ଉପନିର୍ବାଚନକୁ ନେଇ ୩ ପ୍ରମୁଖ ଦଳର ବୟାନବାଜି

ଭୁବନେଶ୍ବର: ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି। କିନ୍ତୁ ଏହି ଦୁଇଟି ଉପନିର୍ବାଚନରେ କିଏ ଜିତିବ ସେ ନେଇ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଉଭୟ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଧାୟକ ତଥା ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ କମିଟି ପ୍ରଭାରୀ ସୁରେଶ କୁମାର ରାଉତରାୟ କହିଛନ୍ତି। ଅନ୍ୟପଟେ ବିଜେପି ଓ ବିଜେଡି ଏହି ଦୁଇଟି ଆସନରେ ବାଜି ମାରିବେ ବୋଲି ପରସ୍ପର ଦାବି କରିଛନ୍ତି।

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି, ଗତକାଲି କମିଟି ଅଧ୍ୟକ୍ଷ ଚିରଞ୍ଜୀବ ବିଶ୍ବାଳଙ୍କ ସହ କଂଗ୍ରେସର ଏକ ଟିମ୍‌ ତିର୍ତ୍ତୋଲ ଗସ୍ତ କରିଥିଲେ। ଏହି ଆସନ ପାଇଁ ଦଳ ପକ୍ଷରୁ ପୂର୍ବତନ ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ କିମ୍ବା ଝିଅ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଅଛନ୍ତି। ଏହାସହିତ ଜଣେ ସଫ୍ଟଓ୍ବେର୍‌ ଇଞ୍ଜିନିୟରଙ୍କ ସମେତ ୫ ଜଣ ବ୍ୟକ୍ତି ପ୍ରାର୍ଥୀ ହେବା ପାଇଁ ଆବେଦନ କରିଛନ୍ତି। ଖୁବଶୀଘ୍ର ଉଭୟ ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଚୂଡ଼ାନ୍ତ କରାଯିବ। ବାଲେଶ୍ବର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଗଲେ ଦଳର ପ୍ରଦର୍ଶନ ହେବ ଭଲ ହେବ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ତିର୍ତ୍ତୋଲ ଓ ବାଲେଶ୍ବର ପାଇଁ ପ୍ରାର୍ଥୀ ଚୟନ କରିବାକୁ ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ବ ଦିଆଯାଇଛି। ଠିକ୍‌ ସମୟରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ଏଥରକ ଉଭୟ ଆସନରେ ବିଜେପି ପ୍ରାର୍ଥୀ ହିଁ ଜିତିବେ। ଅନ୍ୟପଟେ ତିର୍ତ୍ତୋଲ ପାଇଁ ପୂର୍ବତନ ସାଂସଦ ତଥା ବିଜେପି ନେତା ବିଭୁପ୍ରସାଦ ତରାଇ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ସେହିପରି ବାଲେଶ୍ବର ସଦର ଆସନ ପାଇଁ ବିଜେପିରୁ ସ୍ବର୍ଗତଃ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ନାମ ଚର୍ଚ୍ଚାରେ ଥିବାବେଳେ ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ ବିଧାନସଭା ଉପନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଶ୍ରୀ ସ୍ବାଇଁ କହିଥିଲେ, ଯଦି ଦଳ ତାଙ୍କୁ ପ୍ରାର୍ଥୀ କରିବ ତାହେଲେ ସେ ଉପନିର୍ବାଚନରେ ଅବତୀର୍ଣ୍ଣ ହେବେ।

ଅନ୍ୟପଟେ ବିଜେଡି ଏ ସମ୍ପର୍କରେ ମାପିଚୁପି ମତ ରଖିଛି। ଦଳ ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦୁଇଟି ଯାକ ଆସନରେ ପ୍ରାର୍ଥୀ କିଏ ହେବ ତାର ଚୂଡ଼ାନ୍ତ ନିଷ୍ପତ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ନେବେ। ତେବେ ତିର୍ତ୍ତୋଲ ବିଜେଡି ହାତରେ ଥିଲା ଓ ରହିବ। ସେହିପରି ଏଥରକ ବାଲେଶ୍ବର ସଦରରେ ବି ଦଳ ପ୍ରଦର୍ଶନ କରିବ। ଲୋକେ ନିର୍ବାଚିତ ସରକାର ଓ ତାର କାର୍ଯ୍ୟକଳାପକୁ ଦେଖି ଭୋଟ ଦେବେ। ଉପନିର୍ବାଚନର ରେକର୍ଡ଼ ଦେଖିଲେ ବିଜେଡି ହିଁ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛି ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର