କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବାଦ ପୁଣି କୁହୁଳିଲାଣି। ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଭିଡିଓ ଭାଇରାଲ ହେବା ପରେ ବର୍ଷା ଏହା ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଶୁକ୍ରବାର ରାତିରେ ବର୍ଷା କୌଣସି କାରଣରୁ ବାହାରକୁ ଯାଇଥିଲାବେଳେ ରାତିରେ ଘରେ ପହଞ୍ଚିଲାବେଳକୁ ଗେଟ୍ରେ ତାଲା ଝୁଲିଥିଲା। ଅନେକ ଡାକ ପକାଯାଇଥିଲେ ବି କେହି ଗେଟ୍ ଖୋଲିନଥିଲେ। ତେଣୁ ବର୍ଷାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଅନେକ ବିଳମ୍ବରେ ଗେଟ୍ ଖୋଲାଯିବା ପରେ ବର୍ଷା ଘର ଭିତରକୁ ଯାଇଥିଲେ। ହେଲେ ଏଭଳି କାର୍ଯ୍ୟ ଦ୍ଵାରା ତାଙ୍କୁ ନିର୍ଯାତନା ଦିଆଯାଉଥିବା ସଂକ୍ରାନ୍ତରେ ବର୍ଷା ପୁରୀଘାଟ ଥାନାରେ ଆଉ ଏକ ଏତଲା ଦେଇଥିଲେ।
ଗତକାଲି ଡିସିପିଙ୍କ ସହିତ ପାରିବାରିକ କଳହ ବିଷୟରେ ଆଲୋଚନା କରିବାପରେ ଏହି ମାମଲାକୁ ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଆଜି ଅନୁଭବ ଏକ ଭାଇରାଲ ଅଡିଓର ତଦନ୍ତ ନେଇ ଡିଜିପିଙ୍କୁ ପତ୍ର ଲେଖିଛନ୍ତି। ଅନୁଭବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦୁଇମାସ ହେବ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓରେ ସେ ନିଜେ, ବର୍ଷା ଓ ତାଙ୍କ ପରିବାର ଲୋକ ବର୍ତ୍ତାଳାପ କରୁଥିବାର ଶୁଣିବାକୁ ମିଳିଛି। ଯେଉଁଥିରେ ବର୍ଷା ଓ ତାଙ୍କ ପରିବାର ଯୋଜନା ବଦ୍ଧ ଷଡଯନ୍ତ୍ର କରୁଥିବା ଉକ୍ତ ଅଡିଓରେ ଶୁଣିବାକୁ ମିଳିଛି। ବର୍ଷା ଏବେ ଆମ ଘରେ ପରିବାର ସହ ରହୁଛନ୍ତି। ତେଣୁ ମୋ ପରିବାର ପ୍ରତି ଏହା ବିପଦ ସୃଷ୍ଟି କରିପାରେ। ଏହି ଅଡିଓ ବର୍ଷା ଓ ତାଙ୍କ ପରିବାରର ନା ଏହାକୁ କେହି ପ୍ରସ୍ତୁତ କରି ବଦନାମ୍ କରିବାକୁ ଚେଷ୍ଟା କରୁଛନ୍ତି ଏ ନେଇ ଉପଯୁକ୍ତ ତଦନ୍ତ କରିବାକୁ ଡିଜିପିଙ୍କୁ ପତ୍ର ମାଧ୍ୟମରେ ଲେଖିଛନ୍ତିି।
ସାଂସଦ ତାଙ୍କ ପ୍ୟାଡ୍ରେ ଲେଖିଥିବା ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସେ ବିଜୁ ଜନତା ଦଳରୁ ପ୍ରଥମେ ରାଜ୍ୟସଭା, ପରେ ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ଆସନରୁ ଜାତୀୟ ରାଜନୈତିକ ଦଳର ଉପସଭାପତିଙ୍କୁ ହରାଇ ସାଂସଦ ହୋଇଛନ୍ତି। ଲୋକଙ୍କ ସ୍ବାର୍ଥ ଲାଗି ନିୟମିତ ବ୍ୟବଧାନରେ କାର୍ଯ୍ୟରେ ବହୁବାର ଦିଲ୍ଲୀ ଯିବାକୁ ପଡୁଛି। ହେଲେ ଏପରି କାର୍ଯ୍ୟକଳାପ ଯୋଗୁଁ ମୋତେ ବଦାନାମ କରାଯିବାକୁ ଚେଷ୍ଟା କରାଯାଉଛି। ଏଥିସହ ମୋ ପରିବାର ପ୍ରତି ମଧ୍ୟ ବିପଦ ରହୁଛି। ତେଣୁ ଏହାକୁ ଗୁରୁତର ଭାବେ ଗ୍ରହଣ କରି ଏହାର ସତ୍ୟାସତ୍ୟ ଉନ୍ମୋଚନ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଡିଜିପିଙ୍କ ନିକଟରେ ଦାବି କରିଛନ୍ତି।
ଶୁକ୍ରବାରର ଘଟଣା ପରେ ବର୍ଷା ପୁରୀଘାଟ ଥାନାରେ ଯେଉଁ ଲିଖିତ ଅଭିଯୋଗ କରିଥିଲେ, ତାହାକୁ ଆଜି ବସ୍ତୃତ ଭାବେ ପୁଲିସ୍ ନିକଟରେ ଜଣାଇଛନ୍ତି। ସଂଧ୍ୟାବେଳେ ବର୍ଷା ଥାନାକୁ ଆସି ତାଙ୍କ ସହ ଶୁକ୍ରବାର ରାତିରେ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ। ପୁଲିସ୍ ପକ୍ଷରୁ ତାଙ୍କର ଅଭିଯୋଗ ଓ ବୟାନକୁ ରେକର୍ଡ କରାଯାଇଛି। ଗତକାଲି ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିଟ୍ ଟିମ୍ ନନ୍ଦୀସାହିସ୍ଥିତ ଘରକୁ ଯାଇ ବର୍ଷା ଓ ଅନୁଭବଙ୍କ ସହିତ ଉକ୍ତ ଘଟଣା ବିଷୟରେ ଆଲୋଚନା କରିଥିଲେ। ଆଜିର ବୟାନ ରେକର୍ଡ ପରେ ତଦନ୍ତରେ ଅଗ୍ରଗତି ଆସୁଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।