କେନ୍ଦ୍ରୀୟ ନେତାଙ୍କ ନଜରରେ ରହିଛି ଓଡ଼ିଶା: ବିଜେପି
ବିଜେପି ଦୁଃସ୍ଥିତିରେ ଦଳ ଫାଇଦା ନେବା ଉଚିତ: କଂଗ୍ରେସ
୨୦୨୪ରେ ବି ଆଞ୍ଚଳିକ ଦଳର ଦବ୍ଦବା ରହିବ: ବିଜେଡି
ଭୁବନେଶ୍ବର : ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଆଜି ବି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ତୃଣମୂ​ଳ କଂଗ୍ରେସର ବିପୁଳ ବିଜୟ ପରେ ଓଡ଼ିଶା ରାଜନୀତି ଉପରେ ଏହାର କି ପ୍ରଭାବ ରହିବ, ସେ ନେଇ ସବୁ ସ୍ତରରେ ଆଲୋଚନା ଜୋର୍ ଧରିଛି।
ସୋମବାର ଦିନ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପରାଜିତା ଷଡ଼ଙ୍ଗୀ କହିଛନ୍ତି, ପଶ୍ଚିମବଙ୍ଗରେ ଯାହା ଆଶା କରିଥିଲୁ ସେ ଅନୁସାରେ ଫଳାଫଳ ନଆସିଲେ ମଧ୍ୟ ପ୍ରଦର୍ଶନ ସନ୍ତୋଷଜନକ ରହିଛି। ବିଜେପିର ଭୋଟ ପ୍ରତିଶତ ବଢ଼ିଛି ଓ ଆସନ ମଧ୍ୟ। ଓଡିଶା ଉପରେ ବିଜେପି କେନ୍ଦ୍ରୀୟ ସଂଗଠନ ଶକ୍ତ ନଜର ରଖିଛନ୍ତି। ଏଠାରେ କିଭଳି ବିଜେପି ଶାସନକୁ ଫେରିବ, ସେ ନେଇ କେନ୍ଦ୍ରୀୟ ସ୍ତରରେ ରଣନୀତି ତିଆରି ଚାଲିଛି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ପଶ୍ଚିମବଙ୍ଗରେ ପୁଣିଥରେ ଗୋଟିଏ ଆଞ୍ଚଳିକ ଦଳ ଜାତୀୟ ଦଳକୁ ପରାସ୍ତ କରିଛି। ବିଜେପି ଓ କଂଗ୍ରେସ ଭିତରେ ଟକ୍କର ଥିଲେ ବି ଆଞ୍ଚଳିକ ଦଳ କିନ୍ତୁ ବିଜୟ ଲାଭ କରୁଛନ୍ତି। ଏକଥା ସମସ୍ତଙ୍କୁ ସ୍ବୀକାର କରିବାକୁ ହେବ ଯେ ଆଞ୍ଚଳିକ ଦଳର ପ୍ରଭାବ ବଢ଼ିଛି। ଓଡ଼ିଶାରେ ବି ବିଜେଡିର ପ୍ରଭାବ ରହିଛି। କିନ୍ତୁ ବିଜେପି ଯେଭଳି ଦୁଃସ୍ଥିତି ଭିତରେ ରହିଛି, ସେଥିରୁ କଂଗ୍ରେସ ଯଦି ଫାଇଦା ନ ନେବ, ତେବେ ଆଞ୍ଚଳିକ ଦଳ ପ୍ରଭାବ ବିସ୍ତାର କରିବ।
ସେହିଭଳି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେପିର ଯେଭଳି ଅହଂକାର କରୁଥିଲା, ଭଗବାନ ସେମାନଙ୍କୁ ଉଚିତ୍ ଶିକ୍ଷା ଦେଲେ। ବିଜେପି ନେତାମାନେ ବାରମ୍ବାର କହୁଥିଲେ, ପଶ୍ଚିମବଙ୍ଗ ଜିତିବା ପରେ ଓଡ଼ିଶା ଦଖଲ ଲାଗି ସେମାନେ ରାତିଦିନ ଉଦ୍ୟମ କରିବେ। ଏବେ କିନ୍ତୁ ତାହା ଉପରେ ରୋକ ଲାଗିବ। ଓଡ଼ିଶା ଲୋକ ମଧ୍ୟ ଜାଣିଛନ୍ତି ଓ ସମସ୍ତେ ମମତାଙ୍କ ଜିତାପଟରେ ଖୁସି। ପ୍ରଧାନମନ୍ତ୍ରୀ ନିଜ ସୀମା, ସ୍ତର ଡେଇଁ ଯେଭଳି ପ୍ରଚାର କରୁଥିଲେ, ତାଙ୍କୁ ଶିକ୍ଷା ମିଳିଛି।
ଅନ୍ୟପକ୍ଷରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପଶ୍ଚିମବଙ୍ଗରେ ନିଜେ ପ୍ରଧାନମନ୍ତ୍ରୀ ମଙ୍ଗ ଧରିଥିଲେ। କିନ୍ତୁ ମମତା ବିପୁଳ ବିଜୟ ଲାଭ କରିଥିଲେ। ସାରାଭାରତରେ ଏହାର ଜବରଦସ୍ତ ପ୍ରଭାବ ପଡ଼ିବ। ଏହି ନିର୍ବାଚନ ଆଉଥରେ ସମସ୍ତଙ୍କୁ ଜଣାଇ ଦେଇଛି ଯେ ଆଞ୍ଚଳିକ ଦଳ ହିଁ କେବଳ ଜାତୀୟ ଦଳକୁ ରୋକିବାକୁ ସମର୍ଥ। ଜାତୀୟ ଦଳ ସପକ୍ଷରେ କେତେ ବି ତରଙ୍ଗ ଆସୁ, ତାହାକୁ ଆଞ୍ଚଳିକ ଦଳ ହିଁ ପ୍ରତିହତ କରିପାରିବ। ଏହି ନିର୍ବାଚନରେ ମମତା ବାନାର୍ଜୀଙ୍କର ଭୋଟ ପ୍ରତିଶତ ବଢିଛି। ଅନୁରୂପ ଭାବେ ଓଡ଼ିଶାରେ ନବୀନଙ୍କ ଉପରେ ଆସ୍ଥା ରହିଛି। ବିକାଶର ଆଭିମୁଖ୍ୟ ନେଇ ବିଜେ଼ଡି ସରକାର କାମ କରୁଛନ୍ତି। ୨୦୨୪ରେ ମଧ୍ୟ ଆଞ୍ଚିଳିକ ଦଳର ପ୍ରଭାବ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/election-1.jpg)