବ ଦେବାକୁ ଯାଇ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସ୍ବାମୀନାଥନ କମିଟି ରିପୋର୍ଟ ସୁପାରିସ ଆଧାରରେ ଉତ୍ପାଦନର ୫୦% ଅଧିକ ଅର୍ଥ ଚାଷୀଙ୍କୁ ଦେବାକୁ କ୍ୟାବିନେଟ୍ରେ ସଂକଳ୍ପ ପାରିତ ହୋଇଛି। ଯାହାକି ଚାଷୀମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ। ଥରେ ନୁହେଁ ଲଗାତାର ଚାଷୀଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ବିଜେଡି ସବୁ ସ୍ତରରେ ସଂଗ୍ରାମ କରିଆସିଛି। ଏ ସମ୍ପର୍କରେ ବହୁବାର ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅବଗତ କରିଛନ୍ତି। ବିରୋଧୀ ଯେତେ ଯାହା କୁହନ୍ତୁ ଚାଷୀଙ୍କ ସମସ୍ୟାକୁ ସବୁବେଳେ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଇଆସିଛନ୍ତି। କାଳିଆ ସହାୟତା ଯୋଜନା, ବଳରାମ ଯୋଜନା, କୃଷି କ୍ୟାବିନେଟ୍ ଓ ସର୍ବୋପରି କୃଷି ବଜେଟ୍ ଏସବୁର ସୁଫଳ ଚାଷୀଙ୍କୁ ମିଳିଛି କି ନାହିଁ, ବିରୋଧୀ ଅନୁଧ୍ୟାନ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/paddy.jpg)
